ଗଜପତିରେ ଭେଜାଲ ଖାଦ୍ୟ ଦ୍ରବ୍ୟ ବିକ୍ରିକୁ ରୋକ ପାଇଁ ପ୍ରଶାସନର ସଚେତନତା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାରେ ଖାଦ୍ୟ ନିରାପତ୍ତା ଓ ଭେଜାଲ ଖାଦ୍ୟ ବିକ୍ରିକୁ ରୋକ ଲଗାଇବା ପାଇଁ ପ୍ରଶାସନ ତରଫରୁ ବ୍ୟାପକ ପ୍ରଚାର ପ୍ରସାର କରାଯାଉଥିବାର ଦେଖିବାକୁ ମିଳୁଛି । ସମଗ୍ର ଜିଲ୍ଲାରେ ବିଭିନ୍ନ ଭେଜାଲ ଖାଦ୍ୟ ସାମଗ୍ରୀ ବିକ୍ରି କରି ଚାଲିଥିବା ଦୋକାନୀ, ହୋଟେଲ, ରେଷ୍ଟୁରାଣ୍ଟ, କେଟ୍‌ରିଙ୍ଗ, ହୋଲସେଲ୍‌, ରିଟେଲର, ଡିଷ୍ଟିରବ୍ୟୁଟର, ମିଲର, କାଜୁ କାରଖାନା, ପାଣି ପ୍ରସ୍ତୁତି, ବରଫ ପ୍ରସ୍ତୁତି, ଆଇସ୍କିମ୍ ପ୍ରସ୍ତୁତି କରୁଥିବା କାରଖାନା ମାନଙ୍କୁ ସଜାଗ ହେବାକୁ କୁହାଯାଇଛି । ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର, କାଶୀନଗର ବିଜ୍ଞାପିତ ଅଞ୍ଚଳ, ବ୍ଲକ ଆଦିରେ ଥିବା ଉଲ୍ଲେଖିତ ଦୋକାନ, ହୋଟେଲ, କାରଖାନା ଗୁଡିକ ଛତୁ ଫୁଟିବା ଭଳି ଖୋଲାଯାଇଛି । ଏଣିକି ସେମାନେ ରେଜିଷ୍ଟ୍ରେସନ ବା ପଞ୍ଜିକରଣ କରିବାକୁ ବାଧ୍ୟ ଏବଂ ଏହା ନକଲେ ସେମାନଙ୍କ ବିରୁଦ୍ଧରେ ଖାଦ୍ୟ ନିରାପତ୍ତା ଆଇନ୍ ଅନ୍ତର୍ଗତ ସେକ୍‌ସନ୍ ୬୩ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି । ସେହିପରି ସମସ୍ତ ଖାଦ୍ୟ ବ୍ୟବସାୟୀ ମାନଙ୍କୁ ପରାମର୍ଶ ଦିଆଯାଇଛି ଯେ, ସେମାନେ ବିକ୍ରି କରୁଥିବା ସମସ୍ତ ଖାଦ୍ୟ ସାମଗ୍ରୀକୁ ପରିଷ୍କାର ପରିଚ୍ଛନ୍ନ ରଖି ଗ୍ରାହକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବେ । ଅନ୍ୟପକ୍ଷରେ ସମସ୍ତ ବ୍ୟବସାୟୀ ଓ ଉପଭୋକ୍ତାଙ୍କୁ ସଚେତନତା କରାଯାଉଛି ଯେ, ପାଣି ବତଲ ବା ଜାର ଯେଉଁଥିରେ ଆଇଏସ୍‌ଆଇ ମାର୍କ, ପ୍ରସ୍ତୁତି ତାରିଖ, ଏଫ୍‌ଏସ୍‌ଏସ୍‌ଆଇ ଲାଇସେନ୍ସ, ବ୍ୟବାହରିକ ସୂଚନା ଆଦି ଲେଖାଥିବାର ପାଣି ବିକ୍ରି କରିବେ ଏବଂ ଉପଭୋକ୍ତାମାନେ ଏହାହିଁ କ୍ରୟ କରିବାପାଇଁ ପରାମର୍ଶ ଦିଆଯାଉଛି । ଦୋକାନୀ ବା ବ୍ୟବସାୟୀ ଏଣିକି ବିନା ଲାଇସେନ୍ସରେ ଆଉ ଦୋକାନ କରିପାରିବେ ନାହିଁ । ଏଣୁ ଲାଇସେନ୍ସ ଆବେଦନ କରିବା ନିମନ୍ତେ ଅନଲାଇନ ମାଧ୍ୟମରେ ପଞ୍ଜୀକୃତ କରିବାପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆଜି ଏନେଇ ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୌରପରିଷଦ ପକ୍ଷରୁ ଡାକବାଜିଯନ୍ତ୍ର, ପ୍ରଚାର ପ୍ରସାର ପତ୍ର ଆଦି ମାଧ୍ୟମରେ ଜନସାଧାରଣଙ୍କୁ ଅବଗତ କରାଯାଉଥିବାର ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ