ଗଜପତି : ଆଡମ୍ବର ସହକାରେ ଓଡିଆ ନବବର୍ଷ ଓ ହନୁମାନ ଜୟନ୍ତୀ ପାଳନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲାରେ ଚଳିତ ବର୍ଷ ବହୁ ଆଡମ୍ବରରେ ନବବର୍ଷ, ପଣା ସଂକ୍ରାନ୍ତୀ ଓ ହନୁମାନ ଜୟନ୍ତୀ ପାଳିତ ହୋଇ ଯାଇଛି । ପାରଳାଖେମୁଣ୍ଡି ଠାରେ ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି, ଓଡିଆ ନବବର୍ଷ, ପଣାସଂକ୍ରନ୍ତୀ ଓ ହନୁମାନ ଜୟନ୍ତୀ ପୂଜାର୍ଚ୍ଚନା ଏହି ପବିତ୍ର ଦିବସ ପାଳିତ ହୋଇଥିବାର ଦେଖିବାକୁ ମିଳିଛି । ଏଥିଲାଗି ଗତକାଲି ସନ୍ଧ୍ୟାରୁ ହିଁ ପାରଳାଖେମୁଣ୍ଡି ସହର ସମେତ ବଜାର ଅଞ୍ଚଳଗୁଡିକ ଚଳଚଞ୍ଚଳ ହୋଇ ଉଠିଥିଲା । ଏହା ଏକ ପାରମ୍ପାରିକ ପର୍ବ ହୋଇଥିବାରୁ ପ୍ରତି ଘରେ ବା ନିଜ ପରିବାର ମଧ୍ୟରେ ପଣା ତିଆରି କରାଯାଇ ତାକୁ ଘର ଭିତରେ ଠାକୁରଙ୍କ ପାଖରେ ଭୋଗଲାଗି କରାଯିବାପରେ ପରିବାରର ସଦସ୍ୟ ମାନେ ନିଜ ଭିତରେ ଉକ୍ତ ପଣାକୁ ସେବନ କରିଥିବା ଦୃଷ୍ଟିକୁ ଆସିଥିଲା । ଅନ୍ୟପକ୍ଷରେ ସମସ୍ତ ହନୁମାନ ମନ୍ଦିର ସମ୍ମୁଖରେ ଆଜି ସକାଳୁ ଦୀପ ଲଗାଇବାପାଇଁ ତଥା ପୂଜାର୍ଚ୍ଚନା କରିବାପାଇଁ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ସହରର ବିଭିନ୍ନ ହନୁମାନ ମନ୍ଦିର ଓ ହନୁମାନ ବିଗ୍ରହ ଥିବା ସ୍ଥାନ ଯଥା ଗୁଣ୍ଡିବାଡି ହନୁମାନ ମନ୍ଦିର, ରେଳଷ୍ଟେ୍ସନ ନିକଟସ୍ଥ ହନୁମାନ ମନ୍ଦିର, ବେତାଗୁଡା ରାସ୍ତାରେ ଥିବା ତୋଟା ହନୁମାନ ମନ୍ଦିର, ନେହେରୁ ଛକ ସ୍ଥିତ ହନୁମାନ ମନ୍ଦିର, ଓଁମଶାନ୍ତି କଲୋନୀସ୍ଥ ହନୁମାନ ମନ୍ଦିର, ପଟନାୟକ ପଖୋରୀ ନିକଟରେ ଥିବା ଅଭୟ ଆଞ୍ଜେନୟ ସ୍ୱାମୀ ମନ୍ଦିର, କରଣ ସାହି ସ୍ଥିତ ହନୁମାନ ମନ୍ଦିର ଓ ପ୍ରତିମୂର୍ତ୍ତୀ, କେଉଟ ସାହି ସ୍ଥିତ ଦୁଇ ଗୋଟି ହନୁମାନ ପ୍ରତିମୂର୍ତ୍ତୀ, ଦେଉଳବନ୍ଧ ରାସ୍ତାରେ ଥିବା ହନୁମାନ ମନ୍ଦିର ଏବଂ ବିଭିନ୍ନ ମନ୍ଦିର ମାନଙ୍କରେ ପୂଜାର୍ଚ୍ଚନା ହୋଇଥିବା ବେଳେ ଅନ୍ନ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା । ସୂଚନା ଯୋଗ୍ୟ ଯେ, ଗତ ୨ବର୍ଷ ହେଲା କରୋନା ସଂକ୍ରମଣ ବୃଦ୍ଧିକୁ ନେଇ କଟକଣା ମଧ୍ୟରେ ଏହି ଜୟନ୍ତୀ ପାଳିତ ହୋଇଥିଲା । ଚଳିତ ବର୍ଷ କଟକଣା କହୋଳ ହୋଇଯାଇଥିବାରୁ ଲୋକେ ଧୂମଧାମରେ ପ୍ରବଳ ଜନସମାଗମ ମଧ୍ୟରେ ବିଭିନ୍ନ ହନୁମାନ ମନ୍ଦିରରେ ପାଳନ କରିଥିଲେ । ଏହି ପବିତ୍ର ଦିବସରେ ବିଭିନ୍ନ ସଂଗଠନ ତଥା ଯୁବଗୋଷ୍ଠୀ, ମନ୍ଦିର କମିଟି ଆଦି ଦ୍ୱାରା ପ୍ରତ୍ୟେକ ସ୍ଥାନରେ ପଣା ବଣ୍ଟନ କରୁଥିବାର ମଧ୍ୟ ଦେଖିବାକୁ ମିଳିଥିଲା ।