ଗଜପତି ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଗ୍ରାମ୍ୟ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଜିଲ୍ଲାପାଳ ଅନୁପମ ସାହାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ମୋହନା ବିଧାୟକ ଦାଶରଥି ଗମାଙ୍ଗ, ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ, ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷୀକା ସାରା ଶର୍ମା, ଅତିରିକ୍ତ ଜିଲ୍ଲାପାଳ ଜ୍ଞାନରଂଜନ ଭଂଜଦେଓ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ମହେଶ ଚୌଧୁରୀ, ଉପଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ପ୍ରମୁଖ ମଞ୍ଚାସୀନ ହୋଇଥିଲେ । ଏଥିରେ ଜିଲ୍ଲାର ସମସ୍ତ ତହସିଲଦାର, ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗଦେଇ ସମସ୍ତ ବିଭାଗ ଯଥା ଗ୍ରାମ୍ୟ ଉନ୍ନୟନ, ଜଳସେଚନ, କ୍ଷୁଦ୍ର ଜଳସେଚନ ପ୍ରମୁଖ ବିଭାଗର ଅଧିକାରୀମାନେ ଉପସ୍ଥିତଥିଲେ । ପ୍ରଥମେ ଅତିରିକ୍ତ ଜିଲ୍ଲାପାଳ ସ୍ୱାଗତ ଭାଷଣ ଦେବା ସହ ବୈଠକର ଏଜେଣ୍ଡା ବିଷୟରେ ଆଲୋଚନା କରିଥିଲେ । ଜଳସେଚନ ବିଭାଗର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀଙ୍କୁ ବିଭିନ୍ନ ଘାଇ ଏବଂ ନଦୀତଟ ମାନଙ୍କର ମରାମତି ଆସନ୍ତା ୧୫ ତାରିଖ ସୁଦ୍ଧା ଠିକ୍ କରିବାପାଇଁ ନିର୍ଦ୍ଦେଶ ଦିଆଯିବା ସହ ଅସ୍ଥାୟୀ ହେଲିପେଡ ପାଇଁ ଜାଗା ଚିହ୍ନଟ କରିବାକୁ କୁହାଯାଇଥିଲା । ପରବର୍ତ୍ତୀ ମୂହୁର୍ତ୍ତରେ ବିଦ୍ୟୁତ ଯୋଗାଣ କିପରି ନିରିବିଚ୍ଛିନ୍ନ ହେବ ସେଥିପାଇଁ ପାରଳାଖେମୁଣ୍ଡି ବିଧାୟକ ମତ ରଖିବା ସହ ହିତାଧିକାରୀମାନଙ୍କୁ ଡାଲି ଯଥାଶିଘ୍ର ବାଣ୍ଟିବାକୁ କହିଥିଲେ । ପୁଣି ବଂଶଧାରା ନଦୀ ତଟରେ ଆବଶ୍ୟକଥିବା ଗାର୍ଡ ୱାଲ୍ ନିର୍ମାଣ ଓ ମରାମତି ବିଷୟରେ ଆଲୋଚନା ହୋଇଥିଲା । ସେହିପରି ମୋହନା ବିଧାୟକ ଡାଲି ବାଣ୍ଟିବା କାର୍ଯ୍ୟ ତ୍ୱରାନିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବା ସହ ତାଙ୍କ ଅଞ୍ଚଳରେଥିବା ସମସ୍ତ ଜଳ ପ୍ରକଳ୍ପ ଗୁଡିକର ମରାମତି ବିଷୟରେ କହିଥିଲେ । ସେହିପରି ରାମଗିରି ଅଞ୍ଚଳରେ ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳୀ ନିର୍ମାଣ ବିଷୟରେ ଜିଲ୍ଲାପାଳଙ୍କୁ ଜଣାଇଥିଲେ । ବିପର୍ଯ୍ୟୟ ପୂର୍ବରୁ ଏବଂ ବିପର୍ଯ୍ୟୟ ପରେ ଆବଶ୍ୟକୀୟ ପୋଲିସ କର୍ମୀଙ୍କୁ ଯୋଗାଇବାପାଇଁ ଆରକ୍ଷୀ ଅଧିକ୍ଷକ ପ୍ରତିଶୃତି ଦେଇଥିଲେ । ବର୍ଷା ଆସିବା ପୂର୍ବରୁ ସମସ୍ତ ନଳକୂପ ପାନୀୟ ଜଳ ଉତ୍ସକୁ ଜୀବାଣୁ ମୁକ୍ତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ କୁହାଯାଇଥିଲା । ବର୍ଷା ସମୟରେ ପାରଳା ସହରକୁ ଲାଗି ରହିଥିବା ବିଭିନ୍ନ ନାଳମାନଙ୍କରେ ପାଣି ଆସି ସହରରେ ପଶିଥାଏ ଏହାକୁ ରୋକିବାକୁ ଆବଶ୍ୟକୀୟ ପଦକ୍ଷେପ ନେବାକୁ କ୍ଷୁଦ୍ର ଜଳସେଚନ ବିଭାଗର ଯନ୍ତ୍ରୀ ଓ ପୌର ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ସେହିପରି ଅପହଞ୍ଚ ଦୂରତାରେଥିବା ଗ୍ରାମରେ ଷ୍ଟୋରେଜ ପଏଣ୍ଟ ଚିହ୍ନଟ ପାଇଁ କୁହାଯାଇଥିଲା ।


