ଗଞ୍ଜାମ ଜିଲ୍ଲାରେ ଡିସେମ୍ବର ୨୯ ତାରିଖ ଠାରୁ ଚାଷୀ ମାନଙ୍କ ଠାରୁ

ଛତ୍ରପୁର, (ଦେବଦତ୍ତ ମହାରଣା) : ଚଳିତ ଖରିଫ୍ ଋତୁର ଧାନ ସଂଗ୍ରହ ପ୍ରକ୍ରିୟା ସକାଶେ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଶୁକ୍ରବାର ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଓସ୍ବାନ୍ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ତତ୍ତ୍ବାଧାନରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷର ଖରିଫ୍ ଧାନ ସଂଗ୍ରହ ଆସନ୍ତା ଡିସେମ୍ବର ମାସ ୨୯ ତାରିଖ ଠାରୁ ଆରମ୍ଭ କରାଯିବ ବୋଲି ଗଞ୍ଜାମ ଜିଲ୍ଲାପାଳ ମତ ରଖିଥିଲେ । ଏହାକୁ ସମସ୍ତ ଲୋକ ପ୍ରତିନିଧି ଏବଂ କମିଟିର ସମସ୍ତ ସଦସ୍ୟ ସଦସ୍ୟାଗଣ ସମ୍ମତି ପ୍ରକାଶ କରିଥିଲେ । ବୈଠକରେ ସମସ୍ତ ଲୋକପ୍ରତିନିଧି ଯଥା ଜିଲ୍ଲାର ମନ୍ତ୍ରୀ, ସାଂସଦ, ବିଧାୟକଗଣ ନିଜନିଜ ବକ୍ତବ୍ୟରେ ଜଣାଇଥିଲେଯେ, ଚାଷୀ ମାନଙ୍କ ଠାରୁ ଧାନ ସଂଗ୍ରହ ପ୍ରକ୍ରିୟା ବେଳେ ଯେପରି କୌଣସି ଅସୁବିଧା ହେବ ନାହିଁ ସୁରୁଖୁରୁରେ ଧାନ ସଂଗ୍ରହ ହେବ ଏବଂ ବିଗତ ସପ୍ତାହରେ ଜିଲ୍ଲାରେ ହୋଇଥିବା ଅଦିନିଆ ବର୍ଷା ଜନିତ ଚାଷର କ୍ଷୟକ୍ଷତିକୁ ପ୍ରାଧାନ୍ୟ ଦେଇ ଧାନ କ୍ରୟ କରିବାପାଇଁ ଲୋକପ୍ରତିନିଧିଗଣ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ । ଚାଷୀ କୁଳ ଯେପରି କ୍ଷତିରେ ପଡିବେ ନାହିଁ ସେଥିପ୍ରତି ଦୃଷ୍ଟି ଦେଇ ଧାନ ସଂଗ୍ରହ ପ୍ରକ୍ରିୟାକୁ ତ୍ବରାନ୍ବୀତ କରିବା ଦିଗରେ ଜିଲ୍ଲାପାଳ ସଂପୃକ୍ତ ଅଧିକାରୀ ମାନଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ଗଞ୍ଜାମ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ଜଣାଇଥିଲେଯେ ବିଗତ ଆର୍ଥିକ ବର୍ଷ ୨୦୨୦-୨୧ରେ ଖରିଫ୍ ଧାନ ୪୭,୪୩,୨୮୩.୫୮ କ୍ୱିଣ୍ଟାଲ ଧାନ ସଂଗ୍ରହ କରିବା ନିମନ୍ତେ ଲକ୍ଷ୍ୟଧାର୍ଯ୍ୟ ଥିବା ବେଳେ ୪୫,୦୪,୧୮୬.୦୦ କ୍ୱିଣ୍ଟାଲ୍ ଧାନ ସଂଗ୍ରହ କରାଯାଇଥିଲା । ତନ୍ମଧ୍ୟରୁ ୩୧,୭୮,୦୦୦କ୍ୱିଣ୍ଟାଲ ଚାଉଳ ହୋଇପାରିଥିଲା ଯାହାକି ଶତକଡା ୯୫ ପ୍ରତିଶତ । ଚଳିତ ଖରିଫ୍ ଧାନ ସଂଗ୍ରହ ସକାଶେ ୩୬୦୪୪୭.୭୬୧୨ମେଟ୍ରିକ୍ ଟନ୍ ଧାନ ସଂଗ୍ରହ କରାଯାଇ ୨୪୧୫୦୦ମେଟ୍ରିକ୍ ଟନ୍ ଚାଉଳ ଆମଦାନୀ ହେବାର ଲକ୍ଷ୍ୟ ରଖାଯାଇଛି । ୨୦୨୦-୨୧ ଆର୍ଥିକ ବର୍ଷରେ ସାଧାରଣ ଧାନ ନିମନ୍ତେ କ୍ୱିଣ୍ଟାଲ ପିଛା ୧୮୬୮ ଟଙ୍କା ଏବଂ ଗ୍ରେଡ୍ ଏ ଧାନ ନିମନ୍ତେ ୧୮୮୮ଟଙ୍କା କ୍ୱିଣ୍ଟାଲ ପ୍ରତି ଦର ଧାର୍ଯ୍ୟ ଥିଲା । ଚଳିତ ଆର୍ଥିକ ୨୦୨୧-୨୨ ବର୍ଷରେ ସାଧାରଣ ଧାନ ସକାଶେ କ୍ୱିଣ୍ଟାଲ ପିଛା ୧୯୪୦ ଟଙ୍କା ଏବଂ ଗ୍ରେଡ୍ ଏ ଧାନ ସକାଶେ ୧୯୬୦ ଟଙ୍କା ଦର ଧାର୍ଯ୍ୟ ରଖାଯାଇଛି । ଚଳିତ ବର୍ଷ ୪୪୦ପ୍ୟାକ୍ସ ମାଧ୍ୟମରେ ୧୨୪୦୮୧ ଜଣ କୃଷକଙ୍କ ନାମ ପଞ୍ଜିକରଣ କରାଯାଇଛି । ଗତ ୨୦୨୦-୨୧ ଆର୍ଥିକ ବର୍ଷରେ ୯୬୪୦୨ ଚାଷୀ ଧାନ ସଂଗ୍ରହ ପ୍ରକ୍ରିୟାରେ ସାମିଲ ଥିଲେ । ୩୭୫ ଗୋଟି ମିଲର୍, ୩୭୭ଗୋଟି ପ୍ୟାକ୍ସ, ୬୪ ମହିଳା ସ୍ଵୟଂ ସହାୟକ ଦଳ ରହିଥିଲେ । ସମ୍ପ୍ରତି ୩୮୬ ପ୍ୟାକ୍ସ, ପୂର୍ବରୁ ଥିବା ୫୩ ଗୋଟି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଏବଂ ନୂତନ ଭାବେ ୫୨ ଗୋଟି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଏଭଳି ସମୁଦାୟ ୧୦୫ ଗୋଟି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଏବଂ ଗୋଟିଏ ପାଣି ପଞ୍ଚାୟତ ଧାନ ସଂଗ୍ରହ ନିମନ୍ତେ ସାମିଲ ଅଛନ୍ତି । ଚଳିତ ବର୍ଷର ଧାନ ସଂଗ୍ରହ ସମୟରେ କୋଭିଡ୍ ନିୟମର ଅନୁପାଳନ ଯେପରି ହେବ, ସେଥିପ୍ରତି ଦୃଷ୍ଟି ଦେବାକୁ ସଂପୃକ୍ତ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଚଳିତ ଥର ଧାନ କିଣାରେ ସ୍ଵଚ୍ଛତା ନେଇ ପ୍ରଥମ ଥର ପାଇଁ ଧାନ ସଂଗ୍ରହ ସମୟରେ ଆଇ.ଭି.ଆର.ଏସ୍. ବ୍ୟବସ୍ଥା ରହିବ । ପଞ୍ଜିକୃତ କରିଥିବା ଚାଷୀଗଣ ୧୯୬୭ ଟୋଲଫ୍ରି ନମ୍ବରରେ ଯୋଗାଯୋଗ କଲେ ସେମାନଙ୍କ ଟୋକନ୍, କେଉଁ ତାରିଖରେ ଧାନ ବିକ୍ରୟ କରିବେ ଏବଂ ଅନ୍ୟାନ୍ୟ ବିଷୟରେ ତଥ୍ୟ ଜାଣି ପାରିବେ ।
ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୋନମ୍ ପଲେଇ, ଚିକିଟି ବିଧାୟିକା ଉଷା ଦେବୀ, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ଆସ୍କା ବପିଧାୟିକା ମଞ୍ଜୁଲତା ସ୍ବାଇଁ, ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣୀ ବୈଦ୍ୟ, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ପ୍ରମୁଖ ଆଭାସୀ ବୈଠକରେ ସଂଯୁକ୍ତ ହୋଇଥିବା ବେଳେ, ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍ ଧନ୍ୟବାଦ ଅର୍ପଣ କରିଥିଲେ । ବିଧାନ ସଭା ଗୃହରୁ ବାଚସ୍ପତିଙ୍କ ବ୍ୟକ୍ତିଗତ ସଚିବ ପୂର୍ଣ୍ଣଚନ୍ଦ୍ର ଦଳେଇ, ବ୍ରହ୍ମପୁର ଉପଜିଲ୍ଲାପାଳ ଓ୍ବ କିର୍ତ୍ତି ଓ୍ବାସନ୍, ଛତ୍ରପୁର ଉପ ଜିଲ୍ଲାପାଳ ନୀଳ ମାଧବ ଭୋଇ, ଜିଲ୍ଲା ଯୋଗାଣ ଅଧିକାରୀ ପୁଷା ମୁଣ୍ଡା, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଦୁର୍ଯ୍ୟୋଧନ ପଟାଙ୍ଗେ, ସମସ୍ତ ଆର୍.ଏମ୍.ସି. ସେକ୍ରେଟାରୀ ଗଣ, ସହକାରୀ ଯୋଗାଣ ଅଧିକାରୀ ବ୍ରହ୍ମପୁର ସକଳେଶ୍ୱର ଦାଶ, ସଭାପତି ଋଷିକୂଲ୍ୟା ପାଣି ପଞ୍ଚାୟତ ଲିଙ୍ଗରାଜ ସାହୁ, ମିଲର୍ ଆସୋସିଏସନ୍ ର ସଭାପତି ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ