ଗଜପତିରେ ମିଲରଙ୍କ ମନମୁଖୀ ଧାନ ବିକ୍ରି କରିପାରୁନାହାଁନ୍ତି କାଶୀନଗର ଚାଷୀ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): କାଶୀନଗର ବ୍ଲକର ଚାଷୀମାନେ ମିଲରମାନଙ୍କ ମନମୁଖୀ କାରବାର ଯୋଗୁଁ ଧାନ ବିକ୍ରି ନ କରିପାରି ନାହିଁ ନ ଥିବା ଅସୁବିଧାର ସମୁଖୀନ ହେଉଥିବା ନେଇ ଅଭିଯୋଗ କରିଛନ୍ତି । ଏନେଇ କାଶୀନଗର ବିଡିଓ ସୀମାଞ୍ଚଳ ମହାନ୍ତିଙ୍କ ଜରିଆରେ ଗଜପତି ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଏ ସମୟରେ ମିଲରଙ୍କ ମନମୁଖୀ କାରବାର ସମ୍ପର୍କରେ ଜଣାଇବା ସହ ଅସନ୍ତୋଷ ପ୍ରକାଶ କରିଛନ୍ତି । ମିଲରମାନେ ସଙ୍ଘ କରି ଚାଷୀଙ୍କୁ ଧାନ କମ୍ ମୁଲ୍ୟ ପ୍ରଦାନ କରିବା ସହ ନିଜ ଇଛା ଅନୁସାରେ ଧାନ କିଣୁଛନ୍ତି । ଫଳରେ ଚାଷୀମାନେ ଧାନକୁ ଖରା ଓ ଶୀତରେ ଖୋଲା ଆକାଶ ତଳେ ମଣ୍ଡି ସମ୍ମୁଖରେ ବିକ୍ରି ଅପେକ୍ଷାରେ ଜଗି ରହିବାକୁ ବାଧ୍ୟ ହେଉଛନ୍ତି । ତେଣୁ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଚାଷୀଙ୍କ ସମସ୍ୟାର ସମାଧାନ କରିବା ଦାବିରେ ବଥବା ଅଞ୍ଚଳର ଚାଷୀମାନେ ଜିଲ୍ଲା ରୟତ ସଙ୍ଘ ସଭାପତି ପ୍ରଶାନ୍ତ ମିଶ୍ରଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ କାଶୀନଗର ବିଡିଓଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ତେବେ ତୁରନ୍ତ ଏହାର ସମାଧାନ ନହେଲେ ଆଗାମୀ ଦିନରେ ଚାଷୀମାନେ ରାଜରାସ୍ତାକୁ ଆସି ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।


