ଗଜପତି:୩ୟ ଦିନରେ ଲକଡାଉନ୍
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାରେ ଲକଡାଉନ୍ ୩ୟ ଦିନରେ ପହଞ୍ଚିଲା । ଗଜପତି ଜିଲ୍ଲାପାଳ ଅନୁପମ ଶାହା ଏବଂ ଜିଲ୍ଲା ଏସପି ସାରା ଶର୍ମାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସାରା ଜିଲ୍ଲାରେ ଲକଡାଉନ୍କୁ କଡା କଡି ଭାବେ ପାଳନ କରାଯାଇଛି । ସାମାଜିକ ଦୁରତା ରକ୍ଷା କରିବା ପାଇଁ ସମସ୍ତ ଅଞ୍ଚଳରେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହର ସମେତ ଜିଲ୍ଲାର ମୋଟ ୭ଗୋଟି ବ୍ଲକ ଯଥା,ମୋହନା,ଆର.ଉଦୟଗିରି,ନୁଆଗଡ,ଗୋଷାଣୀ,ଗୁମ୍ମା,ରାୟଗଡ,କାଶୀନଗର ଆଦି ଅଞ୍ଚଳରେ ପୋଲିସ ବ୍ୟବସ୍ଥା ଦ୍ୱିଗୁଣିତ କରାଯାଇଛି । ଜରୁରୀ କାମ ନ ଥିଲେ ଲୋକଙ୍କୁ ବାହାରକୁ ଆସିବାକୁ ମନା କରାଯାଉଛି । ଆନ୍ଧ୍ର ସୀମାନ୍ତ ୫ଗୋଟି ସ୍ଥାନରେ ଥିବା ଅନ୍ତରାଜ୍ୟ ସୀମାକୁ ସିଲ୍ କରାଯାଇଛି । ଓଡିଶାରୁ ଆନ୍ଧ୍ର କିମ୍ବା ଆନ୍ଧ୍ରରୁ ଓଡିଶା କାହାରିକୁ ଛଡା ଯାଉନାହିଁ । ଆନ୍ଧ୍ର ସୀମାନ୍ତରେ ୨୪ଘଣ୍ଟିଆ ପୋଲିସ ମୁତୟନ କରାଯାଇଛି । ଜିଲ୍ଲା ସାରା ଲକଡାଉନ୍ ଯୋଗୁଁ ଚାରିଆଡେ ଜନ ଶୁନ୍ୟ ହୋଇ ଖାଁ ଖାଁ ଦେଖାଯାଉଛି । ସମଗ୍ର ଜିଲ୍ଲାରେ ବର୍ତ୍ତମାନ ଅତ୍ୟାବଶ୍ୟକ ସାମଗ୍ରୀ ତଥା ପନିପରିବା ଆଦିର ଦର ବୃଦ୍ଧି ହୋଇଥିବା ସାଧାରଣଙ୍କ ତରଫରୁ ଅଭିଯୋଗ କରାଯାଇଛି । ସାଧାରଣ କହୁଛନ୍ତି, ବ୍ୟବସାୟୀ ମାନେ ଜାଣିଶୁଣି ସାମଗ୍ରୀ ଗୁଡିକର କୁତ୍ରୀମ ଅଭାବ ଦର୍ଶାଇ ଦର ବୃଦ୍ଧି କରୁଛନ୍ତି । ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦିଅନ୍ତୁ ବୋଲି ଅନୁରୋଧ କରିଛନ୍ତି ।


