ଗଜପତିର ଝିଅ ଜାହ୍ନବୀ ମିସ୍ ଇଣ୍ଡିଆ ୟୁନିଭର୍ସ-୨୦୨୧ରେ ପ୍ରଥମ ହେଲେ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ବଡଗୋଷାଣୀ ଗ୍ରାମ ପଞ୍ଚାୟତ ମହାଦେବୀପୁର ଗ୍ରାମର ଜାହ୍ନବୀ ଜେନା ମିସ୍ ଇଣ୍ଡିଆ ୟୁନିଭର୍ସ-୨୦୨୧ ଅନ୍ଲାଇନ୍ ପ୍ରତୀଯୋଗୀତାରେ ପ୍ରଥମ ହୋଇଥିବା ସୂଚନା ମିଳିିଛି । ଏହି ପ୍ରତିଯୋଗିତାରେ ସମଗ୍ର ଭାରତବର୍ଷରୁ ୫୬ଜଣ ଅଂଶ ଗ୍ରହଣ କରିଥିଲେ । ଏଥିରେ ବିଭିନ୍ନ ପ୍ରକାର ପ୍ରଶ୍ନ, ନୃତ୍ୟ, ଫଟୋ ସୁଟ୍, ର୍ୟାମ୍ପ ୱାକିଂ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଦେଶର ବଛା ବଛା ବିଚାରକ ମଣ୍ଡଳି ଉପସ୍ଥିତ ଥିଲେ । କୁମାରୀ ଜାହ୍ନବୀଙ୍କୁ ବିଚାରକ ମଣ୍ଡଳିଙ୍କ ବିଭିନ୍ନ ପ୍ରକାର ପ୍ରଶ୍ନଗୁଡିକର ସାମ୍ନା କରିବାକୁ ପଡିଥିଲେ ମଧ୍ୟ ସେ ସଠିକ ଉତ୍ତର ସଠିକ ସମୟରେ ପ୍ରଦାନ କରିବା ସହ ଓଡିଶାର ବିଖ୍ୟାତ ସମ୍ବଲପୁରୀ ନୃତ୍ୟ ଚିତ୍ତାକର୍ଷକ ଭାବେ ନୃତ୍ୟ ପରିବେଷଣ କରି ବିଚାରକମାନଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିଲେ । ଏହା ସଙ୍ଗେ ସଙ୍ଗେ ସମ୍ବଲପୁରୀ ଶାଢୀ ପରିଧାନ କରି ବିଭିନ୍ନ ରୂପରେ ସାଜ ସାଜ ହୋଇ ଫଟୋ ସୁଟ୍ ଦେଇଥିଲେ । ରାମ୍ପରେ ଚାଲିବାରେ ମଧ୍ୟ ସେ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ଏଥି ସହିତ ୨୦୧୯ ମସିହରେ ଭୁବନେଶ୍ୱର ସ୍ଥିତ ରବୀନ୍ଦ୍ର ମଣ୍ଡପ ଫେସନ୍ ସୋରେ ମଧ୍ୟ ବିଜେତା ସାଜିଥିଲେ । ରାଜ୍ୟସ୍ତରୀୟ ନୃତ୍ୟ, ଜିଲ୍ଲାସ୍ତରୀୟ ଚିତ୍ରକଳା ପ୍ରଦର୍ଶନ ଏବଂ ୨୦୨୦ ମସିହାରେ ମିସ୍ସ୍ୱା ଗତିକା-୨୦୨୦ ପ୍ରତିଯୋଗୀତାରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ଜହ୍ନବୀଙ୍କ ଏପରି ବିରଳ ପ୍ରତିଭା ସାରା ଭାରତବର୍ଷ ପାଇଁ ଗୌରବ ଆଣିଦେଇ ଥିବାବେଳେ ରାଜ୍ୟ ତଥା ଗଜପତି ଜିଲ୍ଲା ତଥା ଜାହ୍ନବୀଙ୍କ ନିଜ ଗ୍ରାମ ମହାଦେଇପରୁ ପାଇଁ ଗର୍ବ ଓ ଗୌରବ ଆଣିଦେଇଛି । ଏଥିଲାଗି ଜାହ୍ନବୀଙ୍କୁ ଦେଶର ବିଭିନ୍ନ ପ୍ରାନ୍ତରୁ ଶୁଭେଚ୍ଛାର ଶୁଅ ଛୁଟୁଥିବା ବେଳେ ଗଜପତି ଜିଲ୍ଲାର ବିଭିନ୍ନ ମହଲ ଓ ବ୍ୟକ୍ତିବିଶେଷମାନେ ମଧ୍ୟ ଶୁଭେଚ୍ଛା ଜଣାଉଛନ୍ତି । ସୂଚନାଯୋଗ୍ୟ ଯେ, ଜାହ୍ନବୀ ଜେନା ମହାଦେବୀପୁର ଗ୍ରାମର ସ୍ୱର୍ଗତ ହୃଷୀକାଶ ଜେନାଙ୍କ କନିଷ୍ଠ କନ୍ୟା ଅଟନ୍ତି । ତାଙ୍କ ମାଆ ଚ୍ୟୁତପ୍ରିୟା ଓଡିଶା ସରକାରଙ୍କ ଅଧିନସ୍ଥ ମୃତ୍ତିକା ସଂରକ୍ଷଣ ବିଭାଗରେ ମୁଖ୍ୟ କିରାଣୀ ପଦବୀରେ ପାରଳାଖେମୁଣ୍ଡି ଠାରେ କାର୍ଯ୍ୟରତ ଅଟନ୍ତି ଏବଂ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ହରିକୃଷ୍ଣ ଜେନା ଏବଂ କବି ଘନଶ୍ୟାମ ଜେନାଙ୍କ ନାତୁଣୀ ଅଟନ୍ତି । ଗ୍ରାମବାସୀ ଏହିଖବର ଜାଣିବାପରେ ଆନନ୍ଦ ପ୍ରକଟ କରିବା ସହ ସମଗ୍ର ଗ୍ରାମରେ ଖୁସିର ଲହରୀ ଖେଳିଯାଇଛି ।