ଗଜପତିରେ ବଜ୍ରାଘାତ : ୧୬ ମଇଁଷି,୭ ଗାଇ ମୃତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ଗଙ୍ଗାବାଡ ଗ୍ରାମ ପଞ୍ଚାୟତର ମହେନ୍ଦ୍ରଗିରି ପାହାଡ ପାଦତଳେ ବାରଘର ନିକଟରେ ବଜ୍ରାଘାତରେ ୧୬ଗୋଟି ମଇଁଷି ଏବଂ ୭ ଗୋଟି ଗାଇର ମୃତ୍ୟୁ ଘଟିଥିବାର ଜଣାପଡିଛି । ଗଣେଶ ଗୌଡ ଏବଂ ନନ୍ଦ ଗୌଡ ନିଜ ନିଜର ମଇଁଷି ଏବଂ ଗାଇକୁ ଧରି ଚରେଇବା ପାଇଁ ବାରଘର ନିକଟସ୍ଥ ମହେନ୍ଦ୍ର ପାହାଡ ପାଖକୁ ନେଇଥିଲେ । ରାତ୍ର ହୋଇଯିବାରୁ ସେଠାରେ ମଇଁଷି ଏବଂ ଗାଇ ଗୁଡିକୁ ବାନ୍ଧି ନିଜ ନିଜ ଘରକୁ ଫେରିଯାଇଥିଲେ । ହେଲେ ବିଳମ୍ବିତ ରାତ୍ରରେ ବଜ୍ରାଘାତ ଯୋଗୁଁ ଘଟଣା ସ୍ଥଳରେ ଉଭୟଙ୍କ ୧୬ଗୋଟି ମଇଁଷି ଏବଂ ୭ ଗୋଟି ଗାଇ ମୃତ୍ୟୁ ଘଟିଥିବା ସୁଚନା ମିଳିଛି । ଘଟଣାର ସୁଚନା ପରେ ପାରଳାଖେମୁଣ୍ଡି ଜିଲ୍ଲା ପ୍ରାଣୀଧନ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ରାୟଗଡ ପଶୁ ଡାକ୍ତର ଟିମ୍ ଘଟଣାସ୍ଥଳରେ ପହଂଚି ଥିଲେ । ତେବେ ଘଟଣାସ୍ଥଳ ତଥା ବଜ୍ରାଘାତ ସ୍ଥଳକୁ କୌଣସୀ ଯାନବାହନ ଯାଇ ପାରୁନଥିବାରୁ ପ୍ରାୟ ୧୦କିମି ରାସ୍ତା ପାଦଚଲାରେ ଟିମ୍ ପହଂଚି ଥିବାର ଖବର ମିଳିଛି । ଲାବଣ୍ୟଗଡ ଗ୍ରାମର ଗଣେଶ ଗୌଡଙ୍କର ପ୍ରାୟ ୫ଲକ୍ଷ ଟଙ୍କା ଏବଂ ନନ୍ଦ ଗୌଡଙ୍କ ୨ଲକ୍ଷ ଟଙ୍କାର ଗାଇଗୋରୁ ମୃତ୍ୟୁବରଣ କରିଥିବାର ଜଣାଇଛନ୍ତି । ଉଭୟେ ଗରୀବ ଶ୍ରେଣୀର ହୋଇଥିବାରୁ ସେମାନଙ୍କୁ ସରକାରୀ ସ୍ତରରେ ସାହାଯ୍ୟ ପାଇଁ ଲାବାଣ୍ୟଗଡ ସମିତି ସଭ୍ୟ ନିରାକର ନାୟକ ନିବେଦନ କରିଛନ୍ତି ।