ଗଜପତିର ଯୁବତୀଙ୍କୁ ଦିଲ୍ଲୀରେ ବିକ୍ରି
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ଜଣେ ଯୁବତୀଙ୍କୁ ଦିଲ୍ଲୀରେ ବିକ୍ରି କରାଯାଇଥିବା ନେଇ ଏକ ସଙ୍ଗୀନ ମାମଲା ଗଜପତି ଜିଲ୍ଲାର ମୋହନା ଥାନାରେ ରୁଜୁ ହୋଇଥିବା ଜଣାଯାଇଛି.ଘଟଣାରୁ ପ୍ରକାଶ ଗଜପତି ଜିଲ୍ଲାର ମୋହନା ମୋହନା ବ୍ଲକ ମାଣିକପୁର ଗ୍ରାମର ପଞ୍ଚୁ ଶବରଙ୍କ ଝିଅଙ୍କୁ ଜଣେ ମହିଳା ବିଭିନ୍ନ ପ୍ରଲୋଭନ ଦ୍ୱାରା ପ୍ରଲୋଭିତ କରି ସୁଦୂର ଦିଲ୍ଲୀରେ ବିକ୍ରି କରିବା ସହ ଜୋରଜବରଦସ୍ତି ବିବାହ କରାଇ ଦେଇଛନ୍ତି. ଘଟଣା ନେଇ ମୋହନା ଥାନାର ପୋଲିସ ଅଧିକାରୀ ପ୍ରଶାନ୍ତ ନିଶକ ସୂଚନା ଦେଇଛନ୍ତିଯେ ମାଣିକପୁର ଗ୍ରାମର ପଞ୍ଚୁ ଶବର ମୋହନା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତିଯେ ସୁଭଦ୍ରା ନାମକ ଜଣେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅଞ୍ଚଳର ମହିଳା ମାଣିକପୁର ଗ୍ରାମର ସୁଧୀର ପାଇକଙ୍କ ଘରକୁ ଯିବା ଆସିବା କରନ୍ତି. ଏହି ଯିବା ଆସିବା ସମୟରେ ପଞ୍ଚୁ ଶବରଙ୍କ ପୁଅ, ଝିଅଙ୍କ ସହ ବନ୍ଧୁତାଭାବ ବଢ଼ାଇଥିଲେ. ଗତ ୧୧ ତାରିଖ ରାକ୍ଷୀ ପୂର୍ଣ୍ଣିମା ଦିନ ସୁଭଦ୍ରା ମାଣିକପୁର ଗ୍ରାମକୁ ଆସି ପଞ୍ଚୁ ଶବରଙ୍କ ଘରକୁ ଆସିଥିଲେ. ପଞ୍ଚୁ ଶବର ଘରେ ଅନୁପସ୍ଥିତ ଥିବା ଦେଖି ତାଙ୍କ ଝିଅଙ୍କୁ ବିଭିନ୍ନ ଭାବେ ପ୍ରଲୋଭିତ କରି ନେଇ ଯାଇଥିଲେ. ପରେ ସୁଭଦ୍ରା ନାମକ ଏହି ମହିଳା ଜଣକ ପଞ୍ଚୁ ଶବରଙ୍କ ଝିଅଙ୍କୁ ଦିଲ୍ଲୀରେ ବିକ୍ରି କରିଦେବା ସହ ଜୋର ଜବରଦସ୍ତି ଅନ୍ୟ ସମ୍ପ୍ରଦାୟର ଜଣେ ଯୁବକଙ୍କୁ ବିବାହ କରାଇ ଦେଇଥିଲେ. ସଂପୃକ୍ତ ଘଟଣାଟି ପଞ୍ଚୁ ଶବରଙ୍କ ଝିଅ ମାଣିକପୁର ଅଙ୍ଗନୱାଡି କର୍ମୀ ମମତା ଭୂୟାଁଙ୍କୁ କୌଶଳକ୍ରମେ ଅନ୍ୟ ଜଣଙ୍କ ମୋବାଇଲ ଦ୍ୱାରା ଜଣାଇ ତାଙ୍କୁ ଦିଲ୍ଲୀରୁ ଉଦ୍ଧାର କରିବା ପାଇଁ ତାଙ୍କୁ ବାପାଙ୍କୁ ଜଣାଇବା ପାଇଁ ମମତାଙ୍କୁ ପଞ୍ଚୁଙ୍କ ଝିଅ ଅନୁରୋଧ କରିଥିଲେ. ଏହାପରେ ଅଙ୍ଗନୱାଡି କର୍ମୀ ମମତା ଭୂୟାଁ ସଂମ୍ପୃକ ଯୁବତୀଙ୍କ ପିତା ପଞ୍ଚୁ ଶବରଙ୍କୁ ଜଣାଇଥିଲେ. ଏଥିରେ ପଞ୍ଚୁ ଶବର ଅତ୍ୟନ୍ତ ମିୟମ୍ରାଣ ହେବା ସହ ମୋହନା ଥାନାରେ ଲିଖିତ ଭାବେ ଜଣାଇଥିଲେ. ସଂମ୍ପୃକ୍ତ ଘଟଣା ନେଇ ମୋହନା ଥାନାରେ ଗତକାଲି କେଶ ନଂ ୧୫୦/୨୨ ରେ ଏକ ମୋକଦମା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିବା ପୋଲିସ ଅଧିକାରୀ ପ୍ରଶାନ୍ତ ନିଶକ ଜଣାଇଛନ୍ତି.