ଗଜପତିରେ ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲାରେ ୧୩୩ଗୋଟି ଆଶ୍ରୟସ୍ଥଳୀ ଖୋଲାଗଲା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ସାମ୍ଭାବ୍ୟ ଜୱାଦ ବାତ୍ୟାକୁ ନେଇ ବଶେ ତତ୍ପରତା ପ୍ରକାଶ କରିଛନ୍ତି । ସମଗ୍ର ଜିଲ୍ଲାରେ ଜନସାଧାରଣଙ୍କୁ ସୁରକ୍ଷା ଦେବା ପାଇଁ ରେଡ୍ ଆଲାର୍ଟ ଜାରି କରିବା ସହ ପ୍ରଶାସନକୁ ସମ୍ପୁର୍ଣ୍ଣ ସଜାଗ ରଖିଛନ୍ତି । ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ପ୍ରତ୍ୟକ୍ଷ ଭାବେ ଜିଲ୍ଲାର ବିଭିନ୍ନ ଅଞ୍ଚଳ ବାରମ୍ବାର ଗ୍ରସ୍ତ କରି ଜନସାଧାରଣଙ୍କ ସୁରକ୍ଷା ପାଇଁ ସମସ୍ତ ପଦାଧିକାରୀମାନଙ୍କୁ ନିର୍ଦ୍ଦେସ ଦେବା ସହ ପ୍ରତ୍ୟେକ କାର୍ଯ୍ୟ ନିଜସ୍ୱ ତତ୍ୱାବଧାନରେ ଜାରି ରଖିଛନ୍ତି । ଖବର ଲେଖିବା ସମୟ ସୁଦ୍ଧା ଗଜପତି ଜିଲ୍ଲାର ରାୟଗଡା, ମୋହନା, ଗୁମ୍ମା, କାଶୀନଗର, ନୁଆଗଡ, ଆର.ଉଦୟଗିରି ଆଦି ବ୍ଲକରୁ ୭୧ଜଣ ଗର୍ଭବତୀ ମହିଳାଙ୍କୁ ସାମ୍ଭାବ୍ୟ ଜୱାଦ ବାତ୍ୟାରୁ ସୁରକ୍ଷା ଦେବା ପାଇଁ ବିଭିନ୍ନ ସ୍ଥାନରେ ରହିଥିବା ମାଁ ଗୃହକୁ ସ୍ଥାନାନ୍ତର କରାଯାଇଛି । ଏମାନଙ୍କୁ ମାଁ ଗୃହରେ ସମସ୍ତ ପ୍ରକାର ଡାକ୍ତରୀ ସେବା ସୁବିଧା, ଔଷଧପତ୍ର, ପୁଷ୍ଟିକର ଖାଦ୍ୟ ବ୍ୟବସ୍ଥା ଆଦି ଦ୍ୱାରା ଗର୍ଭବତୀ ମହିଳାମାନଙ୍କୁ ସୁରକ୍ଷିତ ରଖାଯାଇ ପାରିଛି । ସମଗ୍ର ଜିଲ୍ଲାରେ ରହିଥିବା ୭ଗୋଟି ବ୍ଲକ ଯଥା,ଗୋଷାଣୀରେ ୩୪ଗୋଟି,ଗୁମ୍ମା ବ୍ଲକରେ ୨୦,କାଶୀନଗର ବ୍ଲକରେ ୨୪,ମୋହନା ବ୍ଲକରେ ୮, ନୁଆଗଡ ବ୍ଲକରେ ୩, ରାୟଗଡା ବ୍ଲକରେ ୨୧ ଏବଂ ଆର.ଉଦୟଗିରି ବ୍ଲକରେ ୨୩ଗୋଟି ଆଶ୍ରୟସ୍ଥଳୀକୁ ମିସାଇ ସମଗ୍ର ଜିଲ୍ଲାରେ ୧୩୩ଗୋଟି ଆଶ୍ରୟସ୍ଥଳୀ ଖୋଲାଯାଇଛି । ଖବର ଲେଖିବା ସୁଦ୍ଧା ବାତ୍ୟାର ସେପରି କୌଣସି ପ୍ରଭାବ ଗଜପତି ଜିଲ୍ଲାରେ ଦେଖାଦେଇ ନାହିଁ ହେଲେ ସମଗ୍ର ଜିଲ୍ଲାରେ କୋହଲା ପାଗ ସହ ଝିପିଝିପି ବର୍ଷା ଲାଗିରହିଛି । ଏଥି ପୂର୍ବରୁ ଗଜପତି ଜିଲ୍ଲାରେ ସଂଗଠିତ ହୁଡୁହୁଡୁ ଓ ତିତିଲି ବାତ୍ୟା ଦ୍ୱାରା ଲୋକଙ୍କ ବହୁ କ୍ଷୟକ୍ଷତି ଘଟିଥିଲା । ଚଳିତ ବାତ୍ୟାକୁ ନେଇ ମଧ୍ୟ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି । ଗଜପତି ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହର ସମେତ ସମଗ୍ର ଜିଲ୍ଲାରେ ରାସ୍ତାଘାଟ ଶୁନଶାନ ହୋଇପଡିଥିବା ଲକ୍ଷ କରାଯାଇଛି । ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ସାଧାରଣଙ୍କୁ ନିବେଦନ କରିଛନ୍ତି, ସାମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପ୍ରଶାସନ ସମ୍ପୁର୍ଣ୍ଣ ଭାବେ ସଜାଗ ରହିଛି । ଏଥିରେ ଭୟଭିତ ହେବା ପରିବର୍ତ୍ତେ ପ୍ରଶାସନକୁ ବାତ୍ୟାର ମୁକାବିଲା ପାଇଁ ସାଧାରଣ ସହେଯାଗ କରିବା ପାଇଁ ନିବେଦନ କରିଛନ୍ତି । ଗତ କିଛି ଦିନର ଲଗାତର ବର୍ଷା ଓ ବାତ୍ୟାର ପ୍ରଭାବରେ ଗଜପତି ଜିଲ୍ଲାର ଧାନ କ୍ଷେତରେ ପାଚିଲା ଧାନ ପାଣି ଭିତରେ ବୁଡି ରହିଛି । ଅନେକ ସ୍ଥାନରେ ପାଚିଲା ଧାନରୁ ଗଜା ବାହାରିଛି । ଏପରି ସ୍ଥଳେ ପୁଣି ଏହି ସାମ୍ଭାବ୍ୟ ଜୱାଦ ବାତ୍ୟା ନେଇ ଚାଷୀକୁଳ ଆହୁରି ଆତଙ୍କିତ ହୋଇ ପଡିଛନ୍ତି ।


