ଗଞ୍ଜେଇ ଚୋରାଚାଲାଣ ବେଳେ ମହିଳା ସମେତ ଯୁବକ ଗିରଫ ୧୩୬ କେଜି ଗଞ୍ଜେଇ ଜବତ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ପାଟପୁର ଥାନା ପୋଲିସ ପକ୍ଷରୁ ମଙ୍ଗଳବାର ଦିନ ୩୨୬ ନଂ ଜାତୀୟ ରାଜପଥ ଡେଙ୍ଗାଓସ୍ତା – ଆଦର୍ଶ ବିଦ୍ୟାଳୟ ଛଣମେରୀ ମଝି ରାସ୍ତାରେ ବେଆଇନ ଭାବେଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଜଣେ ମହିଳା ସମେତ ଯୁବକକୁ ଗିରଫ କରାଯାଇଥିବା ଜଣାପଡ଼ିଛି । ଗିରଫ ମହିଳା ଜଣକ ମହାରାଷ୍ଟ୍ର ପରବାନୀ ଜିଲ୍ଲା ପଥିରୀ ଥାନା ୱରଖେଡା ଗ୍ରାମର ଅମ୍ବିକାବାଇ ନାଭନାଥ ଚାଭାନ ହୋଇଥିବା ବେଳେ ଯୁବକ ଜଣକ ହେଲେ ସାନଖେମୁଣ୍ଡି ବ୍ଲକ କଂସାମାରୀ ରୋଡ ସାହିର ପି . ଦ୍ରୋଣ ଦୋରା ବୋଲି ସୂଚନା ମିଳିଛି । ଖବରନୁଯାୟୀ , ପାଟପୁର ପୋଲିସ ସକାଳ ସାଢେ ୫ ଘଣ୍ଟା ସମୟରେ ପେଟ୍ରୋଲି କରୁଥିବା ସମୟରେ ଦୁଇ ଅଭିଯୁକ୍ତ ଜଣଙ୍କ ଏକ ଅଟୋ ( ଓଡି ୦୭ ଏଏ ୯୬୬୧) ଯୋଗେ ଗଜପତିରୁ ବ୍ରହ୍ମପୁର ଅଭିମୁଖେ ଦ୍ରୁତ ଗତିରେ ଯାଉଥିବା ବେଳେ ପୋଲିସର ସନ୍ଦେହ କରି ଉକ୍ତ ଗାଡ଼ିକୁ ଅଟକାଇଥିଲେ । ତେବେ ପୋଲିସର ଯାଞ୍ଚ ସମୟରେ ଗାଡ଼ିରେ ଜଣେ ମହିଳା ଓ ପୁରୁଷ ବସିଥିଲେ । ଅଟୋ ଯାଞ୍ଚ ପରେ ସେଥିରେ ଗଞ୍ଜେଇ ରହିଥିବା ଜଣାପଡିଥିଲା । ଘଟଣାପରେ ଦିଗପହଣ୍ଡି ଅତିରିକ୍ତ ତହସିଲଦାର ରମେଶ ଚନ୍ଦ୍ର ବେହେରାଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇର ଓଜନ ୧୩୬ କିଲୋ ୧୦୦ ଗ୍ରାମ ରହିଥିବା ବେଳେ ଯାହାର ଆନୁମାନିକ ବଜାର ମୂଲ୍ୟ ୧୪ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ବୋଲି ଜଣାପଡିଛି।ଏନେଇ ଆଜି ମଧ୍ୟାହ୍ନରେ ପାଟପୁର ପୋଲିସ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ପାଟପୁର ଥାନା କେସ୍ ନଂ ୯୮/୨୩ ଦଫା ୨୦(ବି) ଆଇଆଇ(ସି)/ ଏନ୍ ଡିପିଏସ୍ ଅନୁଯାୟୀ ଗିରଫ କରିବା ସହ ଚୋରାଚାଲାଣ ସମୟରେ ବ୍ୟବହୃତ ଗାଡ଼ି ଓ ଗଞ୍ଜେଇ ଜବତ କରିଥିବା ବେଳେ ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦିଆଯାଇଛି ।


