ଗଜପତି ରାୟଗଡରେ ମିଶନ ଶକ୍ତି ସିଲେଇ ତାଲିମ କେନ୍ଦ୍ର ଉଦ୍‌ଘାଟିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ରାୟଗଡ ବ୍ଲକ ସଦରମହକୁମା ରାୟଗଡ ଠାରେ ମିଶନ ଶକ୍ତି ସିଲେଇ ଓ ତାଲିମ କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି । ଗତକାଲି ଅଗଷ୍ଟ ୧୫ ତାରିଖରେ ଏହି ତାଲିମ କେନ୍ଦ୍ରକୁ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଉଦ୍‌ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅନାମ ଚରଣ ପାତ୍ର, ସମନ୍ନିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ସରୋଜ କୁମାର ବେହେରା, ଜିଲ୍ଲା ମଙ୍ଗଳ ଅଧିକାରୀ ସନ୍ତୋଷ କୁମାର ରଥ, ରାୟଗଡ ଗୋଷ୍ଠି ଉନ୍ନୟନ ଅଧିକାରୀ ରାଜାରଂଜିତ ପ୍ରତାପ ବଳ ପ୍ରମୁଖ ଉପସ୍ଥିତଥିଲେ । ଏହି କେନ୍ଦ୍ର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ପ୍ରୋତ୍ସାହିତ ଏବଂ ରୋଜଗାର କ୍ଷମ କରିବା ନିମନ୍ତେ ମିଶନ ଶକ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ସମନ୍ନିତ ଆଦିବାସୀ ଉନ୍ନୟନ ସଂସ୍ଥା ମିଳିତ ଉଦ୍ୟମରେ ପ୍ରତିଷ୍ଠା ହୋଇଛି । ଏହି ସିଲେଇ କେନ୍ଦ୍ର ମାଧ୍ୟମରେ ୭ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀର ୭୦ ଜଣ ମହିଳା ବିଭିନ୍ନ ପ୍ରକାର ପୋଷାକ ସିଲେଇ କରି ସ୍ୱାବଲମ୍ବି ଓ ଆତ୍ମ ନିର୍ଭରଶୀଳ ହୋଇପାରିବେ । ଏହି ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ରାୟଗଡ ପଞ୍ଚାୟତ ସମିତରେ ଥିବା ୫୫ ଗୋଟି ସ୍କୁଲର ୫୯୦୯ ଜଣ ଛାତ୍ରଛାତ୍ରୀ ମାନଙ୍କର ଦୁଇ ହଳ ସ୍ମୁଲ ପୋଷାକ ସିଲେଇ କରିବା ନିମନ୍ତେ ଯୋଗାଣ ଆଦେଶ ଦିଆଯାଇଅଛି । ସେହିଭଳି ସମଗ୍ର ଗଜପତି ଜିଲ୍ଲାରେ ୮୦ ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ମରେ ୪୦୫ ଗୋଟି ବିଦ୍ୟାଳୟର ୩୮୪୮୧ ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ଦୁଇ ହଳ ପୋଷାକ ପ୍ରସ୍ତୁତ କରିବାର ବ୍ୟବସ୍ଥା କରାଯାଇଅଛି । ଏହି ଯୋଜନା ଦ୍ୱାରା ୧.୫୫ କୋଟି ଟଙ୍କା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କର ଜମାଖାତାକୁ ସିଧାସଳଖ ପ୍ରେରଣ କରିବା ନିମନ୍ତେ ବ୍ୟବସ୍ଥା କରାଯାଇଅଛି । ଏହା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କର ଆର୍ଥିକ ଅଭିବୃଦ୍ଧିରେ ସହାୟକ ହେବ । ଜିଲ୍ଲାର ସମସ୍ତ ବ୍ଲକ ମାନଙ୍କରେ ଏହି ଭଳି ମିଶନ ଶକ୍ତି ସିଲେଇ ଓ ତାଲିମ କେନ୍ଦ୍ର ପ୍ରତିଷ୍ଠା କରାଯାଇ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ମାନଙ୍କୁ ତାଲିମ ଓ ରୋଜଗାରକ୍ଷମ କରାଯିବାର ବ୍ୟବସ୍ଥା କରାଯାଇଅଛି ବୋଲି ସୂଚନା ପ୍ରଦାନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ