ଗଞ୍ଜାମ ଜିଲ୍ଲା ରେ ସଫଳହେଲା ପ୍ଲାଜମା ଥେରାପି
ବ୍ରହ୍ମପୁର, (ରାଜେଶ କୁମାର ପଟ୍ଟନାୟକ):ଗଞ୍ଜାମ ଜିଲ୍ଲା ଶିତଳାପଲ୍ଲୀସ୍ଥିତ ଟାଟା କୋଭିଡ୍ ହସ୍ପିଟାଲରେ ୩ ଜଣ ଗୁରୁତର କରୋନା ଆକ୍ରାନ୍ତଙ୍କୁ ପ୍ଲାଜମା ଥେରାପି ଦିଆଯାଇଥିଲା ଉକ୍ତ ୩ ଜଣଙ୍କ ମଧ୍ୟରେ ୨ ଜଣ ମହିଳା ଓ ଜଣେ ପୁରୁଷ ଅଛନ୍ତି। ପ୍ଲାଜମା ଥେରାପି ପରେ ଉକ୍ତ ୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ମଙ୍ଗଳବାର ଟାଟା କୋଭିଡ୍ ହସ୍ପିଟାଲରୁ ଡିସ୍ଚାର୍ଜ ହୋଇଛନ୍ତି । ତେବେ ଏହା ଗଞ୍ଜାମ ଜିଲ୍ଲାରେ ପ୍ରଥମ। ଏ ନେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସେମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଟୁଇଟକରି ସୂଚନା ଦେଇଛନ୍ତି। ଡାକ୍ତରମାନଙ୍କ ଏହି ପ୍ରଚେଷ୍ଟାକୁ ଜିଲ୍ଲାପାଳ ପ୍ରଶଂସା କରିଛନ୍ତି। କରୋନାରୁ ସୁସ୍ଥ ହେଉଥିବା ଲୋକେ ପ୍ଲାଜମା ଦାନ କରନ୍ତୁ ବୋଲି ଜିଲ୍ଲାପାଳ ପୁଣି ଅନୁରୋଧ କରିଛନ୍ତି।ସୂଚନାଯୋଗ୍ୟ, ୨୧ ତାରିଖରେ ବ୍ରହ୍ମପୁରର ଏମ୍କେସିଜିରେ ପ୍ଲାଜମା ଥେରାପି ଆରମ୍ଭ ହୋଇଥିଲା। କଟକସ୍ଥିତ ଏସ୍ସିବିରୁ ୩ଟି ପ୍ଲାଜମା ଆସିଥିଲା। ପରେ ଟାଟା କୋଭିଡ୍ ହସ୍ପିଟାଲର ୩ ଜଣ ଗୁରୁତର ରୋଗୀଙ୍କୁ ସେଠାରେ ପ୍ଲାଜମା ଥେରାପି ଦିଆଯାଇଥିଲା।