ଗଞ୍ଜାମ ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ ଜିଲ୍ଲା ଭାବେ ଘୋଷଣା କଲେ ଜିଲ୍ଲାପାଳ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ) :ଗଞ୍ଜାମ ଜିଲ୍ଲା ହେଲା ବାଲ୍ୟ ବିବାହ ମୁକ୍ତ ଜିଲ୍ଲା, ଏହା ଘୋଷଣା କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ I ଏଥିରେ କାର୍ଯ୍ୟ କରିଥିବା ସମସ୍ତ ବ୍ୟକ୍ତି ବିଶେଷଙ୍କୁ ଶୁଭେଚ୍ଛା ଓ ଧନ୍ୟବାଦ ଜଣାଇଲେ ଜିଲ୍ଲାପାଳ I ଗଞ୍ଜାମ ଜିଲ୍ଲାରେ “ନିର୍ଭୟା କଢି” ଯୋଜନାର କାର୍ଯ୍ୟକାରିତା ପରେ ତଳ ସ୍ତରରୁ କମିଟି ଗଠନ କରାଯାଇ ଏହି ଯୋଜନାର ସଫଳ ରୂପାୟନ ଦିଗରେ ବ୍ୟାପକ ସଚେତନତା ମୂଳକ ପଦକ୍ଷେପ ସହିତ ବାଲ୍ୟ ବିବାହକୁ ରୋକିବା ନେଇ ଅନେକ ଗୁଡିଏ ଦୃଷ୍ଟାନ୍ତ ମୂଳକ ପଦେକ୍ଷପ ଗ୍ରହଣ କରାଯାଇଥିଲା I ଗ୍ରାମ ପଞ୍ଚାୟତ ଏବଂ ବିଜ୍ଞାପିତ ଅଞ୍ଚଳ ସ୍ତରରେ ସରପଞ୍ଚଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅଙ୍ଗନବାଡିକର୍ମି, ଆଶାକର୍ମି ଏବଂ ସହାୟିକା ମାନଙ୍କୁ ନେଇ କମିଟି ଗଠନ କରାଯାଇଥିଲା I ସେହି କମିଟିର ସର୍ଭେ ରିପୋର୍ଟକୁ ଆଧାରକରି ବ୍ଲକ ସ୍ତରରେ ପୁନଃ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ଶିଶୁ ବିକାଶ ଯୋଜନା ଅଧିକାରୀ ଏବଂ ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧିକାରୀ ଏହାର ପ୍ରକୃତ ସତ୍ୟା ସତ୍ୟ ଯାଞ୍ଚ କରିବା ସହିତ ଅନୁସନ୍ଧାନ ରିପୋର୍ଟ ଜିଲ୍ଲା ସ୍ତରରେ ସମ୍ପୃକ୍ତ ଗ୍ରାମକୁ ବାଲ୍ୟ ବିବାହ ମୁକ୍ତ ଗ୍ରାମ ଭାବେ ଘୋଷଣା କରିବା ସକାଶେ ଉପସ୍ଥାପନ କରିଥିଲେ I ଗତ ଦୁଇ ବର୍ଷ ମଧ୍ୟରେ ବିଭିନ୍ନ ସ୍ତରରେ 14,422 ଗୋଟି ବୈଠକ ହୋଇଛି I ନିର୍ଭୟା କଢି ଯୋଜନା କାର୍ଯକାରୀ ପରେ 2019 ମସିହାରେ 45 ଗୋଟି, 2020 ମସିହାରେ 228 ଗୋଟି ଏବଂ 2021 ମସିହାରେ 201 ଗୋଟି ବାଲ୍ୟ ବିବାହକୁ ରୋକା ଯାଇପାରିଥିଲା I ବର୍ତମାନ ଗଞ୍ଜାମ ଜିଲ୍ଲାରେ 3309 ଗୋଟି ଶିଶୁ ବିବାହ ମୁକ୍ତ ଗ୍ରାମ, ସହରାଞ୍ଚଳର 280 ଗୋଟି ଶିଶୁ ବିବାହ ମୁକ୍ତ ୱାର୍ଡ ଏବଂ 503 ଗୋଟି ଶିଶୁ ବିବାହ ମୁକ୍ତ ଗ୍ରାମପଞ୍ଚାୟତ ଭାବେ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ଘୋଷଣା କରିଛନ୍ତି I ଆଗାମି ଦିନରେ ଝିଅ ମାନଙ୍କୁ ବୃତ୍ତିଗତ ପରାମର୍ଶ ଦିଆଯିବ I ଆଜିର ଏହି ବାଲ୍ୟ ବିବାହ ମୁକ୍ତ ଘୋଷଣା ସମୟରେ ଅତିରିକ୍ତ ଜିଲ୍ଲାପାଳ ଲିନା କୁମାରୀ ଖେସ୍, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସୁରେଖା ସୁନ୍ଦରୀ ମଲ୍ଲିକ, ଅତରିକ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସାଧନ ଚନ୍ଦ୍ର ଦାସ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ଅଧିକାରୀ, ଜିଲ୍ଲା ଶିଶୁ ବିକାଶ ଅଧିକାରୀ ସୁବୋଧ କୁମାର ଷଢଙ୍ଗୀ, ଆକ୍ସନ ଏଡ଼ର ଜିଲ୍ଲା ସଂଯୋଜକ ଦେବବ୍ରତ ମାହୁନ୍ତ ପ୍ରମୁଖ ଉପସ୍ଥିତ ଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ