ଗଡିଲା ଭିନ୍ନକ୍ଷମ ଭୋଟର ସଚେତନତା ରଥ

ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ) : ଆଜି ସକାଳ ସାଢେ ୮ ଘଟିକା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଯାତ୍ରାରମ୍ଭ କରିଛି ଭିନ୍ନକ୍ଷମ ଭୋଟର ସଚେତନତା ରଥ । ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ରାଉତ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ । ଏହି ରଥ ଜିଲ୍ଲାର ବିଭିନ୍ନ ବ୍ଲକ, ପଂଚାୟତ ଓ ବୁଥଗୁଡିକୁ ଯାଇ ଭିନ୍ନକ୍ଷମ ଭୋଟରମାନଙ୍କୁ ସଚେତନ କରାଇବ । ଚଳିତ ନିର୍ବାଚନରେ କୌଣସି ମତଦାତା ଯେପରି ମତଦାନ ଅଧିକାରରୁ ବଂଚିତ ନ ହୁଅନ୍ତି ସେଥିପାଇଁ ନିର୍ବାଚନ ଆୟୋଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି । ବିଶେଷ କରି ଭିନ୍ନକ୍ଷମମାନଙ୍କୁ ମତଦାନ ପ୍ରକ୍ରିୟାରେ ସାମିଲ କରିବାକୁ ସ୍ୱତନ୍ତ୍ର ମାର୍ଗଦର୍ଶିକା ପ୍ରସ୍ତୁତ ହୋଇଛି । ଦୃଷ୍ଟିବାଧିତ,ଚଳନବାଧିତ ଓ ମାନସିକ ଭିନ୍ନକ୍ଷମ ମତଦାତାଙ୍କୁ ବୁଥରେ ପହଂଚାଇବା ପାଇଁ ସ୍ୱତନ୍ତ୍ର ଗାଡିର ବ୍ୟବସ୍ଥା କରାଯିବା ସହିତ ପ୍ରତ୍ୟେକ ମତଦାନ କେନ୍ଦ୍ରରେ ଖସଡା(ର‌୍ୟାମ୍ପ) ଓ ଚକଲଗା ଗାଡିର (ହୁଇଲ ଚେୟାର) ବ୍ୟବସ୍ଥା କରାଯାଇଛି । ଭିନ୍ନକ୍ଷମ ମତଦାତାମାନଙ୍କୁ ତତ୍କ୍ଷଣାତ୍ ମତଦାନର ସୁବିଧା ଉପଲବ୍ଧ କରାଯିବା ସହ ସେମାନଙ୍କ ସହାୟତା ନିମନ୍ତେ ମତଦାନ କେନ୍ଦ୍ରରେ ସ୍ୱେଚ୍ଛାସେବୀମାନଙ୍କୁ ନିୟୋଜିତ କରାଯାଇଛି । ଦୃଷ୍ଟିବାଧିତ ମତଦାତାଙ୍କ ପାଇଁ ବ୍ରେଲ ଅକ୍ଷର ମୁଦ୍ରିତ ବାଲଟ୍ ପେପର ଦ୍ୱାରା ତାଲିମ ବ୍ୟବସ୍ଥା କରାଯାଇଛି । ସେହିପରି ପ୍ରତ୍ୟେକ ମତଦାନ କେନ୍ଦ୍ରରେ ଭିନ୍ନକ୍ଷମମାନଙ୍କ ପାଇଁ ବିଶ୍ରାମସ୍ଥଳୀ ଓ ପାନୀୟ ଜଳର ସୁବିଧା କରାଯାଇଛି । ଏ ସବୁ ସମ୍ପର୍କରେ ସଚେତନତା ରଥ ଜିଲ୍ଲାର ସବୁ ଅଂଚଳକୁ ଗସ୍ତ କରି ପ୍ରଚାର କରିବ । ଏତଦ୍ଭିନ୍ନ ପାଲାଗାୟକମାନେ ବିଭିନ୍ନ ସ୍ଥାନରେ ପାଲା ପରିବେଷଣ ମାଧ୍ୟମରେ ଭିନ୍ନକ୍ଷମ ଭୋଟରମାନଙ୍କୁ ସଚେତନ କରାଇବେ । ଏହି ଅବସରରେ ସଚେତନତାଧର୍ମୀ ଲିଫଲେଟ୍, ପ୍ରଚାରପତ୍ର, ବ୍ୟାନର ପ୍ରଭୃତି ମଧ୍ୟ ଆଜି ଉନ୍ମୋଚନ କରାଯାଇଥିଲା । ଆସନ୍ତା ୨୯/୦୪/୨୦୧୯ ରିଖରେ ହେବାକୁ ଥିବା ମତଦାନରେ ବହୁ ସଂଖ୍ୟାରେ ସେମାନଙ୍କର ମତଦାନ ଅଧିକାର ସାବ୍ୟସ୍ତ କରି ଗଣତନ୍ତ୍ରକୁ ମଜବୁତ୍ କରିବା ଲାଗି ଆହ୍ୱାନ ଦିଆଯାଇଛି । ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଶ୍ରୀ ରାଉତ ଯେଉଁ ଉଦ୍ଦେଶ୍ୟ ନେଇ ଏହି ରଥ ବାହାରିଛି ତାହା ନିଶ୍ଚିତ ଭାବରେ ସଫଳ ହେବ ବୋଲି କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଏଡିଏମ ଶ୍ରୀ ସମ୍ବିତ କୁମାର ନାୟକ, ଉପଜିଲ୍ଲାପାଳ ଶ୍ରୀ ନୀଲୁ ମହାପାତ୍ର, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ କମଳାକାନ୍ତ ବେହେରାଙ୍କ ସମେତ ବିଭାଗୀୟ ଅଧିକାରୀ, କର୍ମଚାରୀ ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ