ଗଣତନ୍ତ୍ରର ମୁଖ୍ୟ ଅଂଶ ନିର୍ବାଚନ ସଚେତନତା ଲାଗି ଗଣଦୌଡ଼
ପୁରୀ (ଜୁଗାବ୍ଦ ନ୍ୟୁଜ୍): ଭୋଟରଙ୍କୁ ସଚେତନ କରାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଶନିବାର ସକାଳେ ଏକ ଗଣଦୌଡ଼ ଅନୁଷ୍ଠିତ ହୋଇଯାଇଛି । ଏହି ଗଣଦୌଡ଼ ସିଂହଦ୍ୱାରଠାରୁ ସମୁଦ୍ରକୂଳ ପର୍ଯ୍ୟନ୍ତ ଯାଇଥିଲା । ସିଂହଦ୍ୱାରଠାରେ ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାସ, ନିର୍ବାଚନ ଖର୍ଚ୍ଚ ପର୍ଯ୍ୟବେକ୍ଷକ ସନ୍ଦୀପ ମାହେଶ୍ୱରୀ ଗଣଦୌଡ଼କୁ ଶୁଭାରମ୍ଭ କରିଥିଲେ । ଗଣତନ୍ତ୍ରର ନିର୍ବାଚନ ଏକ ଗଣପର୍ବ ବୋଲି ଜିଲ୍ଲାପାଳ ଶ୍ରୀ ଦାସ କହିଥିଲେ । ଏପ୍ରିଲ ୨୩ରେ ପିପିଲି, ସତ୍ୟବାଦୀ, ପୁରୀ ଓ ବ୍ରହ୍ମଗିରିରେ ନିର୍ବାଚନ ହେବ । ଭୋଟର ନିର୍ଭୟରେ ସେମାନଙ୍କ ମତଦାନ ପାଇଁ ପରାମର୍ଶ ଦେଇଥିଲେ । ନିମାପଡା ଓ କାକଟପୁରରେ ୨୯ ତାରିଖରେ ଭୋଟ ଗ୍ରହଣ ହେବ । ନିର୍ବାଚନକୁ ମୁକ୍ତ ଓ ଅବାଧ କରିବା ପାଇଁ ଭୋଟର ସଚେତନ ହେବା ଉଚିତ୍ ବୋଲି ଜିଲ୍ଲାପାଳ କହିଥିଲେ । ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମଙ୍କ ପାଇଁ ସ୍ୱତନ୍ତ୍ର ଗାଡ଼ିର ବ୍ୟବସ୍ଥା କରାଯାଇଛି । ନିର୍ବାଚନ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଶ୍ରୀ ମାହେଶ୍ୱରୀ କହିଥିଲେ ଭୋଟ ଦେବା ଗୋଟିଏ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ । ଗଣତନ୍ତ୍ରର ମୁଖ୍ୟ ଅଂଶ ନିର୍ବାଚନ । ଶତପ୍ରତିଶତ ଭୋଟଦାନ କରାଗଲେ ଭୋଟର ସଚେତନ ଅଛନ୍ତି ବୋଲି ଜଣାପଡିବ । ଏହି ଗଣଦୌଡରେ ଆରକ୍ଷୀ ଅଧୀକ୍ଷକ ଉମାଶଙ୍କର ଦାଶ, ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାସ, ଉପ ଜିଲ୍ଲାପାଳ ଭବତାରଣ ସାହୁ, ପୌରସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀ ହରିଶ୍ଚନ୍ଦ୍ର ନାୟକ, ଜିଲ୍ଲା କ୍ରୀଡ଼ାଧିକାରୀ ନାରାୟଣ ବେହେରା ପ୍ରମୁଖ ଯୋଗ ଦେଇଥିଲେ । ଏହି ଗଣଦୌଡରେ ବିଭିନ୍ନ ସ୍କୁଲ୍ ଛାତ୍ରଛାତ୍ରୀ, ବିଭିନ୍ନ ବିଭାଗ ଅଧିକାରୀ ଓ ଯୁବକ ଯୁବତୀ ସାମିଲ ହୋଇଥିଲେ ।