ଗଜପତି ପାଇଁ ସୁ ଖବର ଆନ୍ଧ୍ର ପଜିଟିଭ ସଂସ୍ପର୍ଶର ସମସ୍ତ ନମୁନା ନେଗେଟିଭ୍ ଆସିଲା
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ପଡୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା ଅନ୍ତର୍ଗତ ପୁରୁଣାପାଟଣା ନିକଟରେ ଯେଉଁ ୩ଗୋଟି ପଜିଟିଭ୍ ଚିହ୍ନଟ ହୋଇଥିଲା ତାଙ୍କ ସଂସ୍ପର୍ଶରେ ଆସିଥିବା ଏହି ଜିଲାର ସମସ୍ତ ୫୫ଜଣଙ୍କ ସ୍ୱାବ ପରୀକ୍ଷଣ ପାଇଁ ପଠାଯାଇଥିଲା । ସେଗୁଡିକ ସମସ୍ତ ନେଗେଟିଭ୍ ରହିଛି ବୋଲି ଜିଲାପାଳଙ୍କ ସୁତ୍ରରୁ ଜଣାପଡିଛି । ଜିଲାପାଳ ଅନୁପମ ସାହା ଏକ ଭିଡିଓ ବାର୍ତ୍ତା ଜାରି କରି ଏହି ସୁଚନା ଦେଇଛନ୍ତି । ସେହିପରି ଏହି ଭିଡିଓ ବାର୍ତ୍ତାରେ ଆହୁରି ମଧ୍ୟ କହିଛନ୍ତି, ପଡୋଶୀ ଆନ୍ଧ୍ରର ଶ୍ରୀକାକୁଲମ ଜିଲାରେ ଆଉ ୨/୩ଟି ପଜିଟିଭ୍ କେସ ଆସିବାର ସମ୍ଭାବନା ରହିଛି । ଗଜପତି ଜିଲ୍ଲା ଏକ ଆନ୍ଧ୍ର ସୀମାନ୍ତବର୍ତ୍ତୀ ଅଞ୍ଚଳ ହୋଇଥିବାରୁ ଏଠାରେ ଲକ୍ଡାଉନ ନିୟମକୁ କଡାକଡି ଭାବେ ପାଳନ କରିବାକୁ ସେ ଆହ୍ୱାନ ଦେଇଛନ୍ତି । ଜିଲାର ଗାରବନ୍ଧ ଠାରୁ ଆରମ୍ଭ କରି ଗୁଣୁପୁର ପର୍ଯ୍ୟନ୍ତ ପ୍ରାୟ ୭୦ରୁ ୮୦କିଲୋମିଟର ଅଞ୍ଚଳରେ ଅନେକ ସ୍ଥାନରେ ଆନ୍ଧ୍ର ସହ ସଂଲଗ୍ନ ରହିଛି । ତେଣୁ ଏହି ସବୁ ସ୍ଥାନରେ ନାକା ପଏଣ୍ଟ କରାଯାଇ ପୋଲିସ ପକ୍ଷରୁ ସୁରକ୍ଷା ବଳୟକୁ କଡାକଡି ଭାବେ ବଳବତ୍ତର ରଖାଯାଇଛି । ସେହିପରି ଭାବେ ସକାଳ ୬ଟାରୁ ଦିନ ୧୦ଘଣ୍ଟା ଓ ସନ୍ଧ୍ୟା ୫ଟାରୁ ୭ଘଣ୍ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଗୁଡିକ ପୂର୍ବପରି ଖୋଲା ରହିବ ବୋଲି ଜିଲାପାଳ ଏହି ବାର୍ତ୍ତାରେ କହିଛନ୍ତି । ବର୍ତ୍ତମାନ ସମୟରେ ଲକ୍ଡାଉନ୍ ନିୟମକୁ ମାନି ସାମାଜିକ ଦୂରତା ରକ୍ଷାକରିବା, ମାସ୍କ ପରିଧାନ କରିବା ଏବଂ ବାରମ୍ବାର ହାତ ଧୋଇବା ସହ ଘରେ ରହି ନିଜେ ସୁରକ୍ଷିତ ରହିବା ସହ ଅନ୍ୟମାନଙ୍କୁ ମଧ୍ୟ ସୁରକ୍ଷିତ ରହିବାରେ ସହଯୋଗ କରିବାପାଇଁ ଜିଲାପାଳ ଏହି ବାର୍ତ୍ତାରେ ଆହ୍ୱାନ ଦେଇଛନ୍ତି ।


