ଗଞ୍ଜାମ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ବିକ୍ରମଙ୍କ ଦାୟିତ୍ୱ ଗ୍ରହଣ
ଛତ୍ରପୁର, (ଦେବଦତ୍ତ ମହାରଣା):ଗଞ୍ଜାମ ଜିଲ୍ଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ଆଜି ମଧ୍ୟାହ୍ନରେ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ପରିସରରେ ସେ ବିଧିବଦ୍ଧ ଭାବେ ଦାୟିତ୍ୱ ନେଇଥିଲେ । ଏହି ଅବସରରେ ଶ୍ରୀ ପଣ୍ଡା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ସମସ୍ତ ବିଧାୟକ, ସାଂସଦ ଓ ମନ୍ତ୍ରୀ ଏବଂ ପ୍ରଶାସନିକ ଅଧିକାରୀଙ୍କ ସହ ଉତ୍ତମ ସମନ୍ୱୟ ରଖି ଗଞ୍ଜାମ ଜିଲ୍ଲାର ବିକାଶ ଧାରାକୁ ବଜାୟ ରଖିବେ ବୋଲି କହିଥିଲେ । ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲ୍ଲା ପାଇଁ ସ୍ୱତନ୍ତ୍ର ସ୍କିମ୍ ମାଧ୍ୟମରେ ଯୋଗାଇ ଦେଉଥିବା ଅନୁଦାନରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବିକାଶମୂଳକ ଯୋଜନାକୁ କାର୍ଯ୍ୟକାରୀ, ୫-ଟି ସୂଚୀକୁ ପାଥେୟ କରି ବିକାଶ ପାଇଁ ବିଧାୟକ, ସାଂସଦ, ମନ୍ତ୍ରୀ ଏବଂ ଯୋଜନା କମିଟିର ସଦସ୍ୟଙ୍କ ସହ ବିଚାରବିମର୍ଷ ଓ ଆଲୋଚନାକୁ ବିଶେଷ ଧ୍ୟାନ ଦିଆଯିବ । ବିକାଶ ଧାରା ପାଇଁ ଗଞ୍ଜାମ ଜିଲ୍ଲା ସବୁବେଳେ ଜାତୀୟ ସ୍ତରରେ ପୁରସ୍କୃତ ହୋଇ ଆସୁଅଛି । ଗଞ୍ଜାମ ଜିଲ୍ଲା ଶ୍ରେଷ୍ଠ ଜିଲ୍ଲା ପରିଷଦ ଏବଂ ଜଳ ସଂରକ୍ଷଣ ଓ ଉତ୍ତମ ପରିଚାଳନା ନେଇ ଗଞ୍ଜାମ ଜିଲ୍ଲା ସର୍ବଭାରତରେ ଶ୍ରେଷ୍ଠ ଜିଲ୍ଲା ପୁରସ୍କୃତ ହୋଇଛି । ଗଞ୍ଜାମ ଜିଲ୍ଲାର ବିକାଶ ଲାଗି ମୁଖ୍ୟମନ୍ତ୍ରୀ ଯେଉଁ ରୋଡ୍ ମ୍ୟାପ୍ କରିଛନ୍ତି ସେହି ବିକାଶ ଧାରାକୁ ବଜାୟ ରଖିବା ପାଇଁ ପ୍ରାଧାନ୍ୟ ସ୍ୱରୂପ ରହିବ ବୋଲି ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଶ୍ରୀ ପଣ୍ଡା ପ୍ରତିକ୍ରିୟାରେ କହିଛନ୍ତି । ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଭୀ.କୀର୍ତ୍ତିଭାଷନ୍, ବ୍ରହ୍ମପୁର ମହାନଗର ନିଗମର କମିଶନର ଜେ.ସୋନାଲ, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା,ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣୀ ବୈଦ୍ୟ, ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ, ଜିଲ୍ଲା ପରିଷଦର ଅଧ୍ୟକ୍ଷା ଅଞ୍ଜଳୀ ସ୍ୱାଇଁ, ଉପାଧ୍ୟକ୍ଷା ଏସ୍.ରାଜେଶ୍ୱରୀ ଦୋରା, ବ୍ରହ୍ମପୁର ମେୟର ସଙ୍ଘମିତ୍ରା ଦଳାଇ, ଡେପୁଟି ମେୟର ବିବେକ ରେଡ୍ଡୀ, କାଜୁ ନିଗମର ଅଧ୍ୟକ୍ଷ ସୁବାସ ମହାରଣା, ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ପୂର୍ବତନ ବିଧାୟିକା ନନ୍ଦନୀ ଦେବୀ, ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ ତୁମ୍ବନାଥ ପଣ୍ଡା ପ୍ରମୁଖ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ଶୁଭେଛା ଜଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟ ଓ ସଭ୍ୟା, ବ୍ଲକ ଅଧ୍ୟକ୍ଷ ଓ ଅଧ୍ୟକ୍ଷାଙ୍କ ବିଭିନ୍ନ ବ୍ଲକ ଓ ସହରାଞ୍ଚଳର ବିଜେଡି ନେତା ଓ ବିଭିନ୍ନ ସଂଗଠନ ପକ୍ଷରୁ ବି ଶ୍ରୀ ପଣ୍ଡାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି ।