ଗଜପତି ଜିଲ୍ଲାକୁ କ୍ଷତିଗ୍ରସ୍ତ ଜିଲ୍ଲା ଭାବେ ଘୋଷଣା କରା ନ ଯିବା ଯୋଗୁଁ ରାସ୍ତାରୋକ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ସମସ୍ତ ପ୍ରକାର ଫସଲ ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଥିଲା । ତେଣୁ ରାଜ୍ୟ ସରକାର ଗଜପତି ଜିଲ୍ଲାକୁ କ୍ଷୟକ୍ଷତିର ଜିଲ୍ଲା ଭାବେ ଘୋଷଣା କରି ଆବଶ୍ୟକୀୟ ଆର୍ଥିକ ଅନୁଦାନ ପ୍ରଦାନ ପାଇଁ ଦାବି ଉଠିଥିଲା । ହେଲେ ଗଜପତି ଜିଲ୍ଲାକୁ କ୍ଷୟକ୍ଷତିର ଜିଲ୍ଲା ଭାବେ ଘୋଷଣା କରାଗଲା ନାହିଁ । ଏହାର ପ୍ରତିବାଦରେ ଆଜି ଗଜପତି ଜିଲ୍ଲା କୃଷକ ସଭା କମିଟି ତରଫରୁ ପାରଳାଖେମୁଣ୍ଡି ସହର ଠାରୁ ୪କିମି ଦୂରରେ ଥିବା ରାଜସୀତାପୁର ଗ୍ରାମ ଛକ ଠାରେ ଆଜି ସକାଳ ୯ଘଣ୍ଟା ଠାରୁ ୧୦ଘଣ୍ଟା ପର୍ଯ୍ୟନ୍ତ ରାସ୍ତାରୋକ ଆନ୍ଦୋଳନ କରାଯାଇଥିଲା । ଏହି ଆନ୍ଦୋଳନ ଯୋଗୁଁ ପାରଳାଖେମୁଣ୍ଡି ଠାରୁ ମୋହନା, ରାମଗିରି, ଆର୍.ଉଦୟଗିରି, ରାୟଗଡା, ଚନ୍ଦ୍ରଗିରି, ବ୍ରହ୍ମପୁର ଆଦି ଅଞ୍ଚଳକୁ ଯାତାୟତ କରୁଥିବା ସମସ୍ତ ଯାନବାହାନ ଚଳାଚଳ ବନ୍ଦ ରହିଥିଲା । ଜିଲ୍ଲା କୃଷକ ଗଜପତି ଜିଲ୍ଲା କମିଟି ତରଫରୁ ଦଣ୍ଡପାଣି ରଇତ, ଏମ୍.ବାଙ୍ଗାରୀ, ମୋହିତ ମିଶାଲ, ଭାସ୍କର ରାଓ ପ୍ରମୁଖଙ୍କ ନେତୃତ୍ୱରେ ଏହି ଆନ୍ଦୋଳନ କରାଯାଇଥିଲା । ଅତି ତୁରନ୍ତ ଗଜପତି ଜିଲ୍ଲାକୁ କ୍ଷତିଗ୍ରସ୍ତ ଜିଲ୍ଲା ଭାବେ ଘୋଷଣା କରି ଚାଷୀ ଓ କୃଷକଙ୍କୁ ଆର୍ଥିକ ସାହାର୍ଯ୍ୟ ପ୍ରଦାନ କରିବାପାଇଁ ଏମାନେ ଦାବି କରିଛନ୍ତି ।


