ଗଞ୍ଜେଇ ଚୋରାଚାଲାଣ ବେଳେ ମହିଳା ସମେତ ୨ ଯୁବକ ଗିରଫ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ପାଟପୁର ଥାନା ଅନ୍ତର୍ଗତ ସୁମନ୍ତପୁର ରାସ୍ତାରେ ଶନିବାର ପାହାନ୍ତିଆ (ସକାଳ) ସମୟ ରେ ବେଆଇନ ଗଞ୍ଜେଇ ଚୋରାଚାଲାଣ ହେଉଥିବା ବେଳେ ପୋଲିସ ୩୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ କରିଥିବା ଜଣାପଡ଼ିଛି। ଚୋରା ଚାଲାଣରେ ସମ୍ପୃକ୍ତି ଥିବା ଜଣେ ମହିଳାଙ୍କ ସମେତ ଦୁଇ ଯୁବକଙ୍କୁ ପାଟପୁର ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ଗିରଫ ମାନଙ୍କ ମଧ୍ୟରେ ଦିଗପହଣ୍ଡି ଥାନା ତିଳୋତ୍ତମା ନଗରର ଦଳବେହେରା ସବିତା ଦୋରା , ପାଟପୁର ଥାନା କଂସାମାରୀ ରୋଡ ସାହିର ଦଳବେହେରା ସୁରେନ୍ଦ୍ର ଦୋରା ଏବଂ ଗାଡି ଚାଳକ ଜଣକ ହେଲେ ହିଞ୍ଜିଳି ଥାନା କରାଖଣ୍ଡି ଗ୍ରାମର ପପୁ ସେଠୀ ରହିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଖବରନୁଯାୟୀ , ଅଭିଯୁକ୍ତ ମାନେ ଶନିବାର ସକାଳ ସାଢେ ୫ ଘଣ୍ଟା ସମୟରେ ଏକ କାର ଓ ଆର୍ ୦୨ ବି ଏକ୍ସ ୮୦୦୦ ଚାଲାଣ କରୁଥିବା ବେଳେ ସେହି ସମୟରେ ପୋଲିସ ପେଟ୍ରୋଲିଂ କରି ଫେରୁଥିବା ବେଳେ ଗାଡ଼ିର ପିଛା କରି ନୂଆଗଡ ଛକ ଓ ସୁମନ୍ତପୁର ମଝିରେ ରହିଥିବା ଭାଗିରଥି ବଟ ମନ୍ଦିର ନିକଟରେ ଗାଡ଼ିକୁ ଯାଞ୍ଚ କରିଥିଲେ । ପୋଲିସର ଯାଞ୍ଚ ସମୟରେ ଗାଡ଼ିରେ ଜଣେ ମହିଳା ଓ ଦୁଇ ଜଣ ଯୁବକ ବସିଥିଲେ । ଏମାନଙ୍କୁପୋଲିସର ସନ୍ଦେହ ରେ ଯାଞ୍ଚ କରିବା ପରେ ସେଥିରେ ଗଞ୍ଜେଇ ରହିଥିବା ଜଣାପଡିଥିଲା । ତହସିଲଦାର ଡ଼ା ଶ୍ରୀନିବାସ ବେହେରାଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇର ଓଜନ କରାଯାଇଥିଲା। ୨୪୩ କିଲୋ ୨୩୦ ଗ୍ରାମ ରହିଥିବା ବେଳେ ଯାହାର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ବୋଲି ଜଣାପଡିଥିଲା । ଏନେଇ ଆଜି ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲଙ୍କ ଉପସ୍ଥିତିରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ପାଟପୁର ଥାନା କେସ୍ ନଂ ୪୩୪/୨୨ ଦଫା ୨୦(ବି) ଆଇଆଇ(ସି)/ ଏନ୍ ଡିପିଏସ୍ ଅନୁଯାୟୀ ଗିରଫ କରିବା ସହ ଚୋରାଚାଲାଣ ସମୟରେ ବ୍ୟବହୃତ ଗାଡ଼ି ଓ ଗଞ୍ଜେଇ ଜବତ କରିଥିବା ବେଳେ ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଛି। ଏ ନେଇ ଆସିକା ଏସଡିପିଓ ଉମାଶଙ୍କର ସିଂ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଅଭିଯୁକ୍ତ ସୁରେନ୍ଦ୍ରଙ୍କ ନାମରେ ପୂର୍ବରୁ ବହୁ ଥାନାରେ ଗଞ୍ଜେଇ ଚୋରାଚାଲାଣ ମାମଲାରେ କେସ୍ ରହିଥିବା ବେଳେ ସବିତାଙ୍କ ସ୍ବାମୀ ବର୍ତ୍ତମାନ ଏହି ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ସୁରତର ଏକ ଜେଲରେ ରହିଥିବା ଜଣାପଡିଛି ।


