ଗଞ୍ଜାମ ଜିଲ୍ଲା ରାଜ୍ୟର ମଡେଲ ଜିଲ୍ଲା
ଛତ୍ରପୁର, (ଓ୍ବାଇଏନ୍ଏସ୍):ଛତ୍ରପୁର ସ୍ଥିତ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷଠାରେ ଗୁରୁବାର ଭାରତୀୟ ମହାସାଗର ନିକଟବର୍ତ୍ତୀ ଅଞ୍ଚଳରେ ସୁନାମୀରୁ ରକ୍ଷା ଆଭିମୁଖ୍ୟ ନେଇ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି କର୍ମଶାଳା ଅନୁଷ୍ଠିତ ହୋଇୟାଇଛି । କର୍ମଶାଳାରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ଅମୀୟ କୁମାର ସାହୁ ସ୍ବାଗତ ଜଣାଇ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ଜନ ଜୀବନକୁ ପ୍ରାକୃତିକ ବିପର୍ଯ୍ୟୟରୁ କିଭଳି ରକ୍ଷା କରାଯିବ ସେଥିନେଇ ଆଗୁଆ ପ୍ରଶିକ୍ଷଣର ଆବଶ୍ୟକତା ରହିଛି । ଗ୍ରାମବାସୀ ପୂର୍ବରୁ ସୁନାମୀ କଣ, ଏଥିରୁ ବର୍ତ୍ତିବା ସକାଶେ କେଉଁ ସବୁ ପଦକ୍ଷେପମାନ ଗ୍ରହଣ କରିବାର ଆବଶ୍ୟକତା ରହିଛି ସେସମ୍ପର୍କରେ ଅବଗତ କରାଇଥିଲେ । ଏହି ଅବସରରେ ସ୍ବତନ୍ତ୍ର ରିଲିଫ୍ କମିଶନର୍ ତଥା ଓସଡମାର ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ କୁମାର ଜେନା ଏକ ଭିଡିଓ ବାର୍ତ୍ତାରେ ଜଣାଇଥିଲେୟେ, ଭାରତ ମହାସାଗର ତଟବର୍ତ୍ତୀ ଅଞ୍ଚଳରେ ବାଲେଶ୍ବର ଠାରୁ ଗଞ୍ଜାମ ପର୍ଯ୍ୟନ୍ତ ଓଡିଶାର ୬ ଗୋଟି ଜିଲ୍ଲା ପରିବ୍ୟାପ୍ତ । ଭାରତର ୨୨ ଗୋଟି ଗ୍ରାମ ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ୍ ର ନୋଳିଆ ସାହି ଏବଂ ଗଞ୍ଜାମ ଜଲ୍ଲାର ଭେଙ୍କେଟରାୟପୁର ସୁନାମୀ ପ୍ରସ୍ତୁତ ଗାଁ ଭାବେ ପରିଚିତ ହୋଇଛି । ଓଡିଶାର ୪୮୦ କି.ମି. ବ୍ୟାପ୍ତ ସାମୁଦ୍ରିକ ତଟ ବର୍ତ୍ତୀ ଅଞ୍ଚଳ ରହିଛି । ତନ୍ମଧ୍ୟରୁ ୩୨୮ ଗୋଟି ସମ୍ଭାବ୍ୟ ସୁନାମୀ ପ୍ରବଣ ଗାଁ ରହିଛି । ଉକ୍ତ ଗ୍ରାମ ଗୁଡିକରେ ସୁନାମି ଏବଂ ଏଥିରୁ ଜନଜୀବନ ସୁରକ୍ଷା ଦିଗରେ କେଉଁ ସବୁ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ଏବଂ ଏଥି ସକାଶେ ରାଜ୍ୟ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଉଥିବା ପଦକ୍ଷେପ ସମ୍ପର୍କରେ ଜଣାଇଥିଲେ । ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳିନା ବିଭାଗୀୟ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସତ୍ୟରଞ୍ଜନ ସାହୁ ଜଣାଇଥିଲେଯେ, ୨୦୦୪ ମସିହା ଡିସେମ୍ବର ୨୬ ତାରିଖରେ ଘଟିଥିବା ପ୍ରକୃତିକ ବିପର୍ଯ୍ୟୟ ସୁନାମି ରେ କିଭଳି ୨ଲକ୍ଷ ୩୦ ହଜାର ଲୋକଙ୍କ ପ୍ରାଣହାନୀ ଘଟିଥିଲା ତାହା ଅବଗତ କରାଇ ଆଗାମୀ ଭବିଷ୍ୟତରେ ସମ୍ଭାବ୍ୟ ସୁନାମିରୁ ଜନଜୀବନକୁ କିଭଳି ରକ୍ଷା କରିହେବ ଏବଂ ଏଥି ସକାଶେ ଗ୍ରାମ୍ୟ ଲୋକଙ୍କ ସଚେତନତାର ଗୁରୁତ୍ବପୂର୍ଣ୍ଣ ଭୂମିକା ସମ୍ପର୍କରେ ଜଣାଇଥିଲେ । ସୁନାମି ପ୍ରବଣ ଅଞ୍ଚଳରେ ୧୨୨ ଗୋଟି ଟାଓ୍ବାର୍ ପ୍ରସ୍ତୁତ କରାଯାଇଅଛି, ସୁନାମି ଆସିବା ସୂଚନା ପାଇବା ମାତ୍ରେ ରାଜ୍ୟ ହେଡକ୍ବାର୍ଟରରୁ ସ୍ବିଚ୍ ଟିପିଲେ ସତର୍କ ଶବ୍ଦ ବା ସାଇରନ୍ ଖୁବ୍ ଜୋରରେ ବାଜିବ । ମାତ୍ର ୩୦ ମିନିଟ୍ ରୁ ୪୦ ମିନିଟ୍ ସମଯ ମଧ୍ୟରେ ଗ୍ରାମାଞ୍ଚଳ ଲୋକଙ୍କୁ ପୂର୍ବରୁ ଚିହ୍ନଟ କରାଯାଇଥିବା ନିକଟବର୍ତ୍ତି ନିରାପଦ ସ୍ଥାନକୁ ସ୍ଥାନାନ୍ତର ହେବେ । କେଉଁ ରାସ୍ତା ଦେଇ ସ୍ଥାନାନ୍ତର ହେବେ, କେଉଁଠି ରହିବେ, ରହିବା ସ୍ଥାନରେ କେଉଁସବୁ ବ୍ୟବସ୍ଥାମାନ ହେବା ଆବଶ୍ୟକ ସେସମ୍ପର୍କରେ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ । ନଭେମ୍ବର ୫ ତାରିଖ ଦିନ ସୁନାମି ଦିବସ ରୂପେ ପାଳନ କରାୟିବ । ତା ପୂର୍ବରୁ ଚିହ୍ନଟ ହୋଇଥିବା ସମଗ୍ର ଓଡିଶାର ୩୨୬ ଟି ଗ୍ରାମାଞ୍ଚଳ ଲୋକଙ୍କୁ ପ୍ରଶିକ୍ଷଣ ଓ ସଚେତନ କରିବାର ଆବଶ୍ୟକତା ଉପରେ ଗୁରୁତ୍ବ ଦେଇଥିଲେ । ଓସଡମାର ରାଜ୍ୟ ଯୋଜନା ଅଧିକାରୀ ଶାନ୍ତନୁ ଠାକୁର କର୍ମଶାଳାରେ ଉପସ୍ଥିତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସ୍ବେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା, ଗାଁ କମିଟିର ସଦସ୍ୟ ସଦସ୍ୟା, ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସେବା ପ୍ରଦାନ କରୁଥିବା ଓସଡମାର ଅଧିକାରୀ ଗଣଙ୍କୁ ଗଞ୍ଜାମ ଜିଲ୍ଲାର ୪ ଗୋଟି ବ୍ଲକ୍ ରେ ରହିଥିବା ୧୫ ଗୋଟି ଗ୍ରାମ ପଞ୍ଚାୟତର ୪୪ଟଚି ଗ୍ରାମରେ କିଭଳି କାର୍ଯ୍ୟ ଖସଡା ପ୍ରସ୍ତୁତ କରାଯାଇ ଲୋକଙ୍କୁ ସଚେତନତା ଓ ମକ୍ ଡ୍ରିଲ କରାଯିବ ସେ ସମ୍ପର୍କରେ ଅବଗତ କରାଇଥିଲେ । କର୍ମଶାଳାରେ ଗଞ୍ଜାମ ଜିଲ୍ଲାର ଚାରିଗୋଟି ବ୍ଲକ୍ ର ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ସୁକାନ୍ତ ଚନ୍ଦ୍ର ମିଶ୍ର, ସଂସ୍ଥାପନା ଅଧିକାରୀ ନୃସିଂହ ମହାପାତ୍ର, ଜିଲ୍ଲା ସ୍ତରୀୟ ଅଧିକାରୀ ଗଣ ଏବଂ ସ୍ବେଚ୍ଛାସେବୀ ଅନୁଷ୍ଠାର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।