ଗଞ୍ଜେଇ ଚୋରା ବେପାରକୁ ନେଇ ଗଜପତିରେ ଯୁବକଙ୍କୁ ଅପହରଣ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାରେ ଚୋରା ଗଞ୍ଜେଇ କାରବାରକୁ ନେଇ ଜଣେ ଯୁବକଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା. 3 ଦିନ ପରେ ଗଜପତି ଜିଲ୍ଲା ଅଡ଼ବା ଥାନା ପୁଲିସ ଅପହୃତ ଯୁବକଙ୍କୁ ଉଦ୍ଧାର କରିଛି। ଅପହରଣ କରିଥିବା ଅଭିଯୋଗରେ ପୁଲିସ ଗଞ୍ଜାମ ଜିଲ୍ଲା କୁଲାଡ଼ ଗାଁର କାଳିଆ ଗୌଡ଼ (୨୪) ଓ ଲାଠି ଗାଁର ଶିବ ଗୌଡ଼ (୨୭)ଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ଗୋଟିଏ କାର୍ ଓ ନଗଦ ୭୦ ହଜାର ଟଙ୍କା ଜବତ କରାଯାଇଛି। ଗଞ୍ଜେଇ କାରବାର ଟଙ୍କାକୁ ନେଇ ଅପହରଣ ହୋଇଥିବା ଅଡ଼ବା ଥାନା ଅଧୁକାରୀ ଶୁଭ୍ରାନ୍ତ ପଣ୍ଡା ସନ୍ଦେହ କରୁଥିବା କହିଛନ୍ତି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ପ୍ରକାରେ ଅନ୍ତରବା ଗ୍ରାମର ଅଲିଫି ପାଳ (୨୬)ଙ୍କ ବାପା ଗଞ୍ଜେଇ ବ୍ୟବସାୟକୁ ନେଇ ଲାଠିର ଶିବଙ୍କ ସହ ଚୁକ୍ତି ହୋଇଥିଲା । ଚୁକ୍ତି ଅନୁଯାୟୀ ଶିବଙ୍କ ବାପା ଟଙ୍କା ପଇସାର ହିସାବ ଛିଡେଇ ନଥିଲେ। ଏହାରି ମଧ୍ୟରେ କିଛି ଦିନ ତଳେ ଶିବ ଗଞ୍ଜେଇ ଚାଲାଣ ଅଭିଯୋଗରେ ଜେଲ ଯାଇ ଜାମିନରେ ବାହାରିଥିଲେ। ଗତ ୮ ତାରିଖରେ ଅଲିଫ ପାଳ ଓ ତାଙ୍କ ସାଙ୍ଗ ସୁମିତ କରାଡ଼ ବ୍ରହ୍ମପୁର ଯାଇଥିଲେ । ବ୍ରହ୍ମପୁର ରେଳ ଷ୍ଟେସନ ନିକଟରୁ କାଳିଆ ଓ ଶିବ ଅଲିଫକୁ କାରରେ ଉଠାଇ ଜାତୀୟ ରାଜପଥ ଆଡକୁ ନେଇଥିଲେ । ଘଟଣା ସ୍ଥଳରୁ ଅଲିଫିଙ୍କ ସାଙ୍ଗ ସୁମିତ କୌଶଳକ୍ରମେ ଖସିଯାଇଥିଲେ। ୯ ତାରିଖରେ ଅଲିଫଙ୍କ ଭାଇ ସରୋଜ ପାଳ ଅଡ଼ବା ଥାନାରେ ଅଭିଯୋଗ କରିଥିଲେ। ଅଡବା ଥାନାରେ ମାମଲା ରୁଜୁ କରି ପୁଲିସ ତଦନ୍ତ କରିଥିଲା । ମଙ୍ଗଳବାର ଅଡ଼ବା ପୁଲିସ ବ୍ରହ୍ମପୁର ଯାଇ ଅପହୃତ ଯୁବକ ଅଲିଫକୁ ଉଦ୍ଧାର କରିଥିଲା। ଏଥିସହ ଦୁଇ ଅପହର୍ଭା ଶିବ ଓ କାଳିଆକୁ ଗିରଫ କରି କୋୖର୍ଟକୁ ଚାଲାଣ କରାଯାଇଥିବା ସୂଚନା ମିଳିଛି.