ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ଙ୍କୁ ରାସ୍ତାରୁ ହଟାଇବା ପାଇଁ ବଡ଼ ଧରଣର ବ୍ଲୁ-ପ୍ରିଣ୍ଟ୍
ବ୍ରହ୍ମପୁର, (ରାଜେଶ କୁମାର ପଟ୍ଟନାୟକ):ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ବିଭୂତି ଭୂଷଣ ଜେନାଙ୍କୁ ରାସ୍ତାରୁ ହଟାଇବା ପାଇଁ ବଡ଼ ଧରଣର ବ୍ଲୁ-ପ୍ରିଣ୍ଟ୍ ପ୍ରସ୍ତୁତ ହୋଇଥିବା ଅଭିଯୋଗ ହେଇଛି । ମଧ୍ୟରାତ୍ରିରେ ଦୁର୍ବୃତ୍ତ ଛକି ରହିଥିବା ବେଳେ ବିଭୂତି ଜେନା ଙ୍କ ଜଣେ ସହଯୋଗୀଙ୍କ ନିଦ ଭାଙ୍ଗି ଯିବାରୁ ଦୁର୍ବୃତ୍ତମାନେ ମାରଣାସ୍ତ୍ର ଛାଡ଼ି ଦୌଡ଼ି ପଳାଇଛନ୍ତି। ଏ ଘଟଣା ସମଗ୍ର ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।ଗୋଳନ୍ଥରା ଠାରେ ଥିବା ବିଜେପି କାର୍ଯ୍ୟାଳୟ ନିକଟସ୍ଥ ନିଜ ବାସଭବନରେ ରହୁଥିବା ବିଜେପି ଜିଲ୍ଲା ସଭାପତି ଶ୍ରୀ ବିଭୁତି ଭୂଷଣ ଜେନାଙ୍କ ଘର ନିକଟରେ କେତେକ ଦୁର୍ବୃତ୍ତ ମାରଣାସ୍ତ୍ର ଧରି ଛକି ରହିଥିଲେ। ରାତି ପ୍ରାୟ ତିନିଟା ବେଳେ ବିଭୂତିଙ୍କ ଜଣେ ସହଯୋଗୀ ପରିସ୍ରା ପାଇଁ ଉଠି ଦୁର୍ବୃତ୍ତଙ୍କୁ ଦେଖି ପାଟି କରିଥିଲେ। ପାଟି ଶୁଣି ଦୁର୍ବୃତ୍ତମାନେ ଏକ ପଲ୍ସର୍ ବାଇକ୍ ଓ ତିନୋଟି ଖଣ୍ଡା ଛାଡ଼ି ସେଠାରୁ ଚମ୍ପଟ୍ ମାରିଥିଲେ। ଘଟଣା ସମ୍ପର୍କରେ ଶ୍ରୀ ଜେନା ଗୋଳନ୍ଥରା ଥାନାକୁ ଖବର ଦେଇଥିଲେ। ଗୋଳନ୍ଥରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ବୃତ୍ତମାନେ ଛାଡ଼ି ଯାଇଥିବା ଖଣ୍ଡା, ମୋଟର୍ ସାଇକେଲ୍କୁ ଜବତ କରି ଛାନ୍ଭିନ୍ ଚଳାଇଛି।ଏହି ଖବର ପାଇ ବହୁ ସଂଖ୍ୟାରେ ବିଜେପି କର୍ମୀ ପହଞ୍ଚି ଖୋଜାଖୋଜି କରିବା ପରେ ଈଶାଣେଶ୍ୱର ମନ୍ଦିର ପାର୍ଶ୍ୱରେ ଏକ ନମ୍ବର ବିହୀନ ପଲ୍ସର୍ ମୋଟର୍ ସାଇକେଲ୍ ସହ ତିନି ହଳ ପ୍ୟାଣ୍ଟ୍, ସାର୍ଟ ଥିବା ଦେଖିଥିଲେ। ଦୁର୍ବୁତ୍ତ ମାନେ ଚୋରି କରିବା ଅଭିଳାଷ ନେଇ ଆସିଥିବା ଅନୁମାନ କରାଯାଉଛି ।