ଗଜପତିରେ ୨କୋଟି ଟଙ୍କାର ଗଞ୍ଜେଇ ଜବତ, ୩ ଗିରଫ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା)-ଗଜପତି ଜିଲ୍ଲାରୁ ରାଜ୍ୟ ବାହାରକୁ ୨କୋଟି ଟଙ୍କାର ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ ଚଢାଉ କରି ଜବତ କରିଛି । ଏହି ଘଟଣାରେ ଗଜପତି ପୋଲିସ ୩ଜଣଙ୍କୁ ଗିରଫ କରିଥିବା ବେଳେ ଚୋରା ଚାଲାଣରେ ବ୍ୟବହୃତ ୨ଗୋଟି ଗାଡିକୁ ଜବତ କରିଛନ୍ତି । ଘଟଣାରୁ ପ୍ରକାଶ ଗତକାଲି ଗଜପତି ଜିଲ୍ଲାର ମୋହନା ଓ ଅଡବା ପୋଲିସ ୨ଗୋଟି ସ୍ଥାନରେ ପୃଥକ ପୃଥକ ଭାବେ ଚଢାଉ କରି ରାଜ୍ୟ ବାହାରକୁ ଚୋରା ଚାଲାଣ କରାଯାଉଥିବା ୧୮୮ କିଲୋ ଗଞ୍ଜେଇକୁ ଜବତ କରିବା ସହ ୩ଜଣଙ୍କୁ ଗିରଫ କରିଛନ୍ତି । ଗଜପତି ଜିଲ୍ଲା ଏସପି ସାରା ଶର୍ମାଙ୍କ ନିର୍ଦ୍ଦେଶ କ୍ରମେ ଗଜପତି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପୋଲିସ ପକ୍ଷରୁ ଯାନ ବାହନ ତନଖି,ରାତ୍ର ପେଟ୍ରୋଲିଂ ଏବଂ ବିଭିନ୍ନ ଟଢାଉ ଜାରି ରହିଛି । ଏହି ଚଢାଉ ଜାରି ରହିଥିବା ବେଳେ ଗତ କାଲି ଗଜପତି ଜିଲ୍ଲାର ମୋହନା ବ୍ଲକ ଅଠରନଳା ଗ୍ରାମ ନିକଟରେ ଏକ କମାଣ୍ଡରକୁ ପୋଲିସ ଚଢାଉ କରିଥିଲେ । ଏଥିରେ ୧୪୦କିଲୋ ଗଞ୍ଜେଇ ରାଜ୍ୟ ବାହାରକୁ ଚାଲାଣ ପାଇଁ ରଖାଯାଇ ଥିବା ପୋଲିସ ସ୍ପଷ୍ଟ ହୋଇଥିଲା । ଏହି ଘଟଣାରେ ପୋଲିସ ୧୪୦କିଲୋ ଗଞ୍ଜେଇ ସହ ଚୋରା ଚାଲାଣରେ ବ୍ୟବହୃତ କମାଣ୍ଡାରକୁ ଜବତ କରିବା ସହ ଜଗନ୍ନାଥ ସାହୁ ନାମକ ଜଣକୁ ଗିରଫ କରିଛନ୍ତି । ସେହିଭଳି ଗଜପତିର ଅଡବା ପୋଲିସ ଗୁଣ୍ଡିମା ଛକରେ ଯାନବାହନ ତନଖି ବେଳେ ଏକ କାର୍ରୁ ୪୮ କିଲୋ ଗଞ୍ଜେଇ ମିଳିଥିଲା ଏଥିରେ ଗଞ୍ଜେଇ ଓ ଚୋରା କାରବାରରେ ବ୍ୟବହୃତ କାର୍କୁ ପୋଲିସ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ଚନ୍ଦନ କୁମାର ଓ ସୟ କୁମାରକୁ ପୋଲିସ ଗିରଫ କରିଛି । ଏହି ୨ଜଣ ବିହାର ଓ ଉତ୍ତର ପ୍ରଦେଶର ବୋଲି ପୋଲିସ ସୂଚନା ଦେଇଛି । ୟୁପି ୧୬ ଏପି୬୦୫୨ ନମ୍ବର ବିଶିଷ୍ଟ ଇଣ୍ଡିଗୋ କାରଟି ଜବତ ହୋଇଛି । ଉତ୍ତର ପ୍ରଦେଶର ଏହି କାରଟି ବୋଲି ଜଣା ପଡିଛି । ସେହିପରି ଓଆର୦୭ ୦୫୮୦ ନମ୍ବର ବିଶିଷ୍ଟ କମାଣ୍ଡରଟି ଗଞ୍ଜାମ ଅଞ୍ଚଳର ବୋଲି ଜଣାପଡିଛି । ଗଜପତି ଜିଲ୍ଲାର ଗଞ୍ଜେଇର କିସମ ରାଜ୍ୟ ବାହାରର ଚୋରା ବଜାରରେ ବେଶ ଚାହିଦା ରହିଛି । ଗଞ୍ଜେଇ କିଲୋ ଚୋରା ବଜାରରେ ୫ରୁ୭ ହଜାର ଟଙ୍କାରେ ବିକ୍ରି ହେଉଛି । ଗଞ୍ଜେଇ ଚୋରା କାରବାରରେ ଗଜପତିରେ ଗଞ୍ଜେଇ କିଲୋ ୩ଶହରୁ ୫ଶହ ଟଙ୍କାରେ କିଣି ରାଜ୍ୟ ବାହାରେ ଚଢା ଦରରେ ବିକ୍ରି କରି ବେଶ ଲାଭବାନ ହେଉଥିବା ଯୋଗୁଁ ପ୍ରତ୍ୟେକ ଦିନ ଗଜପତି ଜିଲ୍ଲାର ବିବିନ୍ନ ଅଞ୍ଚଳରୁ ଏଭଳି ଭାବେ ଗଞ୍ଜେଇ ଚୋରାଚାଲାଣ ହେଉଛି । ଏହା ବିରୁଦ୍ଧରେ ପୋଲିସ ଓ ଅବକାରୀ ବିଭାଗ ମିଳିତ ଭାବେ ସୁଚିନ୍ତିତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ସାଧାରଣରେ ଦାବୀ ହୋଇଛି । ଏହି ଚଢାଉରେ ମୋହନା ଥାନା ଅଧିକାରୀ ସୁଜିତ ନାୟକ ଅଡବା ଥାନା ଅଧିକାରୀ ଅଜୟ ବାରିକଙ୍କ ସମେତ ଉଭୟ ଥାନାର ପୋଲିସ ଦଳ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ