ଗଜପତି ଜିଲ୍ଲା ବିଜୁ ଜନତା ଦଳ ସଭାପତି କିଏ ଜୋରଦାର ଚର୍ଚ୍ଚା

ପାରଳାଖେମୁଣ୍ଡି, (ତାରିଣାୀ ପ୍ରସାଦ ପଣ୍ଡା) ସାରା ରାଜ୍ୟରେ ବିଜୁ ଜନତା ଦଳର ଜିଲ୍ଲା ସଭାପତି ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏ ନେଇ ଗଜପତି ଜିଲ୍ଲାରେ ବିଜୁ ଜନତା ଦଳର ଜିଲ୍ଲା ସଭାପତି କିଏ ହେବ ସେ ନେଇ ସମଗ୍ର ଜିଲ୍ଲାରେ ଜୋରଦାର ଚର୍ଚ୍ଚା ଚାଲୁରହିଛି । ବିଜୁ ଜନତା ଦଳର କେତେକ ନେତା କହିଛନ୍ତି ଯେ,ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ସଭାପତି ନବୀନ ପଟ୍ଟନାୟକ କୌଣସୀ ଚାପ କିମ୍ବା କଥାରେ ଗୁରୁତ୍ୱ ଦିଅନ୍ତି ନାହିଁ । କାର୍ଯ୍ୟଦକ୍ଷତା ଏବଂ ସାଙ୍ଗଠନିକ ଦକ୍ଷତାକୁ ନେଇ ବିଭିନ୍ନ ଚୟନ କରିଥାନ୍ତି । ତେଣୁ ଗଜପତି ଜିଲ୍ଲାରେ ବିଜୁ ଜନତା ଦଳରେ କାର୍ଯ୍ୟଦକ୍ଷତା ଏବଂ ସାଙ୍ଗଠନିକ ଦକ୍ଷତା ଆଦିକୁ ନେଇ ଦେଖିବାକୁ ଗଲେ ଗତ ୩ବର୍ଷର ସଭାପତି ପ୍ରଦୀପ ନାୟକ ସର୍ବାଗ୍ରେ ରହିବା ସ୍ୱାଭାବିକ । ଅନ୍ୟ ପକ୍ଷରେ ଜିଲ୍ଲା ସଭାପତି ପଦବୀ ପାଇଁ ଅନ୍ୟ କେତେକ ନେତା ଆଶାୟୀ ଅଛନ୍ତି । ଏମାନେ ଏହି ସମ୍ମାନଜନକ ସଭାପତି ପଦବୀ ହାତେଇବା ପାଇଁ ବିଭିନ୍ନ ଭାବେ ଲବି ଓ ପ୍ରୟାସ ଆରମ୍ଭ କରି ଦେଇଛନ୍ତି । ଗଜପତି ଜିଲ୍ଲା ବିଜୁ ଜନତା ଦଳର ଅନେକ ନେତା ଓ କର୍ମୀ ନିଜର ନାମକୁ ପ୍ରକାଶ ନ କରିବା ପାଇଁ ଅନୁରୋଧ କରି ଜଣାଇଛନ୍ତି ଗତ ୩ବର୍ଷ ଧରି ପ୍ରଦୀପ ନାୟକ ଜିଲ୍ଲା ସଭାପତି ରୁପେ ବିଭିନ୍ନ ଉଲ୍ଲେଖନୀୟ କାର୍ଯ୍ୟ ସମ୍ପାଦନା କରି ଦଳରେ ନିଜର କାର୍ଯ୍ୟଦକ୍ଷତାର ସଠିକ୍ ପରିଚୟ ଦେଇ ପାରିଛନ୍ତି । ବିଶେଷ କରି ଗଜପତି ଜିଲ୍ଲାରେ ବିଜୁ ଜନତା ଦଳର ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମରେ ବର୍ତ୍ତମାନର ଜିଲ୍ଲା ସଭାପତି ପ୍ରଦୀପ ନାୟକ ସମ୍ପୁର୍ଣ୍ଣ ସଫଳତା ହାସଲ କରିଛନ୍ତି । ସମଗ୍ର ଜିଲ୍ଲାରେ ବିଜୁ ଜନତା ଦଳ ତରଫରୁ ୧ଲକ୍ଷ ୨୦ ହଜାରରୁ ଉର୍ଦ୍ଧ ସଭ୍ୟଙ୍କୁ ନୁତନ ଭାବେ ସଂଗ୍ରହ କରି ରେକର୍ଡ ସୃଷ୍ଟି କରି ପାରିଛନ୍ତି । ଏଥି ସହ ଗଜପତି ଜିଲ୍ଲାରେ ସମସ୍ତ ବିଜୁ ଜନତା ଦଳର ଦଳୀୟ କାର୍ଯ୍ୟକ୍ରମ ଯଥା ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ,ପଦଯାତ୍ରା,ସାଂଗଠନିକ ସଭା ସମିତି ସହ ଗତକିଛି ମାସ ତଳେ ପାରଳାଖେମୁଣ୍ଡି ବିଜୁ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ବିଜୁ ଜନତା ଦଳର ପରିବର୍ଦ୍ଧିତ ଜିଲ୍ଲ୍ା କାର୍ଯ୍ୟକାରୀ କମିଟି ବୈଠକ ସୁଚାରୁ ରୁପେ ତୁଲାଇ ଶ୍ରୀ ନାୟକ ନିଜର କାର୍ଯ୍ୟ ଦକ୍ଷତାର ବେଶ ପରିଚୟ ଦେଇ ପାରିଛନ୍ତି । ଏହି ବୈଠକରେ ଏବଂ ପ୍ରଦୀପ ନାୟକ ନିଜ ଉଦ୍ୟମରେ ଅନ୍ୟ ଦଳରୁ ଶତାଧିକ କର୍ମୀ ଓ ନେତା ବିଜୁ ଜନତା ଦଳରେ ସାମିଲ କରି ଦଳକୁ ଶକ୍ତିଶାଳୀ କରି ପାରିଛନ୍ତି । ଏ ସବୁ କାର୍ଯ୍ୟଦକ୍ଷତା ଆଦି ଯୋଗୁଁ ପ୍ରଦୀପ ନାୟକ ପୁଣି ସଭାପତି ହେବା ନିଶ୍ଚିତ ବୋଲି ଏହି ନେତାମାନେ କହିଛନ୍ତି । ପ୍ରଦୀପ ନାୟକ ଏ ନେଇ କହିଛନ୍ତି,ଗଜପତି ଜିଲ୍ଲା ବିଜୁ ଜନତା ଦଳର ମୁଁ ନିଜକୁ ସଭାପତି ଭାବେ କେବେବି ଭାବି ନାହିଁ । ଜଣେ ଶୃଙ୍ଖଳିତ କର୍ମୀ ଭାବେ କାର୍ଯ୍ୟ କରି ଆସିଛି । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆଦେଶ ଓ ନିର୍ଦ୍ଦେଶରେ ଆଜି ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ କରିଆସିଛି । ପୁଣି ଜିଲ୍ଲା ସଭାପତି ପାଇଁ ମୁଁ ଆଶାୟୀ ନୁହେଁ । ତେବେ ସୁପ୍ରିମୋଙ୍କ ଆଦେଶ ଓ ଦଳୀୟ ନିଷ୍ପତ୍ତିକୁ ନେଇ ଜଣେ କର୍ମୀ ଭାବେ ମୁଁ ନିଜକୁ ଦଳ ପାଇଁ ନିୟୋଜିତ କରିବି । ଅପରପକ୍ଷରେ ବିଗତ ୧୫ବର୍ଷ ଧରି ସଭାପତି ଦାୟିତ୍ୱରେ ରହି ଆସିଥିବା ପୁର୍ବତନ ଜିଲ୍ଲା ବିଜେଡି ସଭାପତି ବସନ୍ତ ଦାସଙ୍କ ନାମ ନେଇ ମଧ୍ୟ ଜୋରଦାର ଚର୍ଚ୍ଚା ଚାଲିଛି । ବିଗତ ୧୫ବର୍ଷ ଧରି ସଭାପତି ଦାୟିତ୍ୱରେ ରହି ବହୁ ଗୁରୁତ୍ୱପୁର୍ଣ୍ଣ କାର୍ଯ୍ୟକ୍ରମ ସମ୍ପାଦନା କରି ଆସିଛନ୍ତି । ଦଳର ଜଣେ ପୁରତନ ବରିଷ୍ଠ ନେତା ହିସାବରେ ସମଗ୍ର ଗଜପତି ଜିଲ୍ଲାରେ ବସନ୍ତ ଭାଇନା ଭାବେ ବେଶ ଲୋକପ୍ରିୟ ଅଟନ୍ତି ।ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଠାରୁ ଆରମ୍ଭ କରି ରାଜ୍ୟସ୍ତରର ସମସ୍ତ ନେତା,ମନ୍ତ୍ରୀ.ବିଧାୟକ ସମସ୍ତଙ୍କ ଠାରେ ବସନ୍ତ ଦାସ ବେଶ ପରିଚିତ ଅଟନ୍ତି । ଏସବୁ କାରଣରୁ ବସନ୍ତ ଦାସ ପୁଣି ଗଜପତି ଜିଲ୍ଲା ସଭପତି ହୋଇପାରନ୍ତି ବୋଲି ଚର୍ଚ୍ଚା ଚାଲିଛି । ବସନ୍ତ ଦାସ ନିଜ ପ୍ରତିକ୍ରିୟାରେ କହିଛନ୍ତି,ଦଳର ମୁଖ୍ୟ ନବୀନ ବାବୁଙ୍କ ନିଷ୍ପତ୍ତିକୁ ମୁଁ ମାନି ନେବି । ସେହିପରି ଗଜପତି ଜିଲ୍ଲା ବିଜୁ ଜନତା ଦଳର ବର୍ତ୍ତମାନର କାର୍ଯ୍ୟକାରୀ ସଭାପତି ମାରୁତ ପାଳଙ୍କ ନାମ ନେଇ ମଧ୍ୟ ଚର୍ଚ୍ଚା ଚାଲିଛି । ମାରୁତ ପାଳ ଏ ନେଇ କହିଛନ୍ତି,ମୁଁ ଜିଲ୍ଲା ସଭାପତି ରେସ୍ରେ ନାହିଁ । ଦଳ ଯେଉଁ ଆଦେଶ ଯେତେବେଳେ ଦେଇଛି ମୁଁ ତାକୁ ମାନି କାର୍ଯ୍ୟ କରି ଚାଲିଛି । ଦଳ ଯେଉଁ ଦାୟିତ୍ୱ ଦେବ ମୁଁ ତାହା ଶୃଙ୍ଖଳାର ସହ ତୁଲାଇବି । ଏମାନଙ୍କ ସହ ଅନ୍ୟତମ ନେତା ଦଣ୍ଡାସି ସାହୁ ଏବଂ ଏସ.ଲିଙ୍ଗରାଜ ପ୍ରମୁଖଙ୍କ ନାମରେ ମଧ୍ୟ ଚର୍ଚ୍ଚାଚାଲିଛି । ଗଜପତି ଜିଲ୍ଲାରେ ୨ଗୋଟି ବିଧାନ ସଭା ଆସନ ରହିଛି । ବର୍ତ୍ତମାନ ପାରଳାଖେମୁଣ୍ଡି ବିଜେପି ହାତରେ ଥିବା ବେଳେ ମୋହନା ଆସନଟି କଂଗ୍ରେସ ହାତରେ ରହିଛି । ଏହାଛଡା ଆଗାମୀ ଦିନରେ ପୌର ନିର୍ବାଚନ ରହିଛି । ଏ ସବୁକୁ ଦୃଷ୍ଟିରେ ରଖି ରାଜ୍ୟ ନେତୃତ୍ୱ ଗଜପତି ଜିଲ୍ଲାରେ ଦଳର ଜିଲ୍ଲା ସଭାପତି ଚୟନରେ ସଠିକ୍ ପଦକ୍ଷେପ ଗ୍ରହଣ କରିବେ ।


