ଗଜପତିରେ ବାତ୍ୟାର ମୁକାବିଲା ପାଇଁ ଏନ୍ଡିଆର୍ଏଫ ଟିମ୍ ପହଞ୍ଚିଲେ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ପଞ୍ଚାୟତ ସମିତି କାର୍ଯ୍ୟାଳୟ (ଗୋଷାଣୀ) ଠାରେ ‘ଜୱାଦ’ ଝଡ ବାତ୍ୟାର ମୁକାବିଲା କରିବା ପାଇଁ କଟକ ଏନ୍ଡିଆର୍ଏଫ୍ ଟିମ ଗତକାଲି ବିଳମ୍ବିତ ତଥା ମଧ୍ୟରାତ୍ର ୨ଘଣ୍ଟା ସମୟରେ ପହଂଚିଥିବାର ଜଣାପଡିଛି । ସେମାନେ ଗୋଷାଣୀ ବ୍ଲକ କାର୍ଯ୍ୟାଳୟରେ ପହଂଚି ଗୋଷାଣୀ ବିଡିଓ ନୀଳମାଧବ ମାଝୀଙ୍କ ସହ ସାକ୍ଷାତ କରିଛନ୍ତି । ଏନେଇ ଗୋଷାଣୀ ବିଡିଓ ଶ୍ରୀ ମାଝୀ କହିଛନ୍ତି ଯେ ବ୍ଲକରେ ବର୍ତ୍ତମାନ ଏନ୍ଡିଆର୍ଏଫ୍ ଟିମ ଉପସ୍ଥିତ ଅଛନ୍ତି । ସେମାନେ ଯେ କୌଣସି ପରିସ୍ଥିତିର ମୁକାବିଲା କରିବାପାଇଁ ପ୍ରସ୍ତୁତ ରହିଛନ୍ତି । ବିଶେଷ କରି ଗଛ କାଟିବା ପାଇଁ କଟର, ଜେନେରେଟର ଆଦି ସରଞ୍ଜାମ ନେଇ ଆସିଛନ୍ତି । ଏହାସହ ବ୍ଲକ ପ୍ରଶାସନ ପକ୍ଷରୁ ବ୍ୟାପକ ମାତ୍ରାରେ ଶୁଖିଲା ଖାଦ୍ୟ ମହଜୁଦ ରଖାଯାଇଛି । ଏଥିପାଇଁ ଗୋଷାଣୀ ବ୍ଲକର ବିଭିନ୍ନ ଜନ ପ୍ରତିନିଧିମାନେ ମଧ୍ୟ ନିଜ ନିଜ ପଞ୍ଚାୟତରେ ଉପସ୍ଥିତ ରହି ପରିସ୍ଥିତି ଉପରେ ଧ୍ୟାନ ଦେବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି ବୋଲି ମଧ୍ୟ କହିଛନ୍ତି ।


