ଗଜପତିରେ ବାଲ୍ୟ ବିବାହକୁ ରୋକିବା ପାଇଁ ଟାସ୍କଫୋର୍ସ ଗଠନ ହେବ 

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେକ୍ଷଣ ଅନୁସାରେ ଓଡିଶାରେ ବାଲ୍ୟ ବିବାହର ସ୍ଥିତ ଉଦ୍‌ବେଗ ଜନକଥିଲା ବେଳେ ଗଜପତିର ସ୍ଥିତି ବି ଖରାପ ଅଛି । ତେଣୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଜିଲାସ୍ତରୀୟ ଟାସ୍କଫୋର୍ସ ଗଠନ ହେବା ସହ ଏହାର ପ୍ରଥମ ବୈଠକ ଜିଲାପାଳ ଅନୁପମ ସାହାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି ଟାସ୍କଫୋର୍ସରେ ଅଧ୍ୟକ୍ଷ ଭାବେ ଜିଲ୍ଲାପାଳ ରହିଥିବାବେଳେ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଏବଂ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଯଥାକ୍ରମେ ଆବାହକ ଏବଂ ସହ-ଆବାହକ ଭାବେ ରହିବେ । ଅନ୍ୟ ସଭ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ, ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ, ଚାଇଲ୍ଡଲାଇନର ସଦସ୍ୟ ଓ ବେସରକାରୀ ଅନୁଷ୍ଠାନର ସଭ୍ୟ ରହିଛନ୍ତି । ଜିଲ୍ଲାରେ ବାଲ୍ୟ ବିବାହର ସ୍ଥିତ ଏବଂ ତାହାର କାରଣ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା । ଏହା ଦ୍ୱାରା କିଶୋରୀ ଅନ୍ତଃସତ୍ତା, କମ୍ ଓଜନର ଛୁଆ ଜନ୍ମହେବା, ଅପପୃଷ୍ଟି, ରକ୍ତହିନତା ଇତ୍ୟାଦି ରୋଗରେ ପିଢିତ ହେବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ଜିଲ୍ଲାସ୍ତରୀୟ ଟାସ୍କଫୋର୍ସର ପ୍ରମୁଖ କାର୍ଯ୍ୟଗୁଡିକ ହେଲା ଜିଲ୍ଲାସ୍ତରୀୟ କାର୍ଯ୍ୟ ଖସଡା ପ୍ରସ୍ତୁତ କରିବା, ବିଭିନ୍ନ ବିଭାଗ ଗୁଡିକୁ ଜଡିତ କରାଇବା, ଲୋକମାନଙ୍କ ପାଇଁ ବ୍ୟାପକ ସଚେତନତା ସୃଷ୍ଟି କରିବା, ହେବାକୁ ଥିବା ବାଲ୍ୟବିବାହକୁ କିପରି ବନ୍ଦ କରାଯିବ ତାହା ଉପରେ ଯୋଜନା ପ୍ରସ୍ତୁତ କରିବା, ଉଦ୍ଦାର ହୋଇଥିବା ଝିଅ ପାଇଁ ଆବଶ୍ୟକ ଥଇଥାନ ବ୍ୟବସ୍ଥା କରିବା ଏବଂ ଦୋଷୀଙ୍କ ବିରୁଦ୍ଧରେ ଆବଶ୍ୟକ ଆଇନତଃ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆଦି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ପଞ୍ଚାୟତ ସମିତି ଏବଂ ପଞ୍ଚାୟତ ମାନଙ୍କରେ କିପରି ଯଥାଶୀଘ୍ର ଟାସ୍କଫୋର୍ସ ଗଠନ କରାଯିବ ତାହା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିବା ସହ ବାଲ୍ୟ ବିବାହ ଉପରେ ଜିଲ୍ଲାର ସ୍ଥିତ ପାଇଁ ଏକ ନମୁନା ସର୍ଭେ କରିବା ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶଥିଲା । ଆଗାମୀ ଦିନରେ ପ୍ରତି ଗ୍ରାମକୁ କିପରି ବାଲ୍ୟ ବିବାହ ମୁକ୍ତ ଗ୍ରାମ ଭାବେ ଘୋଷଣା କରାଯିବ ତାହା ଉପରେ ଆଲୋଚନା କରି ବ୍ୟାପକ ଖସଡା ପ୍ରସ୍ତୁତ କରାଯାଇଥିଲା । ଏହି ବୈଠକରେ ଉପ-ଆରକ୍ଷୀ ଅଧିକ୍ଷକ ସୀତାରାମ ଶତପଥି, ଆଇଟିଡିଏର ପ୍ରକଳ୍ପ ପ୍ରଶାସକ ସରୋଜ ବେହେରା, ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ, ମିଶନ ଶକ୍ତିର ଜିଲ୍ଲା ପ୍ରକଳ୍ପ ସଂଯୋଜକ ରଶ୍ମି ରଞ୍ଜନ ସେଠି, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ମିନତି ଦେଇ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ, ୟୁଏନ୍‌ଏଫପିଏର ଜିଲ୍ଲା ପ୍ରତିନିଧି ସଂଯୁକ୍ତା ତ୍ରିପାଠୀ ପ୍ରମୁଖଙ୍କ ସମେତ “ଆକ୍ସନ ଏଇଡ” ସ୍ୱେଚ୍ଛାସେବୀ ଅନୁଷ୍ଠାନର ପ୍ରତିନିଧି ପ୍ରବୋଧ ନାୟକ ପ୍ରମୁଖ ଉପସ୍ଥିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ