ଗଜପତିରେ ସମ୍ଭାବ୍ୟ ବନ୍ୟା ରୋକିବାକୁ ବନ୍ୟାଜଳ ନିଷ୍କାସନ ଚାଲିଛି
ପାରହଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗୁଲାବ ପ୍ରଭାବରେ ଆଜକୁ ୩ ଦିନ ହେଲା ଲଗାତର ବର୍ଷା ଜାରି ରହିଛି । ଗଜପତି ଜିଲ୍ଲା ସମେତ ରାୟଗଡ ଜିଲ୍ଲା ଅଞ୍ଚଳରେ ଏହି ବର୍ଷା ଜାରି ରହିଛି । ଏଥି ଯୋଗୁଁ ବଂଶଧାରା ନଦୀରେ ଜଳସ୍ତର ବଢିବାରେ ଲାଗିଛି । ଗଜପତି ଜିଲ୍ଲାର କାଶୀନଗର ବ୍ଲକ ଅଞ୍ଚଳରେ ପ୍ରବାହିତ ହେଉଥିବା ଏହି ବଂଶଧାରା ନଦୀର ବିପଦ ସଙ୍କେତ ପାଖାପାଖି ଜଳ ପ୍ରବାହିତ ହେଉଛି । କାଶୀନଗର ଠାରେ ବଂଶଧାରା ନଦୀରେ ୫୪.୧୦ ମିଟର ବିପଦ ସଙ୍କେତ ରହିଥିବା ବେଳେ ଆଜି ବନ୍ୟାଜଳ ୫୩ମିଟର ତଳେ ପ୍ରବାହିତ ହେଉଛି । ଏହାକୁ ଦୃଷ୍ଟିରେ ରଖି ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା କାଶୀନଗର ଠାରେ ପହଞ୍ଚ ପରିସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରିବା ସହ ଏକ ସ୍ୱତନ୍ତ୍ର ଟିମ୍କୁ ସେଠାରେ ସଜାଗ ରଖିଛନ୍ତି । ଏହା ପରେ ଆନ୍ଧ୍ର ପ୍ରଦେଶର ହିରମଣ୍ଡଳମ ଠାରେ ଥିବା ଗୋଟା ବ୍ୟାରେଜ ଜଳପ୍ରକଳ୍ପ ଅଞ୍ଚଳକୁ ଯାଇ ସେଠାରେ ଅନୁଧ୍୍ୟନ କରିବା ସହ ଗଜପତିର କାଶୀନଗର ବ୍ଲକ ଅଞ୍ଚଳ ଏବଂ ରାୟଗଡ ଜିଲ୍ଲାର ଗୁଣପୁର ଅଞ୍ଚଳରେ ସାମ୍ବାବ୍ୟ ବନ୍ୟାକୁ ରୋକିବା ପାଇଁ ଆନ୍ଧ୍ର ଅଧିକାରୀଙ୍କ ସହ ଆଲୋଚନା କରି ଆନ୍ଧ୍ର ପ୍ରକଳ୍ପର ସମସ୍ତ ଗ୍ୟାଟ ଗୁଡିକୁ ଖୋଲା ରଖିବା ପାଇଁ ଗଜପତି ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ପରାମର୍ଶକ୍ରମେ ଆନ୍ଧ୍ର ଆଧିକାରୀମାନେ ପ୍ରକଳ୍ପର ସମସ୍ତ ଗେଟ୍ ଖୋଲି ବନ୍ୟାଜଳ ନିଷ୍କାସନ କରିଥିଲେ । ସୂଚନା ଯୋଗ୍ୟ ଯେ ଆନ୍ଧ୍ର ପ୍ରଦେଶର ଏହି ଗୋଟା ବ୍ୟାରେଜର ୨୨ଗୋଟି ଗେଟ ରହିଛି । ଯଦି ଏହାକୁ ବନ୍ଦ କରିଦିଆଯାଏ ତେବେ ଓଡିଶା ତଥା କାଶୀନଗର ଓ ଗୁଣପୁର ଅଞ୍ଚଳରେ ବନ୍ୟା ପରିସ୍ଥିତି ଉପୁଜିବା ଆଶଙ୍କା ଦେଖାଦେଇଥାଏ । ତେଣୁ ଜିଲ୍ଲାପାଳ ଶ୍ରୀପଣ୍ଡା ଖୋଦ୍ ଆନ୍ଧ୍ରର ଗୋଟା ବ୍ୟାରେଜକୁ ଯାଇ ସେଠାକାର ବରିଷ୍ଠ ଯନ୍ତ୍ରୀ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ସହ ଆଲୋଚନା କରି ସମସ୍ତ ଗେଟ୍କୁ ଖୋଲି ଆନ୍ଧ୍ର ପ୍ରକଳ୍ପରେ ଗଚ୍ଛିତ ଥିବା ଜଳକୁ ନିଷ୍କାସନ କରି ସାମ୍ଭାବ୍ୟ ବନ୍ୟାକୁ ରୋକି ପାରିଛନ୍ତି । ଜିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ ଆନ୍ଧ୍ରର ପୁରୁଣାପାଟଣା ବିଧାୟିକା ରେଡ୍ଡି ଶାନ୍ତି, ଓଡିଶାର ଜଳସମ୍ପଦ ବିଭାଗର କର୍ମଚାରୀ ଓ ଆନ୍ଧ୍ରର ଜଳସମ୍ପଦ ଅଧିକାରୀମାନେ ଉପସ୍ଥିତ ଥିଲେ ।


