ଗଜପତି ଅଙ୍ଗନବାଡି ଚୟନରେ ଅନିୟମିତତା ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ କୁଜାସିଂ ପଞ୍ଚାୟତର ଗଙ୍ଗପୁର ଗ୍ରାମର ଅଙ୍ଗନବାଡି ଚୟନ ପ୍ରକ୍ରିୟାରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଗଙ୍ଗାପୁର ଅଙ୍ଗନବାଡି କେନ୍ଦ୍ରରେ ଖାଲି ପଡିଥିବା ପଦବୀ ପାଇଁ ଗଙ୍ଗାପୁର ଗ୍ରାମର ମୋଟ ୭ଜଣ ଆବେଦନ କରିଥିଲେ । ଏନେଇ ଅଗଷ୍ଟ ୧୨ରେ ଉକ୍ତ ପଦବୀ ନିଯୁକ୍ତି ନିମନ୍ତେ ନାମ ଘୋଷଣା କରାଯାଇଥିଲା । ସେଥିରେ ଜନନୀ ଶବର ଅଯୋଗ୍ୟ ଘୋଷିତ ହୋଇଥିଲେ । ଜନନୀ ଶବରଙ୍କ ୬୧୫ ମାର୍କ ହାସଲ କରିଥିଲେ । କିନ୍ତୁ ବମତି ରଇତ ୬୦ ମାର୍କ କମ୍ ରଖିଥିଲେ ସୁଦ୍ଧା ତାଙ୍କୁ ଯୋଗ୍ୟ ବିବେଚିତ କରାଯାଇଥିଲା । ଏନେଇ ଜନନୀ ଓ ତାଙ୍କ ପରିବାର ଲୋକେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କୁ ଭେଟି ଲିଖିତ ଅଭିଯୋଗ କରିଥିଲେ । ଏନେଇ ଜନନୀ କହିଛନ୍ତି ମୁଁ ଏ ପଦବୀ ପାଇବାକୁ ଯୋଗ୍ୟ କିନ୍ତୁ ବାସିନ୍ଦା ପ୍ରମାଣପତ୍ର ଦାଖଲ କରି ନ ଥିବା ଯୋଗୁଁ ମୋତେ ଅଯୋଗ୍ୟ ଘୋଷିତ କରାଯାଇଛି । ମୁଁ ମୋର ବାସିନ୍ଦା ପ୍ରମାଣପତ୍ର ଆବେଦନ କରିଥିବା ନେଇ ପୂର୍ବରୁ ଜଣାଇଥିଲି । ତେଣୁ ଏହାର ତଦନ୍ତ କରିବାକୁ ସେ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି ।


