ଗଞ୍ଜାମରେ ପ୍ରତିଷ୍ଠା ହେବ ଗାଁ ମେସିନ୍ ବ୍ୟାଙ୍କ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍): ଗଞ୍ଜାମ ଜିଲ୍ଲାରେ ପ୍ରଶାସନ ତରଫରୁ କୃଷିର ଯାନ୍ତ୍ରୀକ କରଣ ପାଇଁ ଗାଁ ମେସିନ୍ ବ୍ୟାଙ୍କ ପ୍ରତିଷ୍ଠା କରାଯିବ ଏକ ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏହାର ରୂପରେଖ ପ୍ରସ୍ତୁତ କରିବାକୁ ସଂପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ପର୍ଯ୍ୟାୟରେ ଏହା ବ୍ରହ୍ମପୁର, ଛତ୍ରପୁର ଓ ଭଞ୍ଜନଗର ସବଡିଭିଜନର ଗୋଟିଏ ଲେଖାଏଁ ପଞ୍ଚାୟତ ରେ ପରୀକ୍ଷାମୂଳକ ଭାବେ ଆରମ୍ଭ କରାଯିବ । ଏହି ମେସିନ୍ ବ୍ୟାଙ୍କ ରେ ବୃହତ୍ କୃଷି ଯନ୍ତ୍ରପାତି ଯଥା କମ୍ବାଇନ୍ ହାର୍ଭେଷ୍ଟର, ଜେସିବି ମେସିନ୍, ଟ୍ରାକ୍ଟର, ପାଓ୍ବାର ଟିଲର୍ , ଧାନରୁଆ ମେସିନ୍ ଠାରୁ ଆରମ୍ଭ କରି କ୍ଷୁଦ୍ର ସରଞ୍ଜାମ ଗଚ୍ଛିତ ରହିବ । ସ୍ଥାନୀୟ ସ୍ବୟଂ ସହାୟିକା ଗୋଷ୍ଠୀ ଏହାର ଦାୟିତ୍ବରେ ରହିବେ । ଏହା ଚାଷୀଙ୍କୁ କୌଣସି ଲାଭ ଜନକ ଉଦ୍ଦେଶ୍ୟ ନରଖି ସହାୟତା ଉଦ୍ଦେଶ୍ୟରେ କାର୍ଯ୍ୟ କରିବ । ଅନ୍ୟ ପକ୍ଷରେ ଏହା କୃଷି ଯନ୍ତ୍ରପାତିର ପ୍ରଦର୍ଶନ କ୍ଷେତ୍ର ଭାବରେ କାର୍ଯ୍ୟ କରିବ ଯାହାଦ୍ବାରା ଚାଷୀମାନେ ଉପଯୋଗିତା ଜାଣିଲା ପରେ ନିଜେ କ୍ରୟ କରିବାକୁ ଆଗ୍ରହୀ ହେବେ । ଏଥିପାଇଁ କୃଷି ବିଭାଗର ସବସିଡି ଅର୍ଥ ଓ ସମବାୟ ବ୍ୟାଙ୍କ ରୁ ଋଣ ସହାୟତା ନିଆଯିବ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରେୟ ଭାଉସାହେବ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଭଞ୍ଜନଗର ଉପ ଜିଲ୍ଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ, କୃଷି ଉପନିର୍ଦ୍ଦେଶକ ମନୋଜ କୁମାର ବେହେରା, ଉଦ୍ୟାନ ଉପ ନିର୍ଦ୍ଦେଶକ ଦିଗମ୍ବର ପଣ୍ଡା, ସମବାୟ ଉପନିବନ୍ଧକ ବିଶ୍ବ ରଞ୍ଜନ ଦାଶ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ