ଗଜପତି ମହାରାଜାଙ୍କ ପ୍ରତି ଅସମ୍ମାନ : ଉତ୍କଳ ଦିବସରେ ମଧ୍ୟ ମନେ ପଡିଲାନି
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ସାରା ରାଜ୍ୟରେ ଉତ୍କଳ ଦିବସକୁ ଆଜି ପାଳନ କରାଯାଉଛି । ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନର ସମସ୍ତ କର୍ଣ୍ଣଧାରମାନଙ୍କୁ ଆଜିର ଉତ୍କଳ ଦିବସରେ ଉଚିତ ସମ୍ମାନ ପ୍ରଦର୍ଶନ କରାଯିବା ସହ ସେମାନଙ୍କ ତ୍ୟାଗ ଆଦର୍ଶ ନେଇ ପ୍ରେତ୍ୟକ ଅନୁପ୍ରାଣିତ ହେବା ପାଇଁ ଆହ୍ୱାନ ଦିଆଯାଉଛି । ହେଲେ ଅତ୍ୟନ୍ତ ଦୁଃଖର ବିଷୟ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଅନ୍ୟତମ ପ୍ରମୁଖ ମୁଖ୍ୟ ବିନ୍ଧାଣୀ ପାରଳା ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ନାରାୟଣ ଦେବ । ତାଙ୍କରି ନାମରେ ଗଜପତି ଜିଲ୍ଲା ନାମିତ ହୋଇଛି । ହେଲେ ତାଙ୍କରି ଗଜପତି ଜିଲ୍ଲାରେ ତାଙ୍କୁ ଅସମ୍ମାନ ପ୍ରଦର୍ଶନ କରାଯାଉଥିବା ଦେଖିବାକୁ ମିଳିଛି । ଏପରିକି ଆଜିର ଉତ୍କଳ ଦିବସରେ ମହାରାଜାଙ୍କ କଥା ମଧ୍ୟ କାହାକୁ ମନେ ପଡିଲା ନାହିଁ । ଏଭଳି ଏକ ଘଟଣା ଘଟିଛି, ଗଜପତି ଜିଲ୍ଲା କାଶୀନଗର ବ୍ଲକର ଇଦୁଡି ପ୍ରାଥମିକ ବିଦ୍ୟାଳୟ ଠାରେ । ସରକାରୀ ଭାବେ ଏହି ବିଦ୍ୟାଳୟ ବର୍ତ୍ତମାନ ବନ୍ଦ ରହିଛି । ଏହି ବିଦ୍ୟାଳୟ ପରିସରରେ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତିଙ୍କ ପ୍ରତିମୂର୍ତ୍ତ ଆରମ୍ଭରୁ ପ୍ରତିଷ୍ଠା କରାଯାଇଛି । ବନ୍ଦ ସ୍କୁଲର ଅପରିଷ୍କାର ପରିବେଶରେ ଅତ୍ୟନ୍ତ ଅବହେଳିତ ଅବସ୍ଥାରେ ଗଜପତିଙ୍କ ପ୍ରତିମୂର୍ତ୍ତୀଟି ରହିଛି । ଆଜିର ଉତ୍କଳ ଦିବସରେ ମହାରାଜାଙ୍କ ପ୍ରତିମୂର୍ତ୍ତୀ ସହ ସେହି ଅଞ୍ଚଳକୁ ପରିଷ୍କାର କରି ଉପଯୁକ୍ତ ସମ୍ମାନ ସହ ଏକ ଫୁଲମାଳ ପ୍ରଦାନ ପାଇଁ ଏହି ଅଞ୍ଚଳର ବୁଦ୍ଧିଜୀବୀମାନେ ବିଡିଓ ଏବଂ ବିଇଓଙ୍କୁ ଅବଗତ କରିଥିଲେ । ହେଲେ ଏନେଇ କୌଣସି ପଦକ୍ଷେପ ଗ୍ରହଣ କରାଗଲା ନାହିଁ । ଯେଉଁ ଐତିହାସିକ ମହାପୁରୁଷଙ୍କ ବିନା ଭାଷା ଭିତ୍ତିକ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ସ୍ୱପ୍ନ ସାକାର ସମ୍ଭବ ନଥିଲା । ସେଭଳି ବ୍ୟକ୍ତିତ୍ୱଙ୍କ ପ୍ରତି ଅସମ୍ମାନ ପୁଣି ତାଙ୍କ ନିଜସ୍ୱ ଜିଲ୍ଲାରେ ଏହା ଅତ୍ୟନ୍ତ ଦୁଃଖ ଓ ପରିତାପର ବିିଷୟ ଏବଂ ସମଗ୍ର ଓଡିଶା ପାଇଁ ଅସମ୍ମାନର ବିଷୟ ଅଟେ ।