ଗଜପତିରେ ୩ ଗ୍ରାମକୁ ପକା ରାସ୍ତା ନିର୍ମାଣ ଦାବି ନେଇ ରାଜରାସ୍ତା ଅବରୋଧ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ୩ଗୋଟି ଗ୍ରାମକୁ ଗ୍ରାମକୁ ପକା ରାସ୍ତା ଦାବି ନେଇ ଗଜପତି ଜିଲ୍ଲା ନୂଆଗଡ଼ ବ୍ଳକ ଖଜୁରୀପଦା ନିକଟସ୍ଥ ସର୍ଗିସାହି ଛକର ୩୨୬(ଏ) ରାଜରାସ୍ତାକୁ ଅବରୋଧ କରି ନିର୍ବାଚନ ପୂର୍ବରୁ ରାସ୍ତା ନିର୍ମାଣ ନ ହେଲେ ସମ୍ପୂକ୍ତ ଗ୍ରାମବାସୀମାନେ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି. ଆନ୍ଦୋଳନକାରୀମାନେ ମୁଖ୍ୟରାସ୍ତାର ଦୁଇ ପାଶ୍ୱର୍ରେ ବେଡ଼ ଦେଇ ଶତାଧିକ ଲୋକେ ରାସ୍ତା ଉପରେ ବସି ଅବରୋଧ କରିଥିବା ଯୋଗୁଁ ଆର.ଉଦୟଗିରି ଠାରୁ ପାରଳାଖେମୁଣ୍ଡି ଯାତାୟତ ଦୀର୍ଘ ସମୟ ଠପ ହୋଇଯାଇ ଥିଲା। ୩ଖଣ୍ଡ ଶତାଧିକ ଗ୍ରାମବାସୀ ସକାଳ ୭ ଘଣ୍ଟା ଠାରୁ ରାସ୍ତା ଅବରୋଧ କରିଥିବା ଯୋଗୁଁ ଯାନବାହାନ ଉଭୟ ପଟକୁ ଅଟକି ରହିଥିଲା। ଶାନ୍ତି ବଜାୟ ରଖିବାକୁ ଘଟଣା ସ୍ଥଳରେ ସେରଙ୍ଗ ଥାନା ଅଧିକାରୀ ନଳିନୀ କୁମାରୀ କାହ୍ନାର ଏବଂ ସ୍ଥାନୀୟ ଫାଣ୍ଡି ଅଧିକାରୀ ପ୍ରଫୁଲ୍ଲ ଜାଗାରାଙ୍ଗା ସଦଲ ବଳେ ଉପସ୍ଥିତ ରହିଥିଲେ। ଘଣ୍ଟା ଘଣ୍ଟା ରାସ୍ତା ରୋକ ହୋଇଥିବାରୁ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ(ଏଡିଏମ୍ ) ବିରେନ୍ଦ୍ର କୁମାର ଦାସ, ବ୍ଲକର ବିଭିନ୍ନ ବିଭାଗୀୟ ଅଧିକାରୀ ସମେତ ବିଡିଓ ଲୋକନାଥ ଶବର, ତହସିଲଦାର ପ୍ରଫୁଲ୍ଲ ଚନ୍ଦ୍ର ଡାକୁଆ ଲୋକ ମାନଙ୍କୁ ବୁଝା ସୁଝା କରିବା ପରେ ଅପରାହ୍ନ ୨ଘଣ୍ଟା ସମୟରେ ରାସ୍ତା ଉପରୁ ହଟିଥିଲେ ଲୋକେ। ବ୍ଲକର ଖଜୁରୀପଦା ଗ୍ରାମ ପଞ୍ଚାୟତ ଅଧିନରେ ଥିବା ସର୍ଗିସାହି, ରାଜାଆମ୍ବ ଓ ମାଣିକପୁର ଏହି ୩ ଖଣ୍ଡ ଗ୍ରାମକୁ ଆଜି ପର‌୍ୟ୍ୟନ୍ତ ପକା ରାସ୍ତା ନଥିବା ଯୋଗୁଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛୁ ବୋଲି ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ଗ୍ରାମବାସୀମାନେ ପ୍ରକାଶ କରି କହିଛନ୍ତି, ଶିକ୍ଷା,ସ୍ବାସ୍ଥ୍ୟ,ବାଣିଜ୍ୟ କାରବାରରେ ଏହି ଗ୍ରାମବାସୀ ଏହି ରାସ୍ତା ଉପରେ ନିର୍ଭର କରନ୍ତି। ବାରମ୍ବାର ପ୍ରଶାସନକୁ ଦାବି କଲେ ମଧ୍ୟ କେହି ଶୁଣୁନାହାନ୍ତି। ତେଣୁ ବାଧ୍ୟ ହୋଇ ଆଜି ରାସ୍ତା ଅବରୋଧ କରିଛୁ। ଯଦି ଏହି ରାସ୍ତା ଆଗାମୀ ନିର୍ବାଚନ ପୂର୍ବରୁ ପକା ରାସ୍ତା କରାନଗଲେ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି ୩ଖଣ୍ଡ ଗ୍ରାମବାସୀ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ