ଗଜପତି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରୁ ଚୋରୀ ଶିଶୁ ୯ଦିନ ପରେ ଉଦ୍ଧାର,୩ଗିରଫ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଗତ ୨୧ତାରିଖ ଦିନ ପାରଳାଖେମୁଣ୍ଡି ଠାରେ ଥିବା ଗଜପତି ଜିଲ୍ଲାସ୍ତରୀୟ ମୁଖ୍ୟ ସରକାରୀ ଡାକ୍ତରଖାନା ପରିସରରୁ ୪ଦିନର ଏକ ଶିଶୁ ସନ୍ତାନ ଚୋରୀ ହୋଇଥିଲା । ଏହି ଘଟଣା ସେହି ସମୟରେ ସମଗ୍ର ଜିଲ୍ଲାରେ ଉଦ୍‌ବେଗ ପ୍‌ରକାଶ ପାଇବା ସହ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ଘଟଣାରୁ ପ୍ରକାଶ ଗତ ୧୮ତାରିଖ ଦିନ ନୁଆଗଡ ବ୍ଲକର ମଦନ ବଣୁଆଙ୍କ ସ୍ତ୍ରୀ କୁରି ପାଇକ ପ୍ରସବ ବେଦନାରେ ପାରଳାଖେମୁଣ୍ଡି ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ସେହି ଦିନ ହିଁ ଅସ୍ତ୍ରୋପଚାର ଦ୍ୱାରା ଏକ ଶିଶୁ ସନ୍ତାନକୁ ଜନ୍ମ ଦେଇଥିଲେ । ଶିଶୁ ସହ ମାଆ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ଗତ ୨୧ ମଧ୍ୟାହ୍ନରେ ଜଣେ ଅଚିହ୍ନା ମହିଳା ନିଜକୁ ବିଭାଗୀୟ କର୍ମଚାରୀ ବୋଲି ପରିଚୟ ଦେଇ ଚାରି ଦିନର ସନ୍ତାନଟିର ମୁଣ୍ଡରେ ଆଘାତ ହୋଇଛି,ତାର ଚିକିତ୍ସା କରିବାକୁ ପଡିବ ବୋଲି କହି ଶିଶୁଟିକୁ ନେଇ ଯାଇଥିଲା । କିଛି ସମୟ ପରେ ଶିଶୁଟି ଫେରି ନ ଆସିବାରୁ ତାର ମାଆ ସହ ସମ୍ପର୍କୀୟ ମାନେ ଖୋଜି ଥିଲେ । କିନ୍ତୁ ଶିଶୁଟିର କୌଣସି ସନ୍ଧାନ ମିଳି ନଥିଲା । ପରେ ପାରଳା ଥାନାରେ ଏ ନେଇ ଶିଶୁର ପିତା ଲିଖିତ ଅଭିଯୋଗ କରିଥିଲେ । ଏଥିରେ ପୋଲିସ ପାରଳାଖେମୁଣ୍ଡି ଡାକ୍ତରଖାନାର ସିସିଟିଭି ଫୁଟେଜ୍‌କୁ ଆଧାର କରି ତଦନ୍ତ ଆରମ୍ଭ କରିଥିଲେ । ସିସିଟିଭି ଫୁଟେଜ୍‌ରେ ୨ଜଣ ମହିଳା ଏକ ଆଟୋ ବ୍ୟବହାର କରିଥିବା ଦେଖା ଯାଇଥିଲା । ଏହାକୁ ଆଧାର କରି ପୋଲିସ ଆଟୋଟି ଆନ୍ଧ୍ରର ଶ୍ରୀକାକୁଲମ୍ ଜିଲ୍ଲାର ବୋଲି ଜାଣି ତଦନ୍ତକୁ ଆହୁରି ଆଗକୁ ନେଇଥିଲେ । ଏଥିରେ ସ୍ୱଷ୍ଟ ହେଲା ଯେଉଁ ମହିଳା ବିଭାଗୀୟ କର୍ମଚାରୀ ବୋଲି ପରିଚୟ ଦେଇ ଚାରି ଦିନର ଶିଶୁକୁ ଚୋରି କରି ନେଇଥିଲା ସେ ଆନ୍ଧ୍ରର ଶ୍ରୀକାକୁଲମ୍ ଜିଲ୍ଲାର ବାତ୍ତିଲି ଥାନାର ବାଲେରୁ ଗ୍ରାମର ବୋଲି ଜଣାଗଲା । ତାର ନାମ ଯେର୍ନ ଗୁଲା ମାଧୁରୀ । ଏହି ଚୋରିରେ ମାଧୁରୀକୁ ସହେଯାଗ କରିଥିଲା ଜାମି ସରସ୍ୱତୀ । ମାଧୁରୀ ନିସନ୍ତାନ ଥିବା ଯୋଗୁଁ ଶିଶୁ ସନ୍ତାନକୁ ପାଳିବା ଉଦ୍ଦେଶ୍ୟରେ ପାରଳାଖେମୁଣ୍ଡି ଡାକ୍ତରଖାନାରୁ ଚୋରି କରାଯାଇଥିବା ସୁଚନା ମିଳିଛି । ଏହି ଘଟଣାର ଅନ୍ୟତମ ମୁଖ୍ୟ ଆସାମୀ ସରସ୍ୱତୀର ସ୍ୱାମୀ ଯେର୍ନଗୁଲା କଣ୍ଡାୟା ସହ ସରସ୍ୱତୀ ଓ ମାଧୁରୀ ୩ଜଣଙ୍କୁ ପୋଲିସ ଗିରଫ କରିଛି । ଏମାନଙ୍କ ଠାରୁ ଶିଶୁ ସନ୍ତାନକୁ ଉଦ୍ଧାର କରି ଆବଶ୍ୟକ ଡାକ୍ତରୀ ପରୀକ୍ଷ ପରେ ତାର ମାଆ କୁରି ପାଇକକୁ ହସ୍ତାନ୍ତର କରାଯାଇଛି । ଶିଶୁ ଚୋରି ଘଟଣାର ୯ଦିନ ପରେ ଶିଶୁଟି ମାଆ କୋଳକୁ ଫେରି ଆସିଥିବା ଯୋଗୁଁ ପରିବାର ବର୍ଗ ଓ ସାଧାରଣରେ ବେଶ ଆନନ୍ଦ ପ୍ରକାଶ ପାଇଛି ଏବଂ ଏଥିନେଇ ପୋଲିସକୁ ଧନ୍ୟବାଦ ଅର୍ପଣ କରାଯାଇଛି । ଗଜପତି ଜିଲ୍ଲା ଏସପି ସାରା ଶର୍ମାଙ୍କ ନିର୍ଦ୍ଧେଶ କ୍ରମେ ପାରଳାଖେମୁଣ୍ଡି ଆଇଆଇସି ବିବେକା ନନ୍ଦ ସ୍ୱାଇଁଙ୍କ ନେତୃତ୍ୱରେ ପୋଲିସ ଦଳ ଏହି ଶିଶୁ ଚୋରି ଘଟଣାର ରହସ୍ୟ ଉନ୍ମୋଚନ ସହ ୩ଜଣଙ୍କୁ ଗିରଫ କରି ଶିଶୁକୁ ଉଦ୍ଧାର କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ