ଗଞ୍ଜେଇ ସହ ଚାରି ଗିରଫ, ଟାଟାମ୍ୟାଜିକ୍ ଓ ବାଇକ୍ ଜବତ
ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ)କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ପୋଲିସ୍ ପାଟ୍ରୋଲିଂ କରୁଥିବା ସମୟରେ ୭୩ କେଜି ଗଞ୍ଜେଇ ସହ ଗୋଟିଏ ଟାଟା ମ୍ୟାଜିକ୍ ଗାଡ଼ି ଓ ଗୋଟିଏ ମୋଟରସାଇକେଲକୁ ଜବତ କରିବା ସହ ଚାରିଜଣ ଚାଲାଣକାରୀଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି ପୋଲିସ୍ । ସୂଚନା ପ୍ରକାରେ ବାଲିଗୁଡ଼ା ଅଞ୍ଚଳରୁ ନୁଆପଡ଼ା ଜିଲ୍ଲାକୁ ଗଞ୍ଜେଇ ଚୋରାଚାଲାଣ ହେଉଥିବା ଖବର କୌଣସି ଏକ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇଥିଲା ତୁମୁଡ଼ିବନ୍ଧ ପୋଲିସ୍ । ଯାହା ଫଳରେ ଅଞ୍ଚଳରେ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରିବାସହ ଗାଡ଼ି ମୋଟର ଯାଞ୍ଚ୍ ଚଳାଇଥିଲା ପୋଲିସ୍ । ସେହି ସମୟରେ ଗୋଟିଏ ଟାଟା ମ୍ୟାଜିକ୍ ଗାଡ଼ି ଓ ଗୋଟିଏ ମୋଟରସାଇକେଲ ଦୃତ ଗତିରେ ଯାଉଥିବା ଦେଖି ପୋଲିସ୍ ଉଭୟ ଗାଡ଼ିକୁ ପିଛାକରି ତୁମୁଡ଼ିବନ୍ଧ ଥାନା ଡଡ଼ଙ୍ଗ ନିକଟରେ ଉଭୟ ଗାଡ଼ିକୁ କାବୁ କରିଥିଲା ଏବଂ ଗାଡ଼ିରୁ ୭୩ କେଜି ଗଞ୍ଜେଇ ଜବତ କରିଥିଲା । ଘଟଣାରେ ସଂପୃକ୍ତ ଚାରିଜଣ ଚାଲାଣକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ୍ । ଚାରିଜଣ ଚାଲାଣକାରୀଙ୍କ ମଧ୍ୟରୁ ଦୁଇଜଣ ନୁଆପଡ଼ା ଜିଲ୍ଲା କରିବାର ଅଞ୍ଚଳର ଜୟ ବାଗ୍ ଓ ବଇଦ ବାଗ୍ ହୋଇଥିବାବେଳେ ଅନ୍ୟ ଦୁଇଜଣ ବାଲିଗୁଡ଼ା ଥାନା ଡପାକିଆ ଗ୍ରାମର ପିତର ଦିଗାଲ ଓ ଡଙ୍ଗେରୀ ଗ୍ରାମର ନିଜିଙ୍ଗା ମଲ୍ଲିକ ହୋଇଥିବା ପୋଲିସ୍ ପକ୍ଷରୁ ସୂଚନା ମିଳିଛି । ଏହି ଗଞ୍ଜେଇ ବାଲିଗୁଡ଼ା ଅଞ୍ଚଳରୁ ନୁଆପଡ଼ା ଜିଲ୍ଲାକୁ ଚାଲାଣ ହେଉଥିଲା ଏବଂ ଜବତ ଗଞେଇର ଆନୁମାନିକ ମୂଲ୍ୟ ସାଢ଼େ ତିନି ଲକ୍ଷ(୩,୫୦,୦୦୦) ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି କହିଛନ୍ତି ତୁମୁଡ଼ିବନ୍ଧ ଥାନା ଅଧିକାରୀ ବାବାଶଙ୍କର ସରାଫ୍ ।


