ଗଜପତି ଜିଲ୍ଲାସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତିର ବାର୍ଷିକୋତ୍ସବ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫୁର ଜିଲ୍ଲାସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତିର ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟ କ୍ରମରେ ଜିଲ୍ଲାପାଳ ଅନୁପମ ସାହା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରିଥିଲେ । ଜିଲ୍ଲାପାଳ ଶ୍ରୀ ସାହା ସ୍ୱାସ୍ଥ୍ୟ ସେବା ଗ୍ରାମାଞ୍ଚଳ ଓ ଦୁର୍ଗମ ଅଞ୍ଚଳ ଗୁଡିକରେ ପହଞ୍ଚବାର ମୁଖ୍ୟ ପୁରୋଧା ଆଶାକର୍ମୀ ଅଟନ୍ତି ବୋଲି କହିଥିଲେ । ଜିଲ୍ଲାର ତୃଣମୂଳସ୍ତରରେ କୋଭିଡ ମୁକାବିଲା କରିବାରେ ଆଶାକର୍ମୀ ମାନେ ଆଗଧାଡିର ସମ୍ମୁଖ ଯୋଦ୍ଧା ଥିଲେ । ଯାହାକି ରାଜ୍ୟରେ କୋଭିଡ୍-୧୯କୁ ମୁକାବିଲା କରିବାରେ ଗଜପତି ଜିଲ୍ଲା ପ୍ରମୁଖ ସ୍ଥାନ ହାସଲ କରି ପ୍ରଶଂସିତ ହୋଇପାରିଛି ବୋଲି ଜିଲ୍ଲାପାଳ ଶ୍ରୀ ସାହା କହିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପ୍ରଦୀପ କୁମାର ପାତ୍ର ସଭାପତିତ୍ୱ କରିଥିବା ବେଳେ ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତରଏସଏମ୍ ମୁନୀର, ଡାକ୍ତର ଏମ୍ଏମ୍ ଅଲ୍ଲୀ, ଡାକ୍ତର ପ୍ରମୋଦ କୁମାର ପଣ୍ଡା ଓ ରାଷ୍ଟ୍ରୀୟ ଗ୍ରାମାଞ୍ଚଳ ସ୍ୱାସ୍ଥ୍ୟ ମିଶନ ପ୍ରକଳ୍ପ ପରିଚାଳିକା ସୌମ୍ୟାରାଣୀ ଗୌଡ ମଞ୍ଚାସୀନ ଥିଲେ । ଏହି ଅବସରରେ ଜିଲ୍ଲାପାଳ ଜିଲ୍ଲାରେ ଥିବା ୧୪୦ଟି ସ୍ୱାସ୍ଥ୍ୟ ଉପକେନ୍ଦ୍ର ଗୁଡିକୁ ମ୍ୟାଲେରିଆ ସଚେତନତା, ମଶାରୀ ବଣ୍ଟନ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମ୍ପର୍କିତ ବାର୍ତ୍ତା ପ୍ରଚାର ପ୍ରସାର ନିମନ୍ତେ ମେଗାଫୋନ ବଣ୍ଟନ କରିଥିଲେ । ଏହା ବ୍ୟତୀତ ଜିଲ୍ଲାର ୭ଟି ବ୍ଲକ ଓ ସହରାଞ୍ଚଳର ଜଣେ ଲେଖାଁଏ ଆଶାକର୍ମୀଙ୍କୁ ୫ ହଜାର ଟଙ୍କା ଲେଖାଁଏ, ୩ଜଣ ଜିଲ୍ଲାସ୍ତରୀୟ ଆଶାକର୍ମୀଙ୍କୁ ୧୦ହଜାର ଟଙ୍କା ଲେଖାଁଏ, ୭ଟି ଗାଁ କଲ୍ୟାଣ ସମିତି ଓ ୪ଟି ପଞ୍ଚାୟତକୁ ସ୍ୱାସ୍ଥ୍ୟସେବାରେ ଉଲ୍ଲେଖନୀୟ କାର୍ଯ୍ୟ ନିମନ୍ତେ ପ୍ରତ୍ୟେକଙ୍କୁ ୧୦ହଜାର ଟଙ୍କା ଲେଖାଁଏ ଅର୍ଥ ରାଶି ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା ।