ଗଜପତିରେ ବର୍ଷର ପ୍ରଥମ ଡେଙ୍ଗୁ ମୃତ୍ୟୁ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଚଳିତ ବର୍ଷ ଜିଲ୍ଲାର ପ୍ରଥମ ଡେଙ୍ଗୁ ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ହେଲେ ଗୁମ୍ମା ବ୍ଲକ୍ ନାମନଗଡ଼ ପଞ୍ଚାୟତ ଖ୍ରୀଷ୍ଟିଆନ୍‌ ସାହିର ବିକାଶ ଲିମା(୨୫)। ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ସେହିପରି ଉକ୍ତ ସାହିର ଆହୁରି ୫ ଜଣ ଏବେ ବି ଡେଙ୍ଗୁରେ ଆକ୍ରାନ୍ତ ଥିବା ଜଣାପଡ଼ିଛି। ଅନ୍ୟପଟେ ବିକାଶଙ୍କ ମୃତ୍ୟୁ ଚିକିତ୍ସା ଅବହେଳାରୁ ହୋଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ବିକାଶଙ୍କ ଭିଣୋଇ କହିଛନ୍ତି, ବିକାଶଙ୍କୁ ପ୍ରଥମେ ପାରଳାଖେମୁଣ୍ତି ମେଡିକାଲ ନିଆଯାଇଥିଲା। ଗୁରୁତର ଥିବାରୁ ବ୍ରହ୍ମପୁର ବଡ଼ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ୭ ଘଣ୍ଟା ପର୍ଯ୍ୟନ୍ତ କୌଣସି ଚିକିତ୍ସା ମିଳିନଥିଲା। ପରୀକ୍ଷା ପରେ ଡେଙ୍ଗୁ ଚିହ୍ନଟ ସହ ପ୍ଲେଟଲେଟ କମ୍ ଥିବା ଜଣାପଡ଼ିଥିଲା। ହେଲେ ତୁରନ୍ତ ପ୍ଲେଟଲେଟ୍ ଯୋଗାଡ଼ ହୋଇ ପାରିନଥିଲା। ଆଉ ଶେଷରେ ବିକାଶ ଆଖିବୁଜି ଦେଇଥିଲେ। ଏପରି ଅବହେଳାକୁ ପରିବାର ଲୋକେ ଗ୍ରହଣ କରି ପାରୁନଥିବା ବେଳେ ବୁଦ୍ଧିଜୀବୀଙ୍କ ମହଲରେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ସେହିପରି ନାମଗଡ଼ ଖ୍ରୀଷ୍ଟିଆନ୍‌ ସାହିରେ ପ୍ରଶାସନ ପକ୍ଷରୁ କୌଣସି ସଚେତନତା କରାଯାଇନାହିଁ। ନିୟମ ଅନୁସାରେ ଡେଙ୍ଗୁ ଚିହ୍ନଟ ହେଲେ ସଂପୃକ୍ତ ଅଞ୍ଚଳରେ ଡିଡିଟି ସିଞ୍ଚନ କରାଯିବା ସହ ସଚେତନ କରାଯିବା କଥା, ହେଲେ ପ୍ରଶାସନ ଏହାକୁ ଯେପରି ଭୁଲି ଯାଇଛି। ସ୍ବାସ୍ଥ୍ୟ ବିଭାଗ ତରଫରୁ ଉକ୍ତ ସାହିରେ କେବଳ ବ୍ଲିଚିଂ ସିଞ୍ଚନ କରି ଦାୟିତ୍ବ ସାରି ଦିଆଯାଇଥିବା ବେଳେ ଆଶା କର୍ମୀ ମ୍ୟାଲେରିଆ ପରୀକ୍ଷା କରିବା ପାଇଁ କହିଥିବା ଜଣାପଡ଼ିଛି। ଏ ସମ୍ପର୍କରେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ଅଧୀକ୍ଷକ ପ୍ରଫେସର ଡା. ସୁଚିତ୍ରା ଦାଶ କହନ୍ତି, ଡେଙ୍ଗୁ ଆକ୍ରାନ୍ତରେ ଏମ୍‌କେସିଜି କେହି ମୃତ୍ୟୁବରଣ କରି ନାହାନ୍ତି। ଏପରିକି ବର୍ତ୍ତମାନ ସୁଦ୍ଧା ଏମ୍‌କେସିଜିରେ କୌଣସି ଡେଙ୍ଗୁ ପଜିଟିଭ୍‌ ଭର୍ତ୍ତି ହୋଇ ନାହାନ୍ତି। ଯେଉଁମାନେ ଚିକିତ୍ସିତ ହୋଇଛନ୍ତି, ସେମାନେ ଡେଙ୍ଗୁ ସନ୍ଦେହରେ ଭର୍ତ୍ତି ହୋଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କର ରିପୋର୍ଟ ନେଗେଟିଭ୍‌ ଆସିଥିବା ପ୍ରଫେସର ଦାଶ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ