ଗଜପତିର ଦୁଇ ସହରାଞ୍ଚଳରେ ରାଜନୀତୀ ଉସ୍ମତା ବୃଦ୍ଧି
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାର ଦୁଇଗୋଟି ସହରାଞ୍ଚଳ ଯଥା ପାରଳାଖେମୁଣ୍ଡି ପୌରପାଳିକା ଓ କାଶୀନଗର ଏନ୍ଏସିରେ ପୌରପାଳିକା ତଥା ଏନ୍ଏସି ନିର୍ବାଚନରେ ରାଜନୀତୀ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି । ନିର୍ବାଚନ ତାରିଖ ଯେତେ ପାଖ ହୋଇ ଆସୁଛି ରାଜନୀତୀ ସରଗରମ ସେତିକି ବୃଦ୍ଧି ପାଉଛି । ହେଲେ ଦୁଇ ଗୋଟି ସହରାଞ୍ଚଳରେ ବିଜେଡିର ପଲା ରହିଥିବାର ଚର୍ଚ୍ଚା ଜୋର୍ ଧରିଛି । ସଂପ୍ରତି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ତଥା ଗ୍ରାମାଞ୍ଚଳରେ ବିଜେଡି ଅଧିକ ଶକ୍ତିଶାଳୀ ଦଳ ଭାବେ ଉଭା ହୋଇଛି । ସମସ୍ତ ୭ଗୋଟି ବ୍ଲକ ଅଧ୍ୟକ୍ଷ ପଦବୀ ଏବଂ ଜିଲ୍ଲାପରିଷଦ ଅଧ୍ୟକ୍ଷ ଭାବେ ବିଜେଡି ବାଜିମାରି ନେଇଛି । ଏହି ଆତ୍ମ ବିଶ୍ୱାସ ସହ ବିଜେଡି ଦୁଇଟି ସହରାଞ୍ଚଳରେ ନିର୍ବାଚନ ଲଢୁଥିବା ବେଳେ କାଶୀନଗର ଏନ୍ଏସିରେ ବିଜେଡି ଓ ବିଜେପି ମଧ୍ୟରେ ସିଧାସଳଖ ଟକ୍କର ହେବ । ଏଠାରେ କଂଗ୍ରେସ ଦଳର ଅଧ୍ୟକ୍ଷା ପଦବୀରେ କେହି ପ୍ରାର୍ଥୀନୀ ନାହାନ୍ତି । ସେହିପରି ୧୩ଗୋଟି ୱାର୍ଡ ମଧ୍ୟରୁ ୪ଗୋଟି ୱାର୍ଡରେ ବିଜେଡି ଅପ୍ରତିଦ୍ୱନ୍ଦୀ ରହିଛି । ଅବଶିଷ୍ଠ ୯ଗୋଟି ୱାର୍ଡ ମଧ୍ୟରୁ ୧ନମ୍ବର ୱାର୍ଡରେ କେବଳ ବିଜେଡି-ବିଜେପି ପ୍ରାର୍ଥୀ, ୨ନମ୍ବର ୱାର୍ଡରେ ବିଜେଡି-ବିଜେପି-କଂଗ୍ରେସ ମଧ୍ୟରେ ତ୍ରିମୁଖୀ ଲଢେଇ, ୩ନମ୍ବର ୱାର୍ଡରେ କେବଳ ବିଜେଡି-ବିଜେପି, ୪ନମ୍ବର ୱାର୍ଡରେ ବିଜେଡି ଅପ୍ରତିଦ୍ୱନ୍ଦୀ, ୫ନମ୍ବର ୱାର୍ଡରେ କେବଳ ବିଜେଡି-କଂଗ୍ରେସ, ୬ ନମ୍ବର ୱାର୍ଡରେ କେବଳବିଜେଡି-ବିଜେପି, ୭ନମ୍ବର ୱାର୍ଡରେ କେବଳ ବିଜେଡି-ବିଜେପି, ୮ୱାର୍ଡରେ ବିଜେଡି-ବିଜେପି, ୯ ଓ ୧୦ ୱାର୍ଡରେ ବିଜେଡି ଅପ୍ରତିଦ୍ୱନ୍ଦୀ, ୧୧ ୱାର୍ଡରେ କେବଳ ବିଜେଡି-ବିଜେପି, ୧୨ ୱାର୍ଡରେ ବିଜେଡି ଅପ୍ରତିଦ୍ୱନ୍ଦୀ ଏବଂ ୧୩ନମ୍ବର ୱାର୍ଡରେ ବିଜେଡି-ବିଜେପି ମଧ୍ୟରେ ସିଧାସଳଖ ଲଢେଇ ହେବ । କେବଳ ୨ ଓ ୫ନମ୍ବର ୱାର୍ଡରେ ୨ଟି ପ୍ରାର୍ଥୀ ଦେଇଛି କଂଗ୍ରେସ । ସେହିପରି ବିଜେପି କେବଳ ୨ନମ୍ବର ୱାର୍ଡରେ ପ୍ରାର୍ଥୀ ଦେଇପାରିନଥିବା ବେଳେ ଅବଶିଷ୍ଟ ୮ଗୋଟି ୱାର୍ଡରେ ବିଜେଡିକୁ ଟକ୍କର ଦେବାପାଇଁ ଅଣ୍ଟା ଭିଡିଛି । ହେଲେ ପଞ୍ଚାୟତ ନିର୍ବାଚନ ଫଳାଫଳକୁ ଦେଖିଲେ କାଶୀନଗର ବ୍ଲକରେ ବିଜେଡି ଅଭୂତପୂର୍ବ ସଫଳତା ହାସଲ କରିଥିବା ବେଳେ ନବନିର୍ବାଚିତ ଜିଲ୍ଲାପରିଷଦ ଅଧ୍ୟକ୍ଷ ଜି.ତିରୁପତି ରାଓ ଏହି ବ୍ଲକର ଅଟନ୍ତି । ତେଣୁ ଏଠାରେ ବିଜେଡି ଏନ୍ଏସି ଅଧ୍ୟକ୍ଷା ପଦବୀ ରେ ଏମ୍.ସୁଧାରାଣୀ ବାଜିମାରିନେବେ ବୋଲି ଆଲୋଚନା ହେଉଛି । କାରଣ ସୁଧାରାଣୀଙ୍କ ପୂର୍ବରୁ ରାଜନୈତିକ ଅଭିଜ୍ଞତା ରହିଥିବା ବେଳେ ବିଜେଡିର ଆଗଧାଡିର ନେତ୍ରୀ ଅଟନ୍ତି । ଏହା ସହ କାଉନସିଲର ପ୍ରାର୍ଥୀ ମଧ୍ୟରେ ୧୩ ୱାର୍ଡରୁ ୪ଗୋଟିରେ ଅପ୍ରତିଦ୍ୱନ୍ଦୀ ଥିବାବେଳେ ଅନ୍ୟ ୯ରୁ ୭ଟି ୱାର୍ଡରେ ବାଜି ମାରି ନେବ ବୋଲି ଚର୍ଚ୍ଚା ହେଉଛି । ସେହିପରି ପାରଳାଖେମୁଣ୍ଡି ପୌରପରିଷଦରେ ପ୍ରମୁଖ ତିନି ଦଳ ମଧ୍ୟରୁ ବିଜେଡି ପ୍ରାର୍ଥୀନୀ ନିର୍ମଳା ସେଠୀଙ୍କ ପ୍ରଚାର ପ୍ରସାର ଯୋର ଧରିଛି । ତାଙ୍କର ରାଜନୈତିକ ଅଭିଜ୍ଞତା ନଥିଲେ ମଧ୍ୟ ଜଣେ ଉଚ୍ଚ ଶିକ୍ଷିତା ଏବଂ ଦଳୀୟ ନେତୃବୃନ୍ଦଙ୍କ ଭରପୁର ସମର୍ଥନ ସହ ବିଜେଡି ହାୱା ସୁହାଇବ ବୋଲି ଆଲୋଚନା ହେଉଛି । ଅପରପକ୍ଷରେ କଂଗ୍ରେସର ବିଭିନ୍ନ ପଦପଦବୀରେ ଥିବା ଯୁବ ନେତାଙ୍କ ଠାରୁ ଆରମ୍ଭ କରି ବରିଷ୍ଠନେତା ମାନେ ବିଜେଡିରେ ଯୋଗଦେଇ ସାରିଛନ୍ତି । ସେହିପରି ବିଜେପିର ଛାମୁଆନେତା ମାନେ ମଧ୍ୟ ବିଜେଡିରେ ଯୋଗ ଦେଇଛନ୍ତି । ଏଠାରେ ମୁଖ୍ୟତଃ ବିଜେଡି-ବିଜେପି ମଧ୍ୟରେ ସିଧାସଳଖ ଲଢେଇ ହେବ । ବିଜେପିର ମାମିମିଡି ରାଜେଶ୍ୱରୀଙ୍କ ରାଜନୈତିକ ଅଭିଜ୍ଞତା ନଥିଲେ ମଧ୍ୟ ବିଧାୟକ କେ.ନାରାୟଣ ରାଓ ଏବଂ ଦଳୀୟ ନେତୃବୃନ୍ଦଙ୍କ ଆକୁଣ୍ଠ ସମର୍ଥନ ଓ ମାର୍ଗଦର୍ଶନକୁ ଆଧାର କରି ନିର୍ବାଚନରେ ସଫଳତା ହାସଲ କରିବା ଲକ୍ଷ୍ୟ ରଖିଛନ୍ତି । କଂଗ୍ରେସର ଅଧ୍ୟକ୍ଷା ପ୍ରାର୍ଥୀନୀ ଖଗେଶ୍ୱରୀ ବେହେରାଙ୍କ ରାଜନୈତିକ ଅଭିଜ୍ଞତା ସହ ସାମାଜିକ ସେବାରେ ଅଭିଜ୍ଞତା ରଖିଥିଲେ ମଧ୍ୟ କଂଗ୍ରେସ ଦଳୀୟ ନେତୃବୃନ୍ଦର ଦେଖା ନାହିଁ । ଏପରିକି ପାରଳା ପୌରପାଳିକାରେ ସମସ୍ତ ୧୬ଟି ୱାର୍ଡ ମଧ୍ୟରେ ପ୍ରାର୍ଥୀ ଦେଇପାରିନାହିଁ । ଜଣେ ଦୁଇଟି ୱାର୍ଡରେ ପ୍ରତିଦ୍ୱନ୍ଦିତା କରୁଥିବା ବେଳେ କଂଗ୍ରେସର ଛାମୁଆ ନେତାମାନେ ସ୍ୱାଧୀନ ଭାବେ ପ୍ରତିଦ୍ୱନ୍ଦିତା କରୁଥିବାର ଜଣାପଡିଛି । ସେହିପରି ବିଜେପି ୱାର୍ଡ ନମ୍ବର ୫ଓ୬ରେ ପ୍ରାର୍ଥୀ ଦେଇପାରି ନଥିବା ବେଳେ ଅବଶିଷ୍ଠ ୱାର୍ଡରେ ପ୍ରାର୍ଥୀ ଦେଇଛି । ସମ୍ଭବତଃ କାଉସିଲର ପ୍ରତିଦ୍ୱନ୍ଦିତାରେ ମଧ୍ୟ ବିଜେଡି-ବିଜେପି ମଧ୍ୟରେ ଟକ୍କର ହେବ । ଏଥିରେ ମଧ୍ୟ ବିଜେଡି ଆଗୁଆ ରହିଛି ବୋଲି ବିଭିନ୍ନ ୱାର୍ଡ ବାସୀମାନେ କହିଛନ୍ତି । ଜିଲ୍ଲାର ଦୁଇଗୋଟି ସହରାଞ୍ଚଳରେ ମୁଖ୍ୟତଃ ବିଜେଡି-ବିଜେପି ମଧ୍ୟରେ ଟକ୍କର ହେବ ବୋଲି ଆଲୋଚନା ହେଉଥିବା ବେଳେ ଏଥିରେ ବିଜେଡିର ପଲା ଭାରି ରହିଛି ବୋଲି ଚର୍ଚ୍ଚା ଜୋର୍ଧରିଛି । ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଜିଲ୍ଲାର ଏହି ଦୁଇ ସହରାଞ୍ଚଳ ରହିଥିବା ବେଳେ ବିଧାୟକ ବିଜେପିର ଅଟନ୍ତି । ହେଲେ ପଞ୍ଚାୟତ ନିର୍ବାଚନ ପରେ ପରେ ବିଜେପି ଏବଂ କଂଗ୍ରେସ ଶିବିରକୁ ନୈରାଶ୍ୟ କରିଦେଇଥିବାର ଆଲୋଚନା ମଧ୍ୟ ହେଉଛି ।


