ଗଜପତି ଚାଷୀଙ୍କୁ ମିଳୁନି ଟୋକେନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) -ଗଜପତି ଜିଲ୍ଲାରେ ଚାଷୀଙ୍କୁ ବିଭିନ୍ନ ଭାବେ ହଇରାଣ କରାଯାଉଛି । ଧାନ ମଣ୍ଡିରେ ବିଭିନ୍ନ ଯାଞ୍ଚ ନାମରେ ଏବଂ କେତେକ ଅନିୟମିତତା ଦ୍ୱାରା ଚାଷୀଙ୍କ ଠାରୁ ଧାନ କିଣା ଯାଉ ନାହିଁ । ମୋଟା ମୋଟି ଭାବେ ଧାନ ବିକ୍ରି ପାଇଁ ଚାଷୀଙ୍କୁ ଟୋକେନ ଦିଆଯାଉ ନାହିଁ ବୋଲି ପାରଳାଖେମୁଣ୍ଡି ଏର୍ଦଲା ସାହି ଠାରେଥିବା ଗଜପତି ଜିଲା ଭାଜପା କାର୍ଯ୍ୟାଳୟ ଠାରେ ଏକ ଖବରଦାତା ସମ୍ମିଳନୀ ମାଧ୍ୟମରେ ପ୍ରକାଶ କରାଯାଇ ଅଭିଯୋଗ କରାଯାଇଛି ଯେ, ମୁଖ୍ୟତଃ ଜିଲାରେ ଧାନମଣ୍ଡି ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଥିଲେ ମଧ୍ୟ ସେଥିରେ ସଠିକ ଭାବେ ଚାଷୀମାନଙ୍କ ଠାରୁ ଧାନ କ୍ରୟ କରାଯାଉନାହିଁ ବୋଲି ଜିଲା ଭାଜପା ପକ୍ଷରୁ ପାରଳାଖେମୁଣ୍ଡି ବିଧାୟକ ତଥା ଭାଜପା ଜିଲା ସଭାପତି କେ.ନାରାୟଣ ରାଓ ଅଭିଯୋଗ ଆଣିଛନ୍ତି । ଯେଉଁ ଚାଷୀମାନଙ୍କର ଜମି ନାହିଁ ସେମାନଙ୍କ ନାମରେ ଧାନ କିଣିବା ଟୋକେନ ପ୍ରଦାନ କରାଯାଉଥିବାବେଳେ ପ୍ରକୃତ ଚାଷୀ ମାନଙ୍କୁ ତାହା ମିଳିପାରୁନାହିଁ । ଫଳରେ ଅନେକ ଚାଷୀ ସେମାନଙ୍କ ଅମଳ ଧାନ ଗୁଡିକୁ ବାହାରେ ପକାଇ ରଖିଛନ୍ତି ଯଦି ହଠାତ ବୃଷ୍ଟିପାତ ହୁଏ ତାହାହେଲେ ସେଗୁଡିକ ବିଶେଷ ଭାବେ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି ବୋଲି ଜିଲା ଭାଜପା ଅଭିଯୋଗ କରିଛି । ସେହିପରି ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ନୂତନ ପରିବହନ ନିୟମ ଅନୁଯାଇ ବିଭିନ୍ନ ସମୟରେ ଯାନବାହାନ ଗୁଡିକୁ ଧରପଗଡ କରାଗଲେ ମଧ୍ୟ ଯେଉଁ ନିର୍ଦ୍ଧିଷ୍ଟ ନିୟମରେ ଜରିମାନା ଆଦାୟ ହେବାକଥା ତାଠାରୁ ଯଥେଷ୍ଟ ଅଧିକ ଜରିମାନା ଆଦାୟ କରାଯାଇ ସାଧାରଣ ଲୋକଙ୍କୁ ଏବଂ ଦିନ ମଜୁରିଆ ଭାବେ ଯାନବାହାନ ଚଲାଇ ନିଜର ପରିବାର ଭରଣ ପୋଷଣ କରୁଥିବା ଗାଡି ଚାଳକମାନଙ୍କୁ ଅଜଥା ହଇରାଣ କରାଯାଉଛି ବୋଲି ଭାଜପା ଅଭିଯୋଗ କରିଛି । ଯଦି ଜଣେ ଗାଡି ଚାଳକ ହେଲମେଟ ପରିଧାନ କରିନଥିବ ତାଙ୍କ ଠାରୁ ଯେତିକି ଜରିମାନା ଆଦାୟ କରାଯିବା କଥା ତା’ଠାରୁ ଯଥେଷ୍ଟ ଅଧିକ ପରିମାଣର ଜରିମାନା ଆଦାୟ କରାଯାଉଛି ଏବଂ ଏଥିପାଇଁ ଜିଲା ଯାନବାହାନ ନିରୀକ୍ଷକହିଁ ଦାୟୀ ବୋଲି ଭାଜପା ପକ୍ଷରୁ ଅଭିଯୋଗ କରାଯାଇଛି । ସେହିପରି ସାଧାରଣ ଅଟୋଚାଳକ ଏବଂ ମାଲବାହୀ ଅଟୋ ଗୁଡିକରୁ ମନଇଛା ଜରିମାନା ଆଦାୟ କରାଯାଉଛି ଯାହାକି କୌଣସି ନୂତନ ପରିବହନ ନିୟମରେ ନାହିଁ ବୋଲି ଭାଜପା ଅଭିଯୋଗ ଆଣିଛି । ଏ ସମ୍ପର୍କରେ ଜିଲା ଭାଜପା ପକ୍ଷରୁ ଏକ ସ୍ମାରକପତ୍ର ଜିଲା ପ୍ରଶାସନକୁ ଦିଆଯିବାପରେ ଯଦି ଆସନ୍ତା ୭ଦିନ ମଧ୍ୟରେ ଏହାର କୌଣସି ସମାଧାନ ପ୍ରଶାସନ ଦ୍ୱାରା କରାନଯାଏ ଭାଜପା ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇ ଆନ୍ଦୋଳନ କରାଯିବ ବୋଲି ବିଧାୟକ ଶ୍ରୀ ରାଓ ଏହି ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହି ଖବରଦାତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଭାଜପା ନେତା ଜମାଦାର ପଟ୍ଟନାୟକ, ଜିଲା ଭାଜପା ସାଧାରଣ ସମ୍ପାଦକ ଜଗନ୍ନାଥ ମହାପାତ୍ର, କାଶୀନଗର ବ୍ଲକ ଅଧ୍ୟକ୍ଷ ସି.ଏଚ୍‌. ସିମାଦ୍ରୀ, ପୂର୍ବତନ ପୌରାଧ୍ୟକ୍ଷ ତ୍ରିପତି ନାୟକ, ପିନିଣ୍ଟି କ୍ରିଷ୍ଣା, ପୂର୍ବତନ ଜିଲା ଭାଜପା ସଭାପତି ଜି.ଭେଙ୍କଟରାବଣା ପ୍ରମୁଖ ଉପସ୍ଥିତଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ