ଗଜପତି କୁଇକନ୍ଧ ଉନ୍ନୟନ ସମିତି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା କୁଇ କନ୍ଧ ଉନ୍ନୟନ ସମିତି କାର୍ଯ୍ୟାଳୟ ପକ୍ଷରୁ ମୋହନା ବ୍ଲକ ତହସିଲଦାରଙ୍କ ମାଧ୍ୟମରେ ଏକ ୩ଦଫା ଦାବୀ ପତ୍ର ମୁଖ୍ୟମନ୍ତ୍ରୀଙ୍କୁ ମୋହନା ତହସିଲଦାରଙ୍କ ଜରିଆରେ ପ୍ରଦାନ କରାଯାଇଥିବାର ଜଣାପଡିଛି । ଏହି ଦାବୀ ପତ୍ରରେ ଉଲ୍ଲେଖ୍ୟ ଅନୁଯାଇ ମୋହନା ବ୍ଲକ ଉନ୍ନୟନ ଅଧିକାରୀ ଓ ଅନ୍ୟ ୫ଜଣଙ୍କୁ ତୁରନ୍ତ ଗିରଫ କରିବାପାଇଁ ଦାବୀ କରାଯାଇଛି । ସେହିପରି ମୋହନା ବିଡିଓ ବଂଶୀଧର ଖସଲା, ଯୋଗାଣ ନିରୀକ୍ଷକ ଶଙ୍କର ବେହେରା, ଅଡବା ଥାନାର ପୂର୍ବତନ ଅଧିକାରୀ ତପନ କୁମାର ପତିଙ୍କୁ ତୁରନ୍ତ ବହିଷ୍କାର ପାଇଁ ସମିତି ପକ୍ଷରୁ ଦାବୀ ହୋଇଛି । ସେହିପରି ଭାବେ କୋଭିଡ୍ ସହାୟତା ରାଶି ଓ ସରକାରୀ ଅନୁଦାନ, ଶୌଚାଳୟ ନିର୍ମାଣରେ ଘୋଟାଲା, ମନରେଗା ଓ ତିତିଲି ଆଦି ଅନୁଦାନ ଗୁଡିକରେ ମହାଘୋଟାଲାର ସିବିଆଇ ତଦନ୍ତ କୁଇକନ୍ଧ ସମିତି ପକ୍ଷରୁ ଦାବୀ କରାଯାଇଛି । ସେହିପରି ଭାବେ ଏହାର ଏକକ ନକଲ କପି ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଏବଂ ଭିଜିଲାନ୍ସ ଏସ୍.ପି. ବ୍ରହ୍ମପୁରଙ୍କୁ ପ୍ରଦାନ କରାଯାଇଛି । କୁଇକନ୍ଧ ଉନ୍ନୟନ ସମିତି, ସରପଞ୍ଚ, ସମିତି ସଭ୍ୟସଭ୍ୟା, ବୁଦ୍ଧିଜିବୀ ପକ୍ଷରୁ ଏହି ଦାବୀ ପତ୍ରରେ ଉଲ୍ଲେଖ କରାଯାଇଛି ଯେ ଅଡବା ଥାନା ଦ୍ୱାରା ଗତ ଅଗଷ୍ଟ ମାସ ୨୪ ତାରିଖରେ କାଜୁ ଭର୍ତ୍ତି ଗାଡିରୁ ଗଞ୍ଜେଇ ଧରିବା ଘଟଣାରେ ବେନିୟମ ଭାବେ ବିଡିଓ ବଂଶୀଧର ଖସଲା ତଥା ଅନ୍ୟ ପାଞ୍ଚଜଣ ଯଥା ଯୋଗାଣ ନିରୀକ୍ଷକ ଶଙ୍କର ବେହେରା, ତତ୍କାଳୀନ ଅଡବା ଥାନା ଅଧିକାରୀ ତପନ କୁମାର ପତି, ଏସ୍.ଆଇ. ଆଲୋକ ରଂଜନ ଜଗଦଲ, ଗାଡି ମାଲିକ ବି.ମୋହନ ରାଓ ଓ କାଜୁ ବ୍ୟବସାୟୀ କେ.ରବିକୁମାର ୭୬ଲକ୍ଷ ଟଙ୍କାର କାଜୁକୁ ଚଞ୍ଚକତା କରି ୧୪ଲକ୍ଷ ଟଙ୍କାରେ ବିକ୍ରି କରିଥିବା ଅଭିଯୋଗ ହୋଇଛି । କେବଳ ଏସ୍.ଆଇ. ଶ୍ରୀ ଜଗଦଲଙ୍କୁ ନିଲମ୍ବନ କରାଯାଇଥିବାବେଳେ ମୋହନା ପୋଲିସ ପକ୍ଷରୁ ଦିର୍ଘ ଏକମାସ ହେଲା କୌଣସି ଗିରଫ କରାଯାଉନାହିଁ । ଯେଉଁ ବିଡିଓ କାଜୁ ବଝୋଇ ଗାଡିରୁ ୫୭ଲକ୍ଷ ଟଙ୍କା ହଡପ କରିଛନ୍ତି ସେ ଅନ୍ୟାନ୍ୟ ବିକାଶ ମୂଳକ କାର୍ଯ୍ୟରୁ କେତେ ହଡପ କରିଥିବେ ତାହା କୁଇକନ୍ଧ ଉନ୍ନୟନ ସମିତି ପକ୍ଷରୁ ପ୍ରଶ୍ନବାଚୀ କରାଯାଇଛି । ଦାବୀ ପତ୍ର ପ୍ରଦାନ ସମୟରେ ସମିତିର ସଭାପତି ବାଡିଶା ମାଝୀ, ସମ୍ପାଦକ ଶରତ ଚନ୍ଦ୍ର ମଳିକ, ଦୁଶାସନ ମଳିକ, ରାଜେଶ୍ୱରୀ ମଳିକ ଅଶୋକ ମଳିକ ପ୍ରମୁଖ ଉପସ୍ଥିତଥିବାର ଜଣାପଡିଛି ।


