ଗଜପତି ଜିଲ୍ଲାରେ ଦୁର୍ଘଟଣା ହ୍ରାସ ଉପରେ ଗୁରୁତ୍ବାରୋପ ବୈଠକ
ପାରଳାଖେମୁଣ୍ଡି,( ତାରିଣୀଚରଣ ପଣ୍ଡା ): ଶୁକ୍ରବାର ଅପରାହ୍ନରେ ଗଜପତି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅାଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲା ସଡକ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ଅନୁପମ ଶାହା ସଭାପତି କରି ଜିଲ୍ଲାରେ ଦୁର୍ଘଟଣା କମାଇବା ସହ ମୃତ୍ୟୁ ସଂଖ୍ୟା ହ୍ରାସ ଉପରେ ଗୁରୁତ୍ବରୋପ କରିଥିଲେ। ଏଥି ସହିତ ସମସ୍ତେ ନୂତନ ସଡକ ନିୟମକୁ ମାନିବା ପରାମର୍ଶ ଦେଇଥିଲେ। ବିଭାଗ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସମୀକ୍ଷା କରିଥିଲେ। ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ଯୋଗଦେଇ ପୋଲିସ ପକ୍ଷରୁ ନୂତନ ନିୟମ ପାଳନକୁ ନେଇ ବାରମ୍ବାର ଯାଞ କରାଯାଇଛି ବୋଲି କହିଥିଲେ। ସ୍କୁଲ ବସଗୁଡିକୁ ଯାନ କରିବାକୁ ଏକ ଟିମ ଗଠନ ଏସପି କହିଥିଲେ। ଆଞ୍ଚଳିକ ପରିବହନ ଅଧିକାରୀ ଓ ଉପ-ଜିଲ୍ଲାପାଳ ରଜନୀ କାନ୍ତ ସ୍ୱାଇଁ ଏବଂ ଏମଭିଆଇ ବସନ୍ତ କୁମାର ମହାପାତ୍ର ବିଭାଗ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ୨୦୧୯ ମସିହାରେ ଦୁର୍ଘଟଣା ହ୍ରାସ ପାଇଥିବା ବୈଠକରେ ସୂଚନା ଦେଇଥିଲେ। ଜିଲ୍ଲାରେ ମୋଟ ୧୧୧ଟ ଦୁର୍ଘଟଣା ଘଟିଥିଲା ବେଳେ ୫୬ ଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ ୯୧ ଜଣ ଗୁରୁତର ଆହତ ହୋଇଥିଲେ। ବିଭିନ୍ନ କାରଣରୁ ଜିଲ୍ଲାରେ ୨୦୯ ଜଣଙ୍କର ୨୦୧୯ ମସିହାରେ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯାଇଛି। ୨୦୨୦ ମସିହା ଜାନୁଆରୀ ମାସରେ ୨୨ ଜଣଙ୍କର ଡ୍ରାଇଭିଂ ଲାଇସେନ୍ସ ବାତିଲ କରାଯାଇଛି। ୨୦୧୯ ମସିହାରେ ନୂତନ ଡ୍ରାଇଭିଂ ଲାଇସେନ୍ସ ପାଇଁ ୧୯୪୯ ଜଣ ଆବେଦନ କରିଥିବା ବେଳେ ୧୬୩୨ ଜଣଙ୍କୁ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ କରାଯାଇଛି। ଏଥିସହିତ ନୂତନ ସଡକ ସୁରକ୍ଷା ନିୟମକୁ ପାଳନ କରିବାକୁ ଆହୁରି ବିଭିନ୍ନ କ୍ଷେତ୍ରରେ ଜନସଚେତନତା କରିବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏଥିରେ ଜିଲ୍ଲାର ସମସ୍ତ ଥାନା ଅଧିକାରୀଙ୍କ ସମେତ ପୂତ୍ତ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରମୁଖ ଯୋଗ ଦେଇଥିଲେ।