ଗଞ୍ଜାମ ସହରର ରାକେଶ ରାଜ୍ୟ ପାଇଁ ଆଣିଲେ ଗୌରବ
ଗଞ୍ଜାମ, (ବିନୋଦ ପଲାଇ):ରାଜ୍ୟ ସ୍ତରୀୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ମିଷ୍ଟର ଓଡ଼ିଶାରେ ସ୍ୱର୍ଣ୍ଣପଦକ ହାସଲ କରିବା ସହ ଜାତୀୟସ୍ତର ପ୍ରତିଯୋଗିତାରେ ଭାଗନେବା ପାଇଁ ମନୋନୀତ ହୋଇଛନ୍ତି, ଗଞ୍ଜାମ ସହରର ରାକେଶ ପଣ୍ଡା। ଯାହା ଗଞ୍ଜାମ ଅଞ୍ଚଳ, ଜିଲ୍ଲା ଓ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଯାହାକୁ ନେଇ ବିଭିନ୍ନ ମହଲରେ ଆନନ୍ଦର ଲହରୀ ଖେଳିଯାଇଛି। ଗଞ୍ଜାମ ସହର ମଧ୍ୟଖଣ୍ଡ ସାହି ବାସିନ୍ଦା ତଥା ରବୀନ୍ଦ୍ର ପଣ୍ଡା ଓ ସୁଷମା ପଣ୍ଡାଙ୍କ ପୁଅ ବ୍ରହ୍ମପୁର ସ୍ଥିତ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଖେଳପଡିଆ ଠାରେ ଅନୁଷ୍ଠିତ ୨୦ତମ ଅଲ ଓଡିଶା ସିନିୟର ରାଜ୍ୟ ସ୍ତରୀୟ ସୁନ୍ଦର ସ୍ଵାସ୍ଥ୍ୟବାନ ପ୍ରତିଯୋଗିତାରେ ଭାଗନେଇ ଥିଲେ ।୧୪୦ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ୬୦କେଜି ବର୍ଗରେ ସ୍ଵର୍ଣପଦକ ହାସଲକରିଥିଲେ। ଏହା ସହ ଆସନ୍ତା ମାର୍ଚ୍ଚ ମାସ ୧୬ ଓ ୧୭ ଦୁଇଦିନ ଧରି ପଞ୍ଜାବ ରାଜ୍ୟର ଲୁଧିଆନ ଠାରେ ହେବାକୁ ଥିବା ଜାତୀୟ ସ୍ତରିୟ ପ୍ରତିଯୋଗିତାରେ ଭାଗନେବା ପାଇଁ ମନୋନୀତ ହୋଇଛନ୍ତି। ଏହା ପୂର୍ବରୁ ରାକେଶ ପ୍ରଥମଥର ପାଇଁ ୨୦୧୮ ମସିହାରେ ୫୫ କେଜି ବର୍ଗରେ ସ୍ୱର୍ଣ୍ଣପଦକ, ୨୦୧୯ ମସିହାରେ ୫୫କେଜି ବର୍ଗରେ ସ୍ଵର୍ଣପଦକ, ୨୦୨୧ ମସିହାରେ ୫୫କେଜି ବର୍ଗରେ ସ୍ୱର୍ଣ୍ଣପଦକ ହାସଲ କରିଥିଲେ। ଗୁରୁ ବାଲାଲଖାନ ଓ ଅଫସନା ବେଗମ ଠାରୁ କୋଚିଂଗ ନେଉଥିବା ବେଳେ , ଛତ୍ରପୁର ବି.କେ.ଫିଟନେସ ତରଫରୁ ପ୍ରତିନିଧି କରୁଛନ୍ତି। ଏହି ପ୍ରତିଯୋଗିତାରେ ଭାଗନେବା ପାଇଁ ସମାଜସେବୀ ପି.ତ୍ରିନାଥ ରାଓ ସାହଯ୍ୟ, ସହଯୋଗ ଓ ଉତ୍ସହିତ କରୁଥିବା ବେଳେ, ବର୍ତ୍ତମାନ ବ୍ରହ୍ମପୁର ସ୍ଥିତ ଫିଟନେସ କ୍ଲବ ” ଏଭେଞ୍ଜର ” ରେ ଟ୍ରେନର ରୂପେ କାର୍ଯ୍ୟରତ ରାକେଶ । ଭବିଷ୍ୟତରେ ଅନ୍ତର୍ଜାତୀୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ଭାଗନେବେ ତାଙ୍କର ଲକ୍ଷ୍ୟଥିବା କହିଛନ୍ତି। ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।