ଗଞ୍ଜାମର ଐତିହାସିକ ଦୋଳଯାତ୍ରା ଆରମ୍ଭ ଠାକୁରଙ୍କୁ ଫଗୁ ଅର୍ପଣ, ସହର ଉତ୍ସବମୁଖର
ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ଐତିହ୍ୟ ଦୋଳଯାତ୍ରା ଉତ୍ସବ ଆଜିଠାରୁ ଆରମ୍ଭହୋଇଛି । ଆଜି ଫଗୁଦଶମୀ ୧୬ଟି ଠାକୁରଙ୍କ ନିକଟରେ ଫଗୁ ଲାଗି ହୋଇଛି । ଫଗୁ ଭୋଗ ହେବା ପରେ ଗାଧାକୃଷ୍ଣଙ୍କୁ ଅର୍ପଣ ହୋଇଛି। ଆସନ୍ତା କାଲି ଏକାଦଶୀ ଯାତ୍ରାରେ ଭାଗ ନେଉଥିବା ସମସ୍ତ ସାହି ଓ ଗାଁର ଠାକୁର ଦୋଳରେ ସାହି ଓ ଗାଁ ପରିକ୍ରମା କରିବେ। ଠାକୁରଙ୍କ ସହ ସଂକୀର୍ତ୍ତନ ଦଳ ବାରିକର ଦିହୁଡ଼ି ମୁଖ୍ୟ ଆକର୍ଷଣ ହେବ। ମଙ୍ଗଳବାର ଠାକୁର ଦ୍ଵାଦଶୀ ଯାତ୍ରାରେ ୧୬ଟି ଠାକୁର ନିଜ ସାହିରେ ଦୋଳରେ ବୁଲି ଭୋଗ ଖାଇବେ । ତେବେ ସାମନ୍ତରା ସାହି, ଦୁର୍ଗାଦେବୀ ସାହି, ନୂଆ ସାହି ଠାକୁର ଠାକୁର ଚୌଧୁରୀ ସାହିକୁ ଦୋଳରେ ଯାଇ ଚୌଧୁରୀ ସାହି ଠାକୁରଙ୍କୁ ସାଥିରେ ନେଇ ପଣ୍ଡାସାହିରେ ପହଁଚିବେ l ପଣ୍ଡା ସାହି ଠାକୁରଙ୍କୁ ସହିତ ମିଶି ପରିକ୍ରମା କରି ମନ୍ଦିର ପ୍ରତ୍ୟାବର୍ତନ କରିବେ। ବୁଧୁବାର ଦିନ ସାହି ଯାତ୍ରାରେ ଠାକୁର ସେହି ସାହିରେ କୁଞ୍ଜରେ ବିଜେ କରିବେ । ସେହିଦିନ ସାହି ମାନଙ୍କ ରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ। ଗୁରୁବାର ଦିନ ବଜ଼ାର ଯାତ୍ରାରେ ଠାକୁର ମଧ୍ୟାହ୍ନରେ ବଜାର ଯାଇ ବସିବା ସ୍ଥାନ ଚିହ୍ନଟ କରି ଫେରିବେ । ପୁଣି ରାତ୍ରିରେ ଠାକୁର ନିଜ ସାହି ଓ ଗାଁ ଲୋକଙ୍କ ଗହଣରେ ପଟୁଆର ସହ କୁଞ୍ଜରେ ସାଜସଜା କରି ବଜାରକୁ ଆସିବେ। ସେହିଦିନ ରାତ୍ରରେ ଗୋଲା ସମ୍ପ୍ରଦାୟ ଗଞ୍ଜାମରେ ଥିବା ନୃସିଂହ ଠାକୁରଙ୍କ ଠାରୁ କୋହଲା ବାହାରି ପରିକ୍ରମା କରିବା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ। ଏହାପରେ ପ୍ରତି ଠାକୁରଙ୍କ ନିକଟରେ ସେହିଦିନ ରାତ୍ର ପୂଜକ ନଡ଼ିଆ ଶୁଖିଲା ପତ୍ରରେ ନିଆଁ ଲଗାଇ ରାଜାଗ୍ନୀ କରିବେ । ତା ପରଦି ଦୋଳ ପୂର୍ଣିମାରେ ସମସ୍ତ ଠାକୁର, ଭକ୍ତ ଫଗୁ ଖେଳି ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ । ସ୍ନାନ ପରେ ଠାକୁର ଦୋଳିରେ ବିଜେ କରିବେ କରିବେ। ସେଠାରେ ଠାକୁରମାନଙ୍କୁ ସାକର, ଚଣା ସହ ଆମ୍ବ ଭୋଗ ହେବ lନୂତନ ପଞ୍ଜିକା ପଠନ ହେବ lସମସ୍ତ ସାହି ଓ ଗାଁରେ ଆଜିଠାରୁ ଆଲୋକ ସାଜସଜ୍ଜା ସହ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି l ଏହି ଉପଲକ୍ଷେ ଗଞ୍ଜାମ ଏନଏସି ଓ ଥାନା ପକ୍ଷରୁ ପୃଥକ,ପୃଥକ ଭାବେ ପ୍ରସ୍ତୁତି ବୈଠକ ଶେଷ ହୋଇଛି lଗଞ୍ଜାମ ସହରର ଐତିହାସିକ ଦୋଳ ଯାତ୍ରା ଶାନ୍ତିଶୃଙ୍ଖଳାରେ ପରିଚାଳନା କରିବା ନିମନ୍ତେ ଗଞ୍ଜାମ ଥାନା ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଥାନା ପରିସରରେ ଅନୁଷ୍ଠିତ ହୋଇଛି । ଥାନା ଅଧିକାରୀ ସୁମିତ୍ରା ପାତ୍ରଙ୍କ ତତ୍ୱାବଧାନ ଅନୁଷ୍ଠିତ ବୈଠକରେ ପ୍ରୋବେସନାଲ ଆଇପିଏସ ଅଫିସର ମନୀଷା ସୌଗୁନ,ଏସଡିପିଓ -ଚନ୍ଦନ ଘଡେଇ ଯୋଗଦେଇଥିଲେ l ସେହିପରି ଗଞ୍ଜାମ ଏନଏସି ପକ୍ଷରୁ ଅଧକ୍ଷା ପ୍ରତିଭା ପାଢ଼ୀଙ୍କ ତତ୍ୱାବଧାନରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା l ଏହି ବୈଠକରେ ଉପାଧ୍ୟାକ୍ଷ ସୁରେନ୍ଦ୍ର ବାରିକି, କାର୍ଯ୍ୟନିର୍ବାହୀ ଅଧିକାରି ଅପର୍ଣ୍ଣା ଡାଙ୍ଗୁଆ, ପ୍ରୋବସନାଲ ଆଈପିଏସ ମନୀଷା ସୌଗନ, ତହସିଲଦାର ସୁକାନ୍ତ କୁମାର ମିଶ୍ର,ପ୍ରମୁଖ ସମେତ ସମସ୍ତ କାଉନସିଲର, ବିଭିନ୍ନ ବିଭାଗର ଅଧିକାରୀ, ଓ ଗଞ୍ଜାମ ଅଞ୍ଚଳର ସମସ୍ତ ସାହିର ଯାତ୍ରା କମିଟି ସଦସ୍ୟ ଉପସ୍ଥିତ ଥିଲେ l ଆସନ୍ତାକାଲି ଠାରୁ 14ତାରିଖ ପର୍ଯ୍ୟନ୍ତ ପାଞ୍ଚଦିନ ବ୍ୟାପି ୧୬ଟି ଠାକୁରଙ୍କୁ ନେଇ ଦେଳ ଯାତ୍ରା ହେବ ।