ଗଜଲକ୍ଷ୍ମୀ ପୂଜା ନିମନ୍ତେ ୯ ରୁ ୧୮ ତାରିଖ ଯାଏ ଭାରୀ ଯାନ ଚଳା ଚଳ ଉପରେ ପ୍ରଶାସନିକ କଟକଣା
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସହରରେ ଗଜଲକ୍ଷ୍ମୀ ପୂଜା ଉପଲକ୍ଷେ ଚଳିତମାସ ୯ ତାରିଖ ଠାରୁ ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ପୋଲିସ ପ୍ରଶାସନ ପକ୍ଷରୁ ଭାରିଯାନ ଚଳାଚଳ ଉପରେ କଟକଣା ଲାଗୁ କରାଯାଇଛି । ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ସହରରେ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ପାଳନ ଅବସରରେ ପ୍ରବଳ ଜନସମାଗମ ହେତୁ ତଥା ରାସ୍ତା ଓ ସଡକ ଦୁର୍ଘଟଣା ଏଡାଇବା ଜନିତ ଏବଂ ସାଧାରଣ ଜନତା ଓ ଯାତ୍ରୀମାନଙ୍କ ସୁବିଧା ଯାତାୟତ ଓ ଧନ ଜୀବନ ସୁରକ୍ଷା ନିମିତ ଜିଲ୍ଲାପାଳ ମଟର ଯାନ ଆଇନର ୧୯୮୮ ଅଧି ନିୟମ ୧୧୫ ଅନୁଯାୟୀ ଚଳିତମାସ ୯ ତାରିଖ ଠାରୁ ୧୮ତାରିଖ ପର୍ଯ୍ୟନ୍ତ ସହରରେ ଭାରୀଯାନ ଚଳାଚଳ ଉପରେ କଟକଣା ଲାଗୁ କରିଛନ୍ତି । ଏହି ସମୟରେ କୌଣସି ଭାରୀଯାନ ଯଥା ଟ୍ରକ, ବସ, ୪୦୭, ମିନି ବସ, ଟ୍ରାକ୍ଟର, ଜେସିବି ପ୍ରଭୃତି ଗାଡି ଗୁଡିକ ସହର ମଧ୍ୟକୁ ପ୍ରବେଶ କରିପାରିବେ ନାହିଁ । ତିନିମୁହାଣି ଛକ ଠାରୁ ଇଚ୍ଛାପୁରକୁ ସହର ମଧ୍ୟ ଦେଇ ଏହି ଯାନ ଗୁଡିକ ଯିବା ଉପରେ ପ୍ରତିବନ୍ଧକ ଲଗାଯାଇଛି । ତିନିମୁହାଣିରୁ ପଟ୍ଟାମୁଣ୍ଡାଇ ଆଡେ ଯାଉଥିବା ଭାରୀ ଯାନ ଗୁଡିକ ଚଳାଚଳ କରି ପାରିବେ । ସେହିପରି ଦୁହୁରିଆ ଠାରୁ ମାର୍ଶାଘାଇ ମହାକାଳପଡା ଆଦି ଅଞ୍ଚଳକୁ ଯାଉଥିବା ଗାଡି ଗୁଡିକ ଜାତୀୟ ରାଜପଥ ଦେଇ ଚଳାଚଳ କରି ପାରିବେ । ସେହିପରି ୨ ଚକିଆ, ଅଟୋରିକ୍ସା , ରିକ୍ସା ଗୁଡିକ ସହର ମଧ୍ୟରେ ଯିବା ଆସିବା କରିବାକୁ ସୀମିତ ସମୟ ମଧ୍ୟରେ ଯାଇ ପାରିବେ । ଏଥି ସହିତ ତିନିମୁହାଣୀରୁ ମେଡିକାଲକୁ ଆସୁଥିବା ଗାଡି ଗୁଡିକ ନୁଆବସଷ୍ଟାଣ୍ଡ ଗୋବରୀ ନଦୀ ରିଂ ରୋଡ, କେନ୍ଦ୍ରାପଡା ହାଇସ୍କୁଲ, ଜଇପୁରା ବସ୍ତି, ସୁନାଇଲୋ ଛକ ଦେଇ ମେଡିକାଲକୁ ଯାଇ ପାରିବେ । ସେହିପରି ଗରାପୁର ପଟୁ ମେଡିକାଲକୁ ଆସୁଥିବା ଗାଡି ଗୁଡିକ କାଳି ମନ୍ଦିର ଛକ, ରଣପଡା, କେନ୍ଦ୍ରାପଡା ହାଇସ୍କୁଲ ଛକ, ଜଇପୁରା ବସ୍ତି, ସୁନାଇଲୋ ଦେଇ ମେଡିକାଲକୁ ଯାଇପାରିବେ । ସେହିପରି ଇଚ୍ଛାପୁର ପଟୁ ମେଡିକାଲକୁ ଆସୁଥିବା ଗାଡି ଗୁଡିକ ତଳବାରଙ୍ଗ, ଟାଉନ ବଳରାମପୁର, ଏକଣାଖଣ୍ଡି ବ୍ରିଜ ଦେଇ ମେଡିକାଲକୁ ଯାଇ ପାରିବେ । ସେହିପରି ଅନ୍ୟ ଏକ ରୁଟରେ ଗରାପୁର ଅଞ୍ଚଳରୁ ମେଡିକାଲକୁ ଆସୁଥିବା ଏବଂ ଆମ୍ବୁଲାନ୍ସ ଖଡିଅଙ୍ଗ ଛକ, ହାଇସ୍କୁଲ ଛକ, ରଣପଡା ଦେଇ ଆସିପାରିବେ । ଗୋପ ଛକରୁ ବଳଦେବଜୀଉ ମନ୍ଦିର ଆଡୁ ଆସୁଥିବା ଗାଡି ଗୁଡିକ ତୁଳସୀ କଲେଜ, ସାନମଙ୍ଗଳା, ବଡ ମଙ୍ଗଳା ଦେଇ ବ୍ଲକ ଛକ ରୁଟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳକୁ ଯାତାୟତ କରି ପାରିବେ । ସେହିପରି ପୂଜା ସମୟରେ ଶ୍ୟାମସୁନ୍ଦରପୁର ପଟୁ ଆସୁଥିବା ଗାଡି ଗୁଡିକ ୫ ନମ୍ବର (କ) ଜାତୀୟ ରାଜପଥ ଦେଇ ଯାତାୟତ କରିପାରିବେ । ସେହି ରୁଟରେ ଆସୁଥିବା ଗାଡି ସାନମଙ୍ଗଳା ଛକରୁ କେଶପୁର ଛକକୁ ଯାତାୟତ କରିପାରିବେ ନାହିଁ । ସେହିପରି ପଟ୍ଟାମୁଣ୍ଡାଇ, ଆଳି ଓ ରାଜନଗରରୁ ମେଡିକାଲକୁ ଆସୁଥିବା ଯାନ ଗୁଡିକ ଗରାପୁର କାଳିଛକ, ଚଣପଡା, ହଜାରି ବଗିଚା, ଦେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସି ପାରିବେ । ଏଥି ସହିତ କାକଟ ଲକରୁ କେଶପୁର ଛକ ମଧ୍ୟରେ ଯାନ ଗୁଡିକ ଉପରେ କଟକଣା ଲଗାଯାଇଥିବା ବେଳେ ହାଇସ୍କୁଲ ଛକରୁ ଖଡିଅଙ୍ଗ, ବସଷ୍ଟାଣ୍ଡରୁ ବଡହାଟ, ମେଡିକାଲ ଛକରୁ ଏସବିଆଇ ଛକ ଦେଇ ମେଡିକାଲ ଛକକୁ ଯିବାକୁ ବାରଣ କରାଯାଇଛି । ପୁରୁଣା ବସଷ୍ଟାଣ୍ଡରୁ ସାନ୍ତ ସାହି ଛକକୁ ସହର ମଧ୍ୟ ଦେଇ ଯାନ ଉପରେ କଟକଣା ଲଗାଯାଇଛି । ଏହି ସମୟରେ କେବଳ ଆମ୍ବୁଲାନ୍ସ, ଅଗ୍ନିଶମ, ପୋଲିସ, ଏବଂ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ଗାଡି ଗୁଡିକ ଯାତାୟତ କରି ପାରିବେ ବୋଲି ପୋଲିସ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।


