ଗଞ୍ଜାମ ୩୦ ପର୍ଯ୍ୟନ୍ତ ଲକଡାଉନ୍
ଭୁବନେଶ୍ୱର: ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଏହା ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ଗଞ୍ଜାମ ଜିଲ୍ଲାରେ ଆଜି ଠାରୁ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରାଯଇଛି । ଏନେଇ ଗଞ୍ଜାମ ଜିଲ୍ଲାପାଳ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ତଦନୁଯାୟୀ ସକାଳ ୭ରୁ ୧୨ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ଦୋକାନ ଖୋଲା ରହିବ । ବସ, କାର ଓ ଅଟୋ ଚଳାଚଳ ୩୦ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ । ଦିନ ୧୨ଟା ପରେ କେହି ଘରୁ ନବାହାରିବା ପାଇଁ ପରାମର୍ଶ ଦିଆଯାଇଛି । ଏହାଛଡ଼ା ଶନିବାର ଓ ରବି ପୂର୍ବ ଘୋଷଣା ଅନୁସାରେ ସଟଡାଉନ ରହିବ । ରାତି ୭ରୁ ସକାଳ ୭ ପର୍ଯ୍ୟନ୍ତ କର୍ଫ୍ୟୁ ମଧ୍ୟ ବଳବତ୍ତର ରହିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ କହିବାନୁସାରେ, ବର୍ତ୍ତମାନ ସୁଦ୍ଧା ୨ଲକ୍ଷ ପ୍ରବାସୀ ଜିଲ୍ଲାକୁ ଫେରି ସାରିଲେଣି। ଆଉ ଅଧିକ ପ୍ରବାସୀ ଫେରିବାର ଅଶା କରାଯାଉ ନାହିଁ। ଦେଢ଼ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକଙ୍କୁ ଘରୋଇ ସଙ୍ଗରୋଧରେ ରଖାଯାଇଛି। ଜିଲ୍ଲାରେ ୬୮୦ରୁ ଅଧିକ କରୋନା ପଜିଟିଭ୍ ଚିହ୍ନଟ ହେବା ସହିତ ଇତିମଧ୍ୟରେ ରାଜ୍ୟକୁ ମୌସୁମୀ ଛୁଇଁ ଯାଇଛି। ଏହାକୁ ଦୃଷ୍ଟିରେ ରଖି ଗୋଷ୍ଠୀ ସଂକ୍ରମଣର ଆଶଙ୍କା କରାଯାଉଛି। ତେଣୁ ଆଜିଠାରୁ ଜୁନ୍ ୩୦ ପର୍ୟ୍ୟନ୍ତ ଏହି ଲକ୍ଡାଉନ୍ର ଘୋଷଣା କରାଯାଇଛି।