ଗଜପତିର ପାରଳା ଓ ଆର୍‌.ଉଦୟଗିରି ସବ୍‌ଜେଲ୍‌ରେ ୧୨ ଅନ୍ତେବାସୀ ପଜିଟିଭ୍

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଓ ଆର୍‌.ଉଦୟଗିରି ସବ୍‌ଜେଲରେ ବିଚାରଧିନ ଭାବେ ଥିବା ୧୨ ଅନ୍ତେବାସୀ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ପାରଳାଖେମୁଣ୍ଡି ଜେଲ ସୁପରିଟେଣ୍ଡେଣ୍ଟ ହନୁ ସେଠୀ ଜଣାଇଛନ୍ତି ଯେ, ବର୍ତ୍ତମାନ ପାରଳାଖେମୁଣ୍ଡି ଉପକାରାଗାରରେ ୨୬୦ଜଣ ଅନ୍ତେବାସୀ ରହୁଛନ୍ତି । ଏଥି ମଧ୍ୟରୁ ଚଳିତ ମାସ ୧ ତାରିଖ ଠାରୁ ୯ ତାରିଖ ମଧ୍ୟରେ ଏଠାରେ ବିଚାରଧିନ ଭାବେ ଥିବା ୬ଜଣ ଅନ୍ତେବାସୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କୁ ସବଜେଲ ପରିସରରେ ସ୍ୱତନ୍ତ୍ର ଭାବେ ସଂଘରୋଧ କେନ୍ଦ୍ରରେ ରଖାଯାଇଛି । ଜେଲ ଦାୟିତ୍ୱରେଥିବା ଡାକ୍ତରଙ୍କ ସହ ପାରଳାଖେମୁଣ୍ଡି ମୁଖ୍ୟ ଡାକ୍ତରଖାନାରୁ ପ୍ରତ୍ୟେକ ଦିନ ଡାକ୍ତରମାନେ ଏମାନଙ୍କୁ ଚିକିତ୍ସା ସହ ଆବଶ୍ୟକୀୟ ଔଷଧ ଯୋଗାଉଛନ୍ତି । ବର୍ତ୍ତମାନ ଏହି ୬ଜଣଙ୍କ ଅବସ୍ଥା ସମ୍ପୂର୍ଣ୍ଣ ଭାବେ ଠିକ୍ ରହିଛି । ସେହିପରି ଆର୍‌.ଉଦୟଗିରି ଉପକାରାଗାରର ଜେଲର ଦୋଳଗୋବିନ୍ଦ ବେହେରା ଜଣାଇଛନ୍ତି ଯେ, ବର୍ତ୍ତମାନ ଏଠାରେ ୫୫ଜଣ ବିଚାରଧିନ ଅନ୍ତେବାସୀ ରହୁଛନ୍ତି । ସମସ୍ତ ଅନ୍ତେବାସୀ ଏବଂ କର୍ମଚାରୀଙ୍କ ଆର୍‌ଟିପିସିଆର୍ ଓ ଆଣ୍ଟିଜେନ୍ ପରୀକ୍ଷା କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୬ଜଣ ବିଚାରାଧୀନ ଅନ୍ତେବାସୀଙ୍କ ରିପୋର୍ଟ ପଜିଟିଭ୍ ଗତକାଲି ଆସିଥିଲା । ପଜିଟିଭ୍ ରିପୋର୍ଟ ଆସିବା ପରେ ସେମାନଙ୍କ ପାଇଁ ଜେଲ୍ ଭିତରେ ସ୍ୱତନ୍ତ୍ର ଭାବେ ସଂଘରୋଧ ବ୍ୟବସ୍ଥା କରାଯାଇଛି । ପଜିଟିଭ୍ ଚିହ୍ନଟଙ୍କ ମଧ୍ୟରୁ ୫ଜଣ ଅଣଓଡିଆ ରହିଛନ୍ତି । ଦୁଇମାସ ତଳେ ଏମାନଙ୍କୁ ପାରଳାଖେମୁଣ୍ଡି କାରାଗାରରୁ ରା.ଉଦୟଗିରି ଉପକାରାଗାରକୁ ସ୍ଥାନାନ୍ତର କରାଯାଇଥିଲା । ଏହି ୬ଜଣଙ୍କୁ ଜେଲ ଦାୟିତ୍ୱରେଥିବା ଡାକ୍ତରଙ୍କ ସମେତ ଆର୍‌.ଉଦୟଗିରି ଡାକ୍ତରଖାନାର ଡାକ୍ତର ପ୍ରତ୍ୟେକ ଦିନ ଆବଶ୍ୟକୀୟ ଚିକିତ୍ସା ଓ ଔଷଧ ଆଦି ଯୋଗାଉଛନ୍ତି । ସମସ୍ତଙ୍କ ଅବସ୍ଥା ସ୍ଥିର ଥିବା ସେ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ