ଗଜପତି ଜିଲ୍ଲା ବିଜେପି ପକ୍ଷରୁ ବିଜୁଳି ଶୁଳ୍କ ବୃଦ୍ଧି ପ୍ରତ୍ୟାହାର ଓ ଅଘୋଷିତ ବିଜୁଳି କାଟ୍ ସମାଧାନକୁ ନେଇ ବିକ୍ଷୋଭ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ବିଜେପି ପକ୍ଷରୁ ରାଜ୍ୟ ସରକାରଙ୍କ ବିଜୁଳି ଶୁଳ୍କ ବୃଦ୍ଧି ପ୍ରତ୍ୟାହାର ଏବଂ ଜିଲ୍ଲାରେ ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦରେ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏଥି ସହ ରାଜ୍ୟପାଳଙ୍କ ଉଦ୍ଧେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଅତିରିକ୍ତ ଜିଲ୍ଲାପାଳ ଦାୟିତ୍ୱରେଥିବା ସଂଗ୍ରାମ ଶେଖର ପଣ୍ଡାଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ଏହି ଅବସରରେ ବହୁ ସଂଖ୍ୟାରେ ବିଜେପି କର୍ମୀ ଓ ନେତା ମାନେ ସ୍ଥାନୀୟ ଜେଲ ଛକଠାରୁ ଏକ ବିରାଟ ପ୍ରତିବାଦ ଶୋଭାଯାତ୍ରାରେ ବାହାରି ରାଜ୍ୟ ସରକାରଙ୍କ ନୀତି ବିରୋଧୀ ବିଭିନ୍ନ ନାରା ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟଲୟ ସମ୍ମୁଖରେ ପହଂଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବର୍ତ୍ତମାନ କରୋନା ମହାମାରୀ ସମୟରେ ବହୁ ଗରିବ ଖଟିଖିଆ, କୁଲି ମଜୁରିଆ ଓ ମଧ୍ୟବିତ୍ତ ଶ୍ରେଣୀର ଲୋକେ ସେମାନଙ୍କ ଜୀବିକା ହରାଇ ଭୋକ ଉପାସରେ ଦିନ କାଟୁଥିବାବେଳେ ଏଭଳି ସମୟରେ ରାଜ୍ୟ ସରକାର ବିଦ୍ୟୁତ ଶୁଳ୍କ ୟୁନିଟ ପିଛା ୨୦ ପଇସା ବୃଦ୍ଧି କରିବା ଏହା ଲୋକଙ୍କୁ ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି । ଏହାକୁ ରାଜ୍ୟ ସରକାର ତୁରନ୍ତ ପ୍ରତ୍ୟାହାର କରି ନିଅନ୍ତୁ ନଚେତ ଆଗାମୀ ଦିନରେ ଏହାର ପ୍ରତିବାଦରେ ତୀବ୍ର ଆନ୍ଦୋଳାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି କହିଥିଲେ । ସେହିଭଳି ଜିଲାରେ ବାରମ୍ବାର ବିଦ୍ୟୁତ ବିଭ୍ରାଟ ହେବା ସହ ଅଘୋଷିତ ବିଦ୍ୟୁତ କାଟ ପ୍ରତି ଜନସାଧାରଣ ଓ ଛାତ୍ରଛାତ୍ରୀ ଅତିଷ୍ଠ ହୋଇ ପଡିଲେଣି । ବର୍ତ୍ତମାନ ସମୟରେ ସ୍କୁଲ ଓ କଲେଜ ଖୋଲି ନଥିବାବେଳେ ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ କେବଳ ଅନ-ଲାଇନରେ ପାଠ ପଢା ହେଉଛି । ବିଦ୍ୟୁତ ବିଭ୍ରାଟ ଓ ବିଦ୍ୟୁତ କାଟ ଯୋଗୁଁ ସେମାନଙ୍କ ପାଠପଢାରେ ସମ୍ପୂର୍ଣ୍ଣ ଭାବେ ବ୍ୟାଘାତ ସୃଷ୍ଟି ହେବାରେ ଲାଗିଛି । ତେଣୁ ବିଦ୍ୟୁତ ଶୁଳ୍କ ବୃଦ୍ଧି ପ୍ରତ୍ୟାହାର ଏବଂ ବାରମ୍ବାର ବିଦ୍ୟୁତ କାଟର ଯଦି କୌଣସି ତୁରନ୍ତ ସମାଧାନ ନ ହୁଏ ତେବେ ବିଜେପି ପକ୍ଷରୁ ଏହାର ପ୍ରତିବାଦରେ ତୀବ୍ର ଆନ୍ଦୋଳନ କରାଯିବ ବୋଲି ବରିଷ୍ଠ ନେତା ନୃସିଂହ ଚରଣ ପଟ୍ଟନାୟକ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ବିଜେପି ନେତା ଶ୍ୟାମ ପାଣିଗ୍ରାହୀ, ବାରିକ ଜେନା, ଜଗନ୍ନାଥ ମହାପାତ୍ର, ପ୍ରଶାନ୍ତ କୁମାର ପାଳ, ସି.ଏଚ୍‌. ତାରିକେଶ୍ୱରୀ, ଅରୁଣୀମା ସାହୁ, କୃଷ୍ଣଚନ୍ଦ୍ର ବିଶୋୟୀ ପ୍ରମୁଖଙ୍କ ସହ ବହୁ କର୍ମୀ ଉପସ୍ଥିତଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ