ଗଜପତି: ଖମାରୀସାହି ରକ୍ତାକ୍ତ ସଂଘର୍ଷ ଘଟଣାରେ ୧୧ ଜଣ ଗିରଫ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ଆର.ଉଦୟଗିରି ଥାନାର ଖମାରୀସାହି ଗ୍ରାମରେ ରକ୍ତାକ୍ତ ସଂଘର୍ଷ ଘଟଣାରେ ପୋଲିସ ୧୧ଜଣଙ୍କୁ ଗିରଫ କରିଛି । ଏମାନଙ୍କୁ ଆଜି ଆର.ଉଦୟଗିରି କୋର୍ଟକୁ ଚାଲାଣ କରାଯାଇଥିବା ଆର.ଉଦୟଗିରି ଏସଡିପିଓ ଅଶୋକ କୁମାର ମହାନ୍ତି ଏବଂ ଆଇଆଇସି ମମତା ନାୟକ ସୁଚନା ଦେଇଛନ୍ତି । ଘଟଣାରୁ ପ୍ରକାଶ, ଗତକାଲି ସାମାନ୍ୟ ବଚସାକୁ କେନ୍ଦ୍ର କରି ଗ୍ରାମର ୨ସାହିବାସୀନ୍ଦା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇ ୨୦ରୁ ଉର୍ଦ୍ଧ ଜଣ ଆହତ ଏବଂ ୨ଜଣ ଅତ୍ୟନ୍ତ ଗୁରୁତର ହୋଇଥିଲେ । ଉଭୟ ସାହିବାସିନ୍ଦା ଦୀର୍ଘ ବର୍ଷ ଧରି ଏକ ଗ୍ରାମରେ ବସବାସ କରି ଆସୁଥିଲେ ସୁଦ୍ଧା ନିଜନିଜ ମଧ୍ୟରେ ମାନବିକତାକୁ ଭୁଲିଯାଇ ଢେଲା ପଥର ମାଡ କରିବା ସହ ଠେଙ୍ଗା ଓ ବାଡିରେ ଆକ୍ରମଣ ଓ ପ୍ରତି ଆକ୍ରମଣ କରିଥିଲେ । ଏଥିରେ ପ୍ରାୟ ୨୦ରୁ ଉର୍ଦ୍ଧ ବ୍ୟକ୍ତି ଆହତ ହୋଇ ଚନ୍ଦ୍ରଗିରି ଓ ଆର.ଉଦୟଗିରି ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ଏମାନଙ୍କ ମଧ୍ୟରୁ ମଧୁସ୍ମୀତା ନାୟକ ଓ ରାମ ପାଇକଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ହେବା ଯୋଗୁଁ ଜରୁରୀ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ଦିଆଯାଇଥିଲା । ଖବର ପାଇବା କ୍ଷଣୀ ଆର.ଉଦୟଗିରି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଏକ ସେକ୍ସନ୍ ଫୋର୍ସକୁ ଶାନ୍ତି ଫେରାଇ ଆଣିବା ପାଇଁ ମୁତୟନ କରିଥିଲେ । ଘଟଣା ନେଇ ଗତକାଲି ଆର.ଉଦୟଗିରି ଥାନାରେ କେସ ନଂ ୩୨/୨୦ରେ ମାମଲା ରୁଜୁ କରାଯାଇ ୨ ସାହିରୁ ୧୧ଜଣଙ୍କୁ ଆର.ଉଦୟଗିରି ଥାନାକୁ ଆଣି ଅଟକ ରଖି ତଦନ୍ତ ଜାରି ରହିଥିଲା । ଏହି ୨ ସାହିର ୧୧ଜଣଙ୍କୁ ଗିରଫ କରାଯାଇ ଆଜି ଆର.ଉଦୟଗିରି କୋର୍ଟକୁ ଚାଲାଣ କରାଯାଇଥିବା ସୁଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ