ଗଜପତି ପ୍ରଶାସନ ତରଫରୁ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଶିଶୁପାଇଁ ଦିନଟିଏ କାର୍ଯ୍ୟକ୍ରମ ପାଳିତି ହୋଇଯାଇଛି । ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା କମିଟି, ଜିଲ୍ଲା ଟାସ୍କ ଫୋର୍ସ-ବାଲ୍ୟବିବାହ ନିରୋଧ, ଜିଲ୍ଲା ଟାସ୍କ ଫୋର୍ସ-ଶିଶୁ ଶ୍ରମିକ ନିରାକରଣ ଏବଂ ଚାଇଲ୍ଡଲାଇନ୍ ପରାମର୍ଶ ଦାତା କମିଟିର ବୈଠକ ମିଳିତ ଭାବରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗତ ଟାସ୍କ ଫୋର୍ସ- ବାଲ୍ୟବିବାହ କମିଟି ବୈଠକର ବିବରଣୀ ଉପରେ କେତେକାର୍ଯ୍ୟ ହାତକୁ ନିଆଯାଉଛି ତାହା ଉପରେ ୟୁଏନ୍ଏଫପିଏର ଜିଲ୍ଲା ପ୍ରତିନିଧି ସଂଯୁକ୍ତା ତ୍ରିପାଠୀ ପୁଙ୍ଖାନୁପୁଙ୍ଖ ଭାବେ ଜିଲ୍ଲାପାଳଙ୍କୁ ଅବଗତ କରିଥିଲେ । ୨୦୨୧-୨୨ ବର୍ଷର କାର୍ଯ୍ୟ ଖସଡା ମଧ୍ୟ ଜିଲ୍ଲା ତରଫରୁ ପ୍ରସ୍ତୁତ କରାଯିବା କଥା ଆକ୍ସନଏଡ୍ର ଜିଲ୍ଲା ପ୍ରତିନିଧି ବିକାଶ କୁମାର ମେହେର ସଭାଗୃହରେ ସମସ୍ତଙ୍କୁ ଅବଗତ କରିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ ଜିଲ୍ଲାରେ ଥିବା ଶିଶୁ ସୁରକ୍ଷା ଉପରେ ସମସ୍ତ ସେବା ପ୍ରଦାନକାରୀ ସଂସ୍ଥା ଏବଂ ନିଷ୍ପତ୍ତିି ନେବା ସଂସ୍ଥାର ବିବରଣୀ ପ୍ରଦାନ କରିବା ସହ ଆଗାମି ଦିନରେ ଗଜପତିରେ କିପରି ଶିଶୁ ସୁରକ୍ଷାର ବାର୍ତ୍ତା ଜିଲ୍ଲାର ଶେଷ ଶିଶୁ ପାଖରେ ପହଞ୍ôଚବ ସେଥିପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ଶିଶୁ ସୁରକ୍ଷାରେ ସଂପୃକ୍ତ ଥିବା ବେସରକାରୀ ଅନୁଷ୍ଠାନମାନେ କିପରି ଅତ୍ୟଧିକ କାମ କରିବେ ତା ଉପରେ ଗୁରୁତ୍ୱ ଦେଇଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣ ସମ୍ପାଦକ ବ୍ୟେମକେଶ ନାୟକ ଯୋଗଦେଇ ଶିଶୁଯତ୍ନ ଅନୁଷ୍ଠାନର ଆନୁସଙ୍ଗିକ ସମ୍ବଳକୁ କିପରି ବୃଦ୍ଧି କରାଯିବ ତାହା ଉପରେ ଜିଲ୍ଲାପାଳଙ୍କ ନଜରକୁ ଆଣିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ପ୍ରଦୀପ କୁମାର ପାତ୍ର ଯୋଗ ଦେଇ ମାନସିକ ବିକୃତ ଶିଶୁ ମାନଙ୍କୁ କିପରି ସୁରକ୍ଷା ଓ ଯତ୍ନ ନିଆଯାଇପାରିବ ତାହାରି ଉପରେ ଗୁରୁତ୍ୱ ଦେଇଥିଲେ । ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ସରୋଜ କୁମାର ବେହେରା ଯୋଗଦେଇ ବିଲମ୍ବ ବିବାହ ପ୍ରୋତ୍ସାହନ ରାଶିକୁ କିପରି ହିତାଧିକାରୀଙ୍କୁ ବଣ୍ଟନ କରାଯିବ ତାହାଉପରେ ଗୁରୁତ୍ୱ ଦେଇଥିଲେ । ପାରଳାଖେମୁଣ୍ଡି ପୌରପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଶୋକ ରାଉତ ସହରରେ ରହୁଥିବା ରାସ୍ତା କଡରେ ବୁଲୁଥିବା ଶିଶୁମାନହ୍କୁ କିପରି ଉଦ୍ଧାର କରି ଥଇଥାନ କରାଯିବ ତାହା ଉପରେ ଗୁରୁତ୍ୱ ଦେଇଥିଲେ । ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଗ ଯୋଗଦେଇ ପ୍ରତି ସ୍କୁଲ କାନ୍ଥରେ ବାଲ୍ୟବିବାହକୁ ନା ଏବଂ ବିଦ୍ୟାଳୟକୁ ହେଁ ଏବଂ ଚାଇଲ୍ଡଲାଇନର ଟୋଲଫ୍ରି ନଂ ଲେଖି ସଚେତନତା ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦେଇଥିଲେ । ଏହି ଅବସରରେ ଜିଲ୍ଲାପାଳ ଶ୍ରୀପଣ୍ଡା ରାଜ୍ୟସ୍ତରୀୟ ମୋବାଇଲ୍ ରୋବଟ୍ ପ୍ରତିଯୋଗିତାରେ ସ୍ୱର୍ଣ୍ଣପଦକ ହାସଲ କରିଥିବା ଦୀପକ କୁମାର ବେଣିଆଙ୍କୁ ସମ୍ମାନିତ କରିଥିଲେ । ସେହିପରି କିଛି ଆଶୀର୍ବଦ ଏବଂ ପୃଷ୍ଠପୋଷକତା ସହାୟତା ଯୋଜନାରେ କିଛି ହିତାଧିକାରୀଙ୍କୁ ଚେକ୍ ବଣ୍ଟନ ମଧ୍ୟ କରିଥିଲେ । ଶେଷରେ ଜିଲ୍ଲାପାଳ ଶିଶୁସୁରକ୍ଷା ଏକ ସମ୍ବେଦନ ଶୀଳ ପ୍ରସଙ୍ଗ ହୋଇଥିବାରୁ ସମସ୍ତଙ୍କ ସହଯୋଗ ରହିବା ଆବଶ୍ୟକ ଉପରେ ଗୁରୁତ୍ୱ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ମିନତି ଦେଇ, ଜିଲ୍ଲା ଶ୍ରମ ଅଧିକାରୀ ସୁବାଷ ଚନ୍ଦ୍ର ମଣ୍ଡଳ, ସମସ୍ତ ବ୍ଲକର ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ, ସମସ୍ତ ଚାଇଲ୍ଡଲାଇନ୍ର କର୍ମକର୍ତ୍ତା, ନେହେରୁ ଯୁବ କେନ୍ଦ୍ରର ଯୁବ ସଂଯୋଜକ ବିଜୟ କୁମାର ମହାପାତ୍ର, କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରିଣୀ ସତ୍ୟ ସମ୍ପନ୍ନା ରାଉତ ଏବଂ କାଶୀନଗର, ଗୁମ୍ମା ଏବଂ ମୋହନା ପଞ୍ଚାୟତ ସମିତିର ଅଧ୍ୟକ୍ଷ ଏବଂ ଅଧ୍ୟକ୍ଷା ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ଶେଷରେ ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ପ୍ରମୋଦ କୁମାର ରାଉଳ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।


