ଗଜପତି କଲେଜରେ ଜାଲିଆତି ଅଭିଯୋଗ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର କାଶୀନଗର ବ୍ଲକରେ ଥିବା କବି ଗୋପାଳ କୃଷ୍ଣ କନିଷ୍ଠ କଲେଜରେ ଜାଲିଆତିର ପ୍ରକୃତ ନ୍ୟାୟ ୫ ଦିନ ଭିତରେ ନ ମିଳିଲେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେବି ବୋଲି ଜଣେ ମହିଳା ଚେତାବନୀ ଦେଇଛନ୍ତି. ଘଟଣାରୁ ପ୍ରକାଶ,ଗଜପତି ଜିଲ୍ଲାର ଜଣେ ମହିଳା ସସ୍ମିତା ମିଶ୍ର କାଶୀନଗର ବ୍ଲକ ଅନ୍ତର୍ଗତ ଖାରଡା ଗ୍ରାମକୁ ଆସି ୫ ଦିନ ଭିତରେ ତାଙ୍କୁ ନ୍ୟାୟ ନମିଳିଲେ ପୁଅ ଶୁଭମ୍ ସହ ମିଶି ସେ ଆତ୍ମହତ୍ୟା କରିବେ ବୋଲି ଗଣମାଧ୍ୟମକୁ ଜଣାଇଛନ୍ତି । ଅଭିଯୋଗ ରଖି କହିଛନ୍ତି ଯେ, ଖାରଡାର କବି ଗୋପାଳକୃଷ୍ଣ କନିଷ୍ଠ ମହାବିଦ୍ୟାଳୟ (ବର୍ତ୍ତମାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ)ରେ ତାଙ୍କ ପୁଅ ଶୁଭମ୍ ର ଆଡ଼ମିସନ ହୋଇଥିଲା । ଆଡ଼ମିସନ ଫିଜ୍ ବାବଦକୁ ସେ ୮ ହଜାର ଟଙ୍କା ଦେଇଥିଲେ । କିନ୍ତୁ ତାଙ୍କୁ କୌଣସି ପ୍ରାପ୍ତି ସ୍ଵୀକାର ସୂଚକ ରସିଦ ମିଳି ନଥିଲା । କୁହା ଯାଇଥିଲା ଯେ, ସେଭଳି ବ୍ୟବସ୍ଥା ଏ ଶିକ୍ଷାନୁଷ୍ଠାନରେ ନାହିଁ । କେବଳ ଆଡ଼ମିସନ ଗ୍ରାଣ୍ଟେଡ ବୋଲି ଲିଖିତ ଭାବେ ଜଣାଇ ଦିଆ ଯାଇଥିଲା । ସମ୍ପୃକ୍ତ ସାଇଟ ଖୋଲିବା ପରେ ସେ ପୁଅର ନାଆଁ ଖୋଜିଥିଲେ କିନ୍ତୁ ପାଇ ନଥିଲେ । ପରେ ଉଲ୍ଲିଖିତ ଶିକ୍ଷାନୁଷ୍ଠାନ ପକ୍ଷରୁ ତାଙ୍କୁ ଯୋଗାଯୋଗ ପାଇଁ ଯେଉଁ ନମ୍ବର ଦିଆ ଯାଇଥିଲା, ସେ ନମ୍ବରକୁ ସେ ଫୋନ କରିଥିଲେ । ଏକାଧିକ ବାର ଫୋନ କରିବାପରେ ଅଶାଳୀନ ଭାଷାରେ ତାଙ୍କୁ ଉତ୍ତର ମିଳିଥିଲା । ଚେତାଇ ଦିଆ ଯାଇଥିଲା ଯେ,ପୋଲିସରେ ଅଭିଯୋଗ କଲେ ବି କିଛି ଲାଭ ମିଳିବାର ନାହିଁ । ଏଭିତରେ ପୂରା ବର୍ଷେ ସମୟ ବିତି ଯାଇଛି କିନ୍ତୁ ତାଙ୍କ ପୁଅର ଆଡ଼ମିସନ ତଥାପି ହୋଇ ପାରିନାହିଁ । ତେଣୁ ଅନ୍ୟ ବାଟ ନପାଇ ସେ ଓ ତାଙ୍କ ପୁଅ ପୁଣି ଖାରଡା ଆସି ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ କେବଳ ସସ୍ମିତା ମିଶ୍ର ନୁହନ୍ତି, ତାଙ୍କ ଭଳି ଆହୁରି ଅନେକ ପିତା ମାତା ଅଭିଭାବକ, ଛାତ୍ରଛାତ୍ରୀ ବି ପ୍ରତାରଣା ଓ ଠକାମିର ଶିକାର ହୋଇ ଥିବା ଜଣା ପଡିଛି । ସେମାନେ ଅଭିଯୋଗ କରିଛନ୍ତି ଯେ, ଖାରଡାର ରାମଚନ୍ଦ୍ର ଦଳାଇ ନିଜକୁ କଂଗ୍ରେସ ନେତା କହି ଏଭଳି ଅନୈତିକ କାର୍ଯ୍ୟକଳାପ ଚଳାଇଛନ୍ତି । ସେ ନିଜେ ଉକ୍ତ ଶିକ୍ଷାନୁଷ୍ଠାନ ପରିଚାଳନା କମିଟିର ସମ୍ପାଦକ ଥିବା ବେଳେ, ତାଙ୍କ ବୃଦ୍ଧା ମାତା ଲକ୍ଷ୍ମୀ ଦଳାଇଙ୍କୁ ହିଁ କମିଟିର ସଭାପତି ରଖିଛନ୍ତି । ତଥାକଥିତ ଗୋପାଳକୃଷ୍ଣ କନିଷ୍ଠ ମହାବିଦ୍ୟାଳୟ କେବଳ ଏକ ସାଇନବୋର୍ଡ ଅନୁଷ୍ଠାନ । ଆଶାୟୀ ବିଦ୍ୟାର୍ଥୀଙ୍କୁ ପ୍ରଥମେ ପ୍ରଲୋଭିତ ଓ ପରେ ପ୍ରତାରିତ କରିବା ପାଇଁ ଉଦ୍ଦିଷ୍ଟ । ତେଣୁ ଗଜପତି ଜିଲ୍ଲା ପ୍ରଶାସନ ଓ ଶିକ୍ଷା ପ୍ରଶାସନ ପକ୍ଷରୁ ଉକ୍ତ ଅନୁଷ୍ଠାନର କାଗଜପତ୍ର କଡାକଡି ଯାଞ୍ଚ କରାଯାଉ ଓ ଯେଉଁମାନେ ଦୋଷୀ ସାବ୍ୟସ୍ତ ହେବେ , ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରାଯାଉ। ଏହା ଦ୍ୱାରା ଘରୋଇ ଭାବେ ସାଇନବୋର୍ଡ ଶିକ୍ଷାନୁଷ୍ଠାନ ଗଢି ଅନୈତିକ କାର୍ଯ୍ୟ କଳାପରେ ଲିପ୍ତ ଥିବା ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି ହୋଇ ପାରିବ ବୋଲି ବି ସେମାନେ କହିଛନ୍ତି । ଏହାଛଡା ଅଲ୍ ଇଣ୍ଡିଆ କଂଗ୍ରେସ କମିଟି ଓ ବି ସି ଡିପାର୍ଟମେଣ୍ଟ ଛପା ଥାଇ ନ୍ୟାସନାଲ କୋଅର୍ଡିନେଟର ଏଲ୍ ଡି ଏମ୍ (ଇନଚାର୍ଜ ଓଡିଶା) ରାଜ କିଶୋର ବାରିକଙ୍କ ଦସ୍ତଖତରେ ରାମ ଚନ୍ଦ୍ର ଦଳାଇଙ୍କୁ ଗଜପତି କୋଅର୍ଡିନେଟର ରୂପେ ଯେଉଁ ନିଯୁକ୍ତି ପତ୍ର ମିଳିଛି , ତାହା କେତେଦୂର ବୈଧ , ତାହାକୁ ନେଇ ବି ଶୀଘ୍ର ତଦନ୍ତ ହେବା ଉଚିତ ବୋଲି ଅଭିଯୋଗକାରୀମାନେ ମତ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ