ଗଜପତିର କାଶୀନଗର ଠାରେ ରାଜ୍ୟରାଣୀ ଏକ୍ସପ୍ରେସର ରହଣି ପାଇଁ ଦାବି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା କାଶୀନଗର ଏନ୍‌ଏସିକୁ ଓଡିଶାର ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଗସ୍ତ ଅବସରରେ ରାଜ୍ୟରାଣୀ ଏକ୍ସପ୍ରେସର ସ୍ଥାନୀୟ ଷ୍ଟେସନରେ ରହଣି ନିଶ୍ଚିତ କରିବା ପାଇଁ ଏକ ଦାବୀପତ୍ର ଦିଆ ଯାଇଛି । ଜନସାଧାରଣଙ୍କ ତରଫରୁ ଏନ୍‌ଏସିର ପୂର୍ବତନ ଅଧ୍ୟକ୍ଷା ଏମ୍‌.ସୁଧାରାଣୀ ବିଜେଡିର ଟାଉନ୍ ସଭାପତି ରଘୁରାମ ସାହୁ କାଶୀନଗର ନାଗରିକ ମଞ୍ଚ ସଂପାଦକ କେ.ରାମାରାଓ, ବରିଷ୍ଠ ନାଗରିକ ଦେବୀ ପ୍ରସାଦ ମିଶ୍ର, ଆନନ୍ଦ ପାତ୍ର ପ୍ରମୁଖ ଏହି ଦାବି ପତ୍ର ଦେଇଛନ୍ତି । ଉକ୍ତ ପତ୍ର ଅନୁଯାୟୀ, ରାଜ ଶାସନ ଅମଳରୁ କାଶୀନଗର ଏକ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ହୋଇ ରହି ଆସିଛି । ରାଜ୍ୟରାଣୀ ଏକ୍ସପ୍ରେସ ଛଡା ଅନ୍ୟ ସବୁ ଅଟକୁଛି କାଶୀନଗର ଷ୍ଟେସନରେ । ଭୁବନେଶ୍ୱର ଓ ରାଉରକେଲା ଯିବା ପାଇଁ କାଶୀନଗର ଅଞ୍ଚଳବାସୀଙ୍କ ସହ ପଡୋଶୀ ଆନ୍ଧ୍ରର ଶ୍ରୀକାକୁଲମ ଜିଲ୍ଲା ଅନ୍ତର୍ଗତ ଦୁଇଟି ମଣ୍ଡଳବାସୀ ବି ରାଜ୍ୟରାଣୀ ଉପରେ ନିର୍ଭର କରିଥାନ୍ତି । ତେଣୁ ଉଲ୍ଲିଖିତ ଟ୍ରେନ୍‌ର ଏଠାରେ ରହଣି ନିଶ୍ଚିତ କରାଯିବାର ଆବଶ୍ୟକତା ରହିଛି । କେନ୍ଦ୍ର ରେଳମନ୍ତ୍ରୀଙ୍କ ସହ ଆଲୋଚନା କରି ଏ ଦିଗରେ ଅନୁକୂଳ ପଦକ୍ଷେପ ନେବା ପାଇଁ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ